ଅନ୍ତର୍ଜାତୀୟ ମହିଳା ଦିବସରେ କୃଷକ ଆନ୍ଦୋଳନର ନେତୃତ୍ୱ ନେବାକୁ ଦିଲ୍ଲୀ ପହଞ୍ଚିଲେ ହଜାର ହଜାର ମହିଳା
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଞ୍ଜାବ-ହରିୟାଣାର ପ୍ରାୟ 40 ହଜାର ମହିଳା କୃଷି ଆଇନକୁ ବିରୋଧ କରିବା ସହ କୃଷକ ଆନ୍ଦୋଳନର ନେତୃତ୍ୱ ନେବା ଲାଗି ଦିଲ୍ଲୀ ପହଞ୍ଚିଛନ୍ତି ।
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଞ୍ଜାବ-ହରିୟାଣାର ପ୍ରାୟ 40 ହଜାର ମହିଳା କୃଷି ଆଇନକୁ ବିରୋଧ କରିବା ସହ କୃଷକ ଆନ୍ଦୋଳନର ନେତୃତ୍ୱ ନେବା ଲାଗି ଦିଲ୍ଲୀ ପହଞ୍ଚିଛନ୍ତି । ଦିଲ୍ଲୀର ବିଭିନ୍ନ ସୀମାରେ ହେଉଥିବା କୃଷକ ଆନ୍ଦୋଳନରେ ସାମିଲ ହେବା ଲାଗି ମହିଳା ମାନେ ଟ୍ରାକ୍ଟରରେ ଆସୁଥିବାର ଦେଖିବାକୁ ମିଳିଛି ।

ଆଜି ବିଶ୍ୱ ମହିଳା ଦିବସରେ ଏହି ମହିଳା ମାନେ ଆନ୍ଦୋଳନସ୍ଥଳଗୁଡ଼ିକରେ ମଞ୍ଚ ସମ୍ଭାଳିବେ । କୃଷି ଓ ସାଧାରଣ ଜୀବନରେ ମହିଳାମାନଙ୍କ ଭୂମିକାକୁ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି କୃଷକ ନେତାମାନେ କହିଛନ୍ତି ।
ଜଣେ ମହିଳା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ତିନୋଟି କଳା ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଛି । ଟିକରୀ, ସିଙ୍ଗୁ ଏବଂ ଗାଜିପୁର ସୀମାରେ କୃଷକମାନେ ପ୍ରାୟ 100 ଦିନ ଧରି କୃଷି ନିୟମକୁ ବିରୋଧ କରିଆସୁଛନ୍ତି ।
କୃଷକ ସଙ୍ଗଠନର ନେତାମାନେ କହିଛନ୍ତି ଯେ, ସମ୍ପୃକ୍ତ ମହିଳାମାନେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବା ପରେ ପିଲା, କ୍ଷେତବାଡ଼ି ଓ ପରିବାରର ବୟୋବୃଦ୍ଧମାନଙ୍କର ସେବାଯତ୍ନ କରିବା ଲାଗି ଘରକୁ ଫେରିଯିବେ ।
ସୂଚନାଯୋଗ୍ୟ, ବିଶ୍ୱ ମହିଳା ଦିବସରେ ମହିଳାମାନେ କୃକ ଆନ୍ଦୋଳନର ନେତୃତ୍ୱ ନେବେ ବୋଲି କୃଷକ ସଙ୍ଗଠନ ପୂର୍ବରୁ ମଧ୍ୟ ଘୋଷଣା କରିଥିଲେ ।












Click it and Unblock the Notifications