ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ : ବଙ୍ଗଳାରେ ବିଜେପି କାର୍ଯ୍ୟାଳୟ ପୋଡି ଦେଲେ ବିକ୍ଷୋଭକାରୀ, ହାୱଡ଼ାରେ ଇଣ୍ଟରନେଟ୍ ବନ୍ଦ
ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗତକାଲି ବିରୋଧକାରୀମାନେ ପଥର ମାଡ଼ କରିଥିଲେ । ବିକ୍ଷୋଭକାରୀ ମାନେ ରଘୁଦେବପୁରର ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି ।
କୋଲକାତା : ପଶ୍ଚିମବଙ୍ଗର ହାୱଡ଼ାର ପଞ୍ଚଲା ବଜାରରେ ଶନିବାର ଦିନ ପୋଲିସ୍ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଭିଡ଼ ହଟାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗତକାଲି ବିରୋଧକାରୀମାନେ ପଥର ମାଡ଼ କରିଥିଲେ । ବିକ୍ଷୋଭକାରୀ ମାନେ ରଘୁଦେବପୁରର ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି । ଏହାପୂର୍ବରୁ ଗତକାଲି ଉଲୁବେରିଆରେ ବିଜେପି କାର୍ଯ୍ୟାଳୟକୁ ଜାଳି ଦେଇଥିଲେ ।

ପଶ୍ଚିମବଙ୍ଗର ହୱାଡ଼ାରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହିଂସା ଜାରି ରହିଛି । ଉଲୁବେରିଆର ପାଞ୍ଚାଲ ଅଞ୍ଚଳରେ ବିକ୍ଷୋଭକାରୀମାନେ ପୋଲିସ ଉପରେ ଇଟା ଓ ପଥର ଫିଙ୍ଗିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ତାଙ୍କ ଘରେ ପୋଲିସ ଗିରଫ କରିଛି । ସେମାନେ ହିଂସାକାଣ୍ଡ ହୋଇଥିବା ପାଞ୍ଚାଲକୁ ଯାଉଥିଲେ ଯେଉଁଠାରେ ବିକ୍ଷୋଭକାରୀମାନେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ହାୱଡ଼ାର ଏହି ହିଂସା ଘଟଣାରେ 70 ଜଣ ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ କରିଛି ।
ବିରୋଧ ପ୍ରଦର୍ଶନ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାୱଡ଼ା ଜିଲ୍ଲାରେ ଇଣ୍ଟରନେଟ୍ ସେବା ଜୁନ୍ 13 ତାରିଖ ସକାଳ 6 ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ମୁଖ୍ୟ ଶାସନ ସଚିବ ହରିକୃଷ୍ଣ ଦ୍ୱିବେଦୀଙ୍କୁ ଡକାଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବନହରିଶପୁର ଜିପି (ଗ୍ରାମପଞ୍ଚାୟତ), ପଞ୍ଚଲା ଜିପି, ବେଲଡୁବି ଜିପି, ସୁୱାରା ଜିପି, ଦେଓଲପୁର ଜିପି, ବିକିହାକୋଲା ଜିପି, ମନସ୍ତାଲା, ଚେଙ୍ଗେଲ, ନିମଡିଗି, ଗଙ୍ଗାରାମପୁର, ବଜାରପାରା, ଫୁଲେଶ୍ୱର ସମେତ ଜିଲ୍ଲାର ଅନେକ ଅଞ୍ଚଳରେ ଧାରା 144 ଲାଗୁ କରାଯାଇଛି ।












Click it and Unblock the Notifications