ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍, ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
ଅନ୍ତରୀଣ ବଜେଟ୍: ଆଜି ଆସିବ କେନ୍ଦ୍ର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ଷଷ୍ଠ ବଜେଟ୍ ଉପସ୍ଥାପନ କରିବେ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହାର ଶେଷ ବଜେଟ୍ । ଚଳିତ ବର୍ଷ ଲୋକସଭା ନିର୍ବାଚନ ଥିବାରୁ ଏହା ଏକ କାମଚଳା ବଜେଟ୍ ହେବ । ଏଥିରେ କୌଣସି ବଡ଼ ଘୋଷଣା କରିବା ଲାଗି ସରକାରଙ୍କ ପାଖରେ ବିଶେଷ ସୁଯୋଗ ରହିବ ନାହିଁ । ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ଏହି ସମୟ ପାଇଁ ବିଭିନ୍ନ କ୍ଷେତ୍ର ଓ ଯୋଜନା ଲାଗି ଆବଶ୍ୟକ ପାଣ୍ଠି ଲାଗି ବଜେଟ୍ରେ ବ୍ୟବସ୍ଥା କରାଯିବ । ନୂତନ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ ।

ନିକଟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ ସ୍ପଷ୍ଟ କରିଥିଲେ ଯେ ବଜେଟ୍ରେ କୌଣସି ଆଖିଦୃଶିଆ ଘୋଷଣା ହେବନାହିଁ । ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବଜେଟ୍ରେ ଯାହା କିଛି ବ୍ୟବସ୍ଥା କରିବେ । କିନ୍ତୁ ନିର୍ବାଚନ ବର୍ଷର ବଜେଟ୍ ହୋଇଥିବାରୁ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିବା ଏବଂ ମାଗଣା ସ୍କିମ୍ ଲାଗୁ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ବେତନଭୋଗୀ ବର୍ଗଙ୍କୁ ସନ୍ତୁଷ୍ଟ କରିବା ଲାଗି ଆୟକରରେ ପରିବର୍ତ୍ତନ କରାଯାଇପାରେ ।
ସେହିପରି ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଭଳି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରାଯିବାର ମଧ୍ୟ ସମ୍ଭାବନା ରହିଛି । ଖାଦ୍ୟଶସ୍ୟ, ସାର ଆଦି ପାଇଁ ଅଧିକ ସବ୍ସିଡି ବ୍ୟବସ୍ଥା କରାଯାଇପାରେ । ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେବାର ଗୌରବ ହାସଲ କରିଥିବା ନିର୍ମଳା ବଜେଟ୍ ଉପସ୍ଥାପନ କରିବାରେ ପୂର୍ବତନ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସମକକ୍ଷ ହେବେ । ପୂର୍ବରୁ ମନମୋହନ ସିଂହ, ଅରୁଣ ଜେଟ୍ଲି, ପି ଚିଦମ୍ବରମ ଓ ଯଶୋବନ୍ତ ସିହ୍ନା ଲଗାତାର ପାଞ୍ଚଟି ବଜେଟ୍ ଉପସ୍ଥାପନ କରିଥିଲେ ।
2019 ସାଧାରଣ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଥିଲେ ଅର୍ଥମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱରେ ଥିବା ପୀୟୂଷ ଗୋଏଲ । ଅନ୍ତରୀଣ ବଜେଟ୍ ହୋଇଥିଲେ ମଧ୍ୟ ଚାଷୀଙ୍କ ପାଇଁ 'ପିଏମ୍ କିଷାନ ସମ୍ମାନ ନିଧି' ଓ ଶ୍ରମିକଙ୍କ ପାଇଁ 'ପିଏମ ଶ୍ରମ ଯୋଗୀ ମାନଧନ ଯୋଜନା' ଘୋଷଣା କରିଥିଲେ । ତେଣୁ ଏଥର ମଧ୍ୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ କୁ ଅପେକ୍ଷା କରିଛନ୍ତି ।
ହୋଇପାରେ ବଡ଼ ଘୋଷଣା
ପିଏମ କିଷାନ ଯୋଜନାରେ ସହାୟତା ରାଶି ବୃଦ୍ଧି ହୋଇପାରେ
ଆୟୁଷ୍ମାନ ଭାରତରେ ବୀମା ରାଶି ବଢାଇବା ସମ୍ଭାବନା
ଜୀବନବୀମା ଓ ସ୍ୱାସ୍ଥ୍ୟବୀମା ପଲିସିକୁ ଜିଏସଟିମୁକ୍ତ କରିପାରନ୍ତି ସରକାର
ଆୟକରଦାତାଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ 1 ଲକ୍ଷକୁ ବୃଦ୍ଧି ହୋଇପାରେ












Click it and Unblock the Notifications