Corona Vaccine : କୋଭିଡ଼ ଟିକା ଯୋଗୁଁ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ : ପରିବାର ଲୋକଙ୍କ ଆରୋପ
21 ଡିସେମ୍ବର 2020 ରେ ଭୋପାଳରେ ଦିନ ମଜୁରିଆ ଦୀପକ ମାରାଭିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ସେ ସ୍ୱେଚ୍ଛାସେବୀ ଭାବେ କୋଭିଡ଼ ଟିକା ପରୀକ୍ଷଣରେ ଭାଗ ନେଇଥିଲେ ।
ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ଟୀକାକରଣ ନେଇ ଚାରିଥିବା ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ବଡ଼ ଖବର ଆସିଛି । ମିଳିଥିବା ସୂଚନା ଅନୁଯାୟୀ, 21 ଡିସେମ୍ବର 2020 ରେ ଭୋପାଳରେ ଦିନ ମଜୁରିଆ ଦୀପକ ମାରାଭିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ସେ ସ୍ୱେଚ୍ଛାସେବୀ ଭାବେ କୋଭିଡ଼ ଟିକା ପରୀକ୍ଷଣରେ ଭାଗ ନେଇଥିଲେ । କରୋନା ଭାଇରସ୍ ଟିକା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସରକାରୀ ଏବଂ ଟିକା କମ୍ପାନୀ ବିରୋଧରେ ଅଭିଯୋଗ
ଏନଡିଟିଭି ରିପୋର୍ଟ ଅନୁଯାୟୀ, 47 ବର୍ଷୀୟ ଦୀପକ ମାରାଭିଙ୍କର ଗତ ବର୍ଷ ଡିସେମ୍ବର 21 ରେ ମୃତ୍ୟୁ ହୋଇଥିଲା । ଟିଲା ଜମାଲପୁରାରେ ଥିବା ସୁବେଦାର କଲୋନୀସ୍ଥିତ ନିଜ ଘରେ ତାଙ୍କ ମୃତଦେହ ମିଳିଥିଲା । ପରିବାର ଅଭିଯୋଗ କରିଛନ୍ତି ଯେ କୋଭିଡ 19 ଟି ଟିକା ପରୀକ୍ଷାରେ ସେ ଜଣେ ସ୍ୱେଚ୍ଛାସେବୀ ଥିଲେ ଏବଂ ଟିକା ପ୍ରଭାବରେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଦୀପକ ମାରାଭି କୋଭିଡ -19 ଟିକା ସ୍ବେଚ୍ଛାସେବୀ ହୋଇଥିବା ସତ୍ତ୍ୱେ ରାଜ୍ୟ ସରକାର କିମ୍ବା ଟିକା ଉତ୍ପାଦନକାରୀ ଟିକା ନେବା ପରେ ତାଙ୍କୁ ପର୍ଯ୍ୟବେକ୍ଷଣ କରିନଥିଲେ । ଏହା ବ୍ୟତୀତ ଦୀପକ ମାରାଭି କୋଭିଡ -19 ଟିକା ପରୀକ୍ଷଣରେ ଜଣେ ସ୍ବେଚ୍ଛାସେବୀ ବୋଲି ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇ ନଥିଲା ।
ମାମଲା ସାମ୍ନାକୁ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ତତ୍ପର ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୀପକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଦୀପକଙ୍କୁ କେଉଁ କମ୍ପାନୀରୁ ଏହି ଟିକା ଦିଆଯାଇଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି । ଯଦିଓ ଦୀପକଙ୍କର କରୋନା ଭାଇରସ୍ ଟିକା କିମ୍ବା ଅନ୍ୟ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ପୋଷ୍ଟମର୍ଟମର ଅନ୍ତିମ ରିପୋର୍ଟ ପରେ ହିଁ ପ୍ରକାଶ ପାଇବ
।
ଭାରତରେ ଏବେବି କରୋନା ଭାଇରସ ସଂକ୍ରମଣ ଜାରି ରହିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗୋଟିଏ ଦିନ ମଧ୍ୟରେ ଦେଶରେ 18,222 ଟି ନୂଆ କରୋନା ଜୀବାଣୁ, 19,253 ସୁସ୍ଥ ଏବଂ 228 ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏହା ପରେ ଦେଶରେ ମୋଟ ସଂକ୍ରିତଙ୍କ ସଂଖ୍ୟା 1,04,31,639 କୁ ବୃଦ୍ଧି ପାଇଛି । ଏଥିମଧ୍ୟରେ ଅନେକ ଦେଶରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଭାରତରେ କରୋନା ଭାଇରସ୍ ଟିକା ପ୍ରସ୍ତୁତ ହୋଇଛି ବୋଲି ସରକାର ସୂଚନା ଦେଇଛନ୍ତି । ଏଥି ସତ୍ତ୍ୱେ ଅନେକ ଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ନଜରକୁ ଆସିଛି ।

କରୋନା ଟିକା ସମ୍ପର୍କରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଭାରତରେ କୋଭିଶିଲ୍ଡ ଏବଂ କୋଭାକ୍ସିନ ନାମକ ଦୁଇଟି ଟିକାକୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମୋଦନ ମିଳିସାରିଛି । ଏହି ସମୟରେ ଟୀକାକରଣ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ଏହି କରୋନା ଭାଇରସ ଟୀକାରଣ ପ୍ରସ୍ତୁତି ସମ୍ପର୍କରେ 11 ଜାନୁୟାରୀ 2021 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ, ଯେଉଁଥିରେ ରାଜ୍ୟରେ କରୋନା ସଂକ୍ରମଣର ପରିସ୍ଥିତି ଏବଂ କରୋନା ଟିକା ଟୀକାକରଣ ଉପରେ ଆଲୋଚନା ହେବ ।












Click it and Unblock the Notifications