ଟିଏମସିକୁ ପୁଣି ଝଟକା, ବଙ୍ଗୀୟ ଅଭିନେତ୍ରୀ ବୋନି ସେନଗୁପ୍ତା, ବିଧାୟକ ଗୌରୀଶଙ୍କର ଧରିଲେ ବିଜେପି ହାତ
ବୁଧବାର ବଙ୍ଗୀୟ ଅଭିନେତ୍ରୀ ରାଜଶ୍ରୀ ଏବଂ ଅଭିନେତା ବୋନି ସେନଗୁପ୍ତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।
କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଯେତେ ନିକଟତର ହେଉଛି, ରାଜ୍ୟ ରାଜନୀତିରେ ଦେଖିବାକୁ ମିଳୁଛି ଦଳବଦଳ ରାଜନୀତି । ପ୍ରତ୍ୟେକ ଦିନ ରାଜ୍ୟର ନେତାମାନେ ଦଳ ବଦଳ କରିବା ସହ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟୁଛନ୍ତି । ନେତା ଏବଂ ବଙ୍ଗାଳୀ ଚଳଚ୍ଚିତ୍ର କଳାକାରମାନେ ମଧ୍ୟ ଗୋଟିଏ ଦଳରୁ ଅନ୍ୟ ଦଳକୁ ଯିବା ଆରମ୍ଭ କରିଛନ୍ତି ।
ଏହି ସମୟରେ ବୁଧବାର ବଙ୍ଗୀୟ ଅଭିନେତ୍ରୀ ରାଜଶ୍ରୀ ଏବଂ ଅଭିନେତା ବୋନି ସେନଗୁପ୍ତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଉଭୟେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ତେହେଟ୍ଟାର ଟିଏମସି ବିଧାୟକ ଗୌରୀଶଙ୍କର ଦତ୍ତ ମଧ୍ୟ ଦିଦିଙ୍କୁ ଛାଡ଼ି ପଦ୍ମ ଆଡ଼କୁ ଢଳିଛନ୍ତି ।

ଆପଣଙ୍କୁ କହିରଖୁଛୁ, ଗୌରୀଶଙ୍କର ଦତ୍ତ ନଦିଆ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଥିଲେ । ଅଭିନେତା ବୋନି ସେନଗୁପ୍ତା ଟିଏମସି ପ୍ରାର୍ଥୀ କୌଶିନିଙ୍କ ଘନିଷ୍ଟ ଭାବେ ରାଜନୈତିକ ମହଲରେ ବେଶ୍ ଜଣାଶୁଣା ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । 294 ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ 8 ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ମାର୍ଚ୍ଚ 27 ରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବ । ଏହା ପରେ ଏପ୍ରିଲ 1, ଏପ୍ରିଲ 6, ଏପ୍ରିଲ 10, ଏପ୍ରିଲ 17, ଏପ୍ରିଲ 22, ଏପ୍ରିଲ 26 ଏବଂ ଏପ୍ରିଲ 29 ରେ ବିଭିନ୍ନ ପର୍ଯ୍ୟାୟରେ ମତଦାନ ହେବ । ଆସନ୍ତା ମେ 2 ରେ ଫଳାଫଳ ଘୋଷଣା କରାଯିବ ।












Click it and Unblock the Notifications