ଅବଦୁଲ ରେହମାନ ମକ୍କି କୁ ବିଶ୍ୱ ଆତଙ୍କବାଦୀ ଘୋଷଣା, ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ
ଲସ୍କର-ଏ-ତୋଏବା ର ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି । ଅବଦୁଲକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ: ଲସ୍କର-ଏ-ତୋଏବା ର ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି । ଅବଦୁଲକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି । ଭାରତ ଓ ଆମେରିକା ଗତ କିଛି ବର୍ଷ ଧରି ଅବଦୁଲ ରେହମାନ ମକ୍କିକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଚେଷ୍ଟା କରୁଥିଲେ । ଅବଦୁଲ ରେହମାନ୍ ଭାରତ ଓ ଆମେରିକାର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଭାବେ ନାମିତ ହୋଇଛି । ଏପରିକି ଆମେରିକା ଅବଦୁଲ ଉପରେ ପୁରସ୍କାର ମଧ୍ୟ ଘୋଷଣା କରିଥିଲା ।

ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସଇଦର ଭିଣୋଇ । ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାଫିଜ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏହା ପୂର୍ବରୁ ଅନେକ ଥର ଚୀନ୍ ଅବଦୁଲକୁ ଆତଙ୍କବାଦୀ ଘୋଷଣା କରିବା ପ୍ରସ୍ତାବକୁ ରୋକିବାକୁ ଚେଷ୍ଟା କରିଥିଲା ।
ମକ୍କି ଲସ୍କର-ଏ-ତୋଏବାଠାରେ ଅନେକ ପଦବୀରେ ରହିଆସିଛି । ମକ୍କି ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କୁ 2 ମିଲିୟନ୍ ଡଲାର ପୁରସ୍କାର ଘୋଷଣା କରିଥିଲା ଆମେରିକା । ଲସ୍କର ଆତଙ୍କବାଦୀ ସଙ୍ଗଠନକୁ କିପରି ପାଣ୍ଠି ମିଳିବ ସେ ନେଇ କାମ କରୁଥିଲା ଅବଦୁଲ ରେହମାନ୍ । ମକ୍କି ଉପରେ ବିଶ୍ୱବ୍ୟାପୀ ନିଷେଧାଦେଶ ପାଇବାକୁ ଭାରତ ନିରନ୍ତର ଦାବି କରିଆସୁଥିଲା ।
ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣରେ ଅବଦୁଲ ରେହମାନ ସାମିଲ ଅଛି । ଆତଙ୍କବାଦୀ ଷଡଯନ୍ତ୍ର, ତାଲିମ, ପାଣ୍ଠି ଏବଂ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ପାଇଁ ନିଯୁକ୍ତି ପାଇଁ ମକ୍କି କ୍ରମାଗତ ଭାବରେ କାର୍ଯ୍ୟ କରିଆସୁଛି । ମୁମ୍ବାଇରେ 26/11 ଏବଂ ଦିଲ୍ଲୀର ଲାଲକିଲ୍ଲା ଉପରେ ଆତଙ୍କବାଦୀ ଆକ୍ରମଣ ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ମକ୍କି ସାମିଲ ଥିବା ଜଣାପଡ଼ିଛି । ଏହା ପରେ ମକ୍କି କୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିବା ପାଇଁ ଭାରତ ଏବଂ ଆମେରିକା ଦୀର୍ଘ ସମୟ ଧରି ଦାବି କରିଆସୁଛନ୍ତି ।












Click it and Unblock the Notifications