ମହାରାଷ୍ଟ୍ରରେ ହିଂସା ! ଅକୋଲା ପରେ ଅହମ୍ମଦନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼, 8 ଯବାନ ଆହତ ହୋଇଥିଲେ

ଅହମ୍ମଦନଗର ହିଂସା : ମହାରାଷ୍ଟ୍ରର ଆକୋଲା ପରେ ଅହମ୍ମଦନଗର ଜିଲ୍ଲାର ଶେୱଗାଓଁରେ ହିଂସା ଆରମ୍ଭ ହୋଇଛି । କୁହାଯାଉଛି ଯେ ଗତ ରବିବାର ରାତିରେ ଏକ ଧାର୍ମିକ ଶୋଭାଯାତ୍ରା (ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀରେ ଶୋଭାଯାତ୍ରା) ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସମୟରେ ପଥର ମାଡ଼ ହୋଇଥିଲା । ଏଥି ସହ ଘଟଣାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବାବେଳେ 8 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ଅଞ୍ଚଳରେ SRPF ଫୋର୍ସ ମୁତୟନ କରାଯାଇଛି ।
ଏହି ମାମଲାରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ 50 ଜଣଙ୍କୁ ଅଟକ ରଖିଛି । ପୋଲିସ ଘଟଣାସ୍ଥଳରେ ପାଟ୍ରୋଲିଂ ଜାରି ରଖିଛି । ଏହି ହିଂସା ଘଟାଇଥିବା ଲୋକଙ୍କୁ ଧରିବା ପାଇଁ ପୋଲିସ ଲାଗିପଡ଼ିଛି । ସୂଚନାଥାଉକି, ଗତ ଏକ ମାସ ମଧ୍ୟରେ ଅହମ୍ମଦନଗରରେ ଏହା ହେଉଛି ଦ୍ୱିତୀୟ ହିଂସା ।
ଉଲ୍ଲେଖଥାଉକି, ମହାରାଷ୍ଟ୍ରର ଆକୋଲା ଠାରେ ଏକ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ପଥର ମାଡ଼ ସହ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ଜଣେ ବ୍ୟକ୍ତି ଭିଲାସ ଗାଇକୱାଡ (40) ଙ୍କ ମୃତ୍ୟୁ ହୋଇଛି । ହିଂସାକୁ ରୋକିବାରେ ପ୍ରାୟ 8 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆକୋଲାରେ ଧାରା 144 ଲାଗୁ କରାଯାଇଥିଲା ।
କୁହାଯାଉଛି ଯେ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଆକୋଲାରେ ଜନତା କ୍ରୋଧିତ ହୋଇଥିଲେ । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ଏବଂ ସାମାନ୍ୟ ବଳ ପ୍ରୟୋଗ କରିଥିଲା ।












Click it and Unblock the Notifications