Toolkit Case : ଗିରଫ ନେଇ ଶାନ୍ତନୁ ମୁଲୁକଙ୍କୁ ଆଶ୍ୱସ୍ତି, 9 ମାର୍ଚ୍ଚ ଯାଏଁ ଗିରଫ ଉପରେ ରୋକ ଲଗାଇଲେ ଦିଲ୍ଲୀ କୋର୍ଟ
କୃଷକ ଆନ୍ଦୋଳନ ସହ ଜଡିତ ଟୁଲକିଟ୍ ମାଲାରେ ତିନିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଶାନ୍ତନୁ ମୁଲୁକଙ୍କୁ ଦିଲ୍ଲୀ କୋର୍ଟରୁ କିଛିଟା ଆଶ୍ୱସ୍ତି ମିଳିଛି । ଅଭିଯୁକ୍ତଙ୍କୁ ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ପଟିଆଲା ହାଉସ୍ କୋର୍ଟ ଗିରଫ ନକରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ସହ ଜଡିତ ଟୁଲକିଟ୍ ମାଲାରେ ତିନିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଶାନ୍ତନୁ ମୁଲୁକଙ୍କୁ ଦିଲ୍ଲୀ କୋର୍ଟରୁ କିଛିଟା ଆଶ୍ୱସ୍ତି ମିଳିଛି । ଅଭିଯୁକ୍ତଙ୍କୁ ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ପଟିଆଲା ହାଉସ୍ କୋର୍ଟ ଗିରଫ ନକରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଗିରଫ ପୂର୍ବରୁ ମୁଲୁକଙ୍କ ଜାମିନ ଆବେଦନ ଉପରେ ବିସ୍ତୃତ ଉତ୍ତର ଦାଖଲ କରିବାକୁ ଦିଲ୍ଲୀ ପୋଲିସ ଅଧିକ ସମୟ ମାଗିଛି । ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଏବଂ ନିକିତା ଯାଦବଙ୍କ ସହ କୃଷକ ଆନ୍ଦୋଳନରେ ଜଡିତ ଟୁଲକିଟ୍ ପ୍ରସ୍ତୁତ ଓ ସେୟାର କରିବାର ଅଭିଯୋଗ ମଧ୍ୟ ମୁଲୁକଙ୍କ ବିରୋଧରେ ହୋଇଥିଲା । ପୋଲିସର ସୂଚନାନୁସାରେ, ଏହି ତିନିଜଣ ଏକ ଅନଲାଇନ୍ ଟୁଲକିଟ୍ ତିଆରି କରି ଏହାକୁ ଏଡିଟ୍ କରି ଅନ୍ୟମାନଙ୍କ ସହ ସେୟାର କରିଥିଲେ ।

ତାଙ୍କ ବିରୋଧରେ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ଆବେଦନର ଶୁଣାଣି ମାର୍ଚ୍ଚ 9 ଯାଏଁ ସ୍ଥଗିତ ରଖିଛନ୍ତି । ମୁଲୁକ ଆବେଦନରେ ସେ କୋର୍ଟଙ୍କୁ କହିଛନ୍ତି ଯେ, ସେ କେବଳ ଏହି ଆନ୍ଦୋଳନ ସମ୍ବନ୍ଧୀୟ ସୂଚନା ସହିତ ଏକ ଟୁଲକିଟ୍ ପ୍ରସ୍ତୁତ କରିଥିଲେ, ଯାହା ପରେ ତାଙ୍କ ଅଜାଣତରେ ଏଡିଟ୍ କରାଯାଇଥିଲା ।
ଫେବୃଆରୀ 16 ରେ ବମ୍ବେ ହାଇକୋର୍ଟରୁ 10 ଦିନ ପାଇଁ ଟ୍ରାଞ୍ଜିଟ୍ ଜାମିନ ପାଇଥିବା ମୁଲୁକଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା । ସେହିଭଳି ମୁମ୍ବାଇର ଜଣେ ଓକିଲ ନିକିତା ଯାଦବଙ୍କୁ ମଧ୍ୟ ଜାମିନ ମିଳିଥିଲା । ଏହି ସପ୍ତାହ ପୂର୍ବରୁ ଦିଲ୍ଲୀ ପୋଲିସର ସାଇବର ସେଲ୍ କାର୍ଯ୍ୟାଳୟରେ ହୋଇଥିବା ଯାଞ୍ଚ ପ୍ରକ୍ରିୟାରେ ଶାନ୍ତନୁ ମୁଲୁକ ଏବଂ ନିକିତା ଯାଦବ ଉପସ୍ଥିତ ଥିଲେ । ଦିଲ୍ଲୀ ପୋଲିସ ଅଭିଯୋଗ କରିଛି ଯେ ଦିଶା ରବି, ମୁଲୁକ ଏବଂ ନିକିତା ଯାଦବ ଖଲିସ୍ତାନୀ ସଂଗଠନ ପୋଏଟିକ୍ ଜଷ୍ଟିସ ଫାଉଣ୍ଡେସନ (ପିଜେଏଫ) ସହ ମିଳିତ ଭାବେ 'ଟୁଲକିଟ୍' ପ୍ରସ୍ତୁତ କରିବା ସହ ସେୟାର କରିବାର ଷଡଯନ୍ତ୍ର କରିଥିଲେ ।
ଦିଲ୍ଲୀ ପୋଲିସର ସୂଚନାନୁସାରେ, କୃଷକମାନଙ୍କ ବିରୋଧ ମଧ୍ୟରେ ଦିଲ୍ଲୀରେ ଗଣତନ୍ତ୍ର ଦିବସ ହିଂସା ହେବାର 15 ଦିନ ପୂର୍ବରୁ ଜାନୁଆରୀ 11ରେ ଖଲିସ୍ତାନୀ ସଂଗଠନ ପୋଏଟିକ୍ ଜଷ୍ଟିସ ଫାଉଣ୍ଡେସନ (ପିଜେଏଫ)ର ଜୁମ୍ ମିଟିଂରେ ଏମାନେ ଯୋଗ ଦେଇଥିଲେ । ପୋଲିସ କହିଛି ଯେ ଏହି ତିନିଜଣ ଦିଶା ରବି, ଓକିଲ ନିକିତା ଯାଦବ ଏବଂ ଶାନ୍ତନୁ ମିଳିତ ଭାବେ ଟୁଲକିଟ୍ ସୃଷ୍ଟି କରିବା ସହ ସେୟାର କରିଥିଲେ । ଯାହା ପରେ ବିଶ୍ୱ ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଏହାକୁ ଟ୍ୱିଟରରେ ସେୟାର କରିଥିଲେ ।












Click it and Unblock the Notifications