ଜାମ୍ମୁ କାଶ୍ମୀରରେ ଥମୁନି ଟାର୍ଗେଟ୍ କିଲିଂ, ଶୋପିଆନରେ ଉତ୍ତରପ୍ରଦେଶର 2 ଶ୍ରମିକଙ୍କୁ ହତ୍ୟା
ଉତ୍ତରପ୍ରଦେଶର କନ୍ନୌଜର ଦୁଇଜଣ ଶ୍ରମିକଙ୍କୁ ହରମାନ ଅଞ୍ଚଳରେ ହତ୍ୟା କରାଯାଇଛି । ଏହି ଦୁଇ ଶ୍ରମିକ ଟିଣ ସେଡରେ ଶୋଇଥିବା ସମୟରେ ଆତଙ୍କୀ ଗ୍ରେନେଡ ଆକ୍ରମଣ କରିଥିଲେ ।
କାଶ୍ମୀର : ଜାମ୍ମୁ କାଶ୍ମୀରରେ ଟାର୍ଗେଟ୍ କିଲିଂ ମାମଲା ଥମିବାର ନାଁ ନେଉନି । ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିବାର କିଛି ଦିନ ପରେ ବାହାର ରାଜ୍ୟର ଲୋକଙ୍କୁ ପୁଣି ଟାର୍ଗେଟ କରାଯାଇଛି । ଆତଙ୍କବାଦୀମାନେ ପୁଣି ଥରେ ଶୋପିଆନରେ ଟାର୍ଗେଟ କିଲିଂ କରିଛନ୍ତି । ଉତ୍ତରପ୍ରଦେଶର କନ୍ନୌଜର ଦୁଇଜଣ ଶ୍ରମିକଙ୍କୁ ହରମାନ ଅଞ୍ଚଳରେ ହତ୍ୟା କରାଯାଇଛି । ଏହି ଦୁଇ ଶ୍ରମିକ ଟିଣ ସେଡରେ ଶୋଇଥିବା ସମୟରେ ଆତଙ୍କୀ ଗ୍ରେନେଡ ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ, ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ମଙ୍ଗଳବାର ଦିନ ଶୋପିଆନ୍ ଗସ୍ତ କରୁଛନ୍ତି, ଏହା ପୂର୍ବରୁ ଆତଙ୍କବାଦୀମାନେ ଏହି ଘଟଣା ଘଟାଇଛନ୍ତି ।
ମଙ୍ଗଳବାର ସକାଳେ କାଶ୍ମୀର ଜୋନ ପୋଲିସ ଏକ ଟ୍ୱିଟ୍ ଜରିଆରେ କହିଛି, "ଆତଙ୍କବାଦୀମାନେ ଶୋପିଆନର ହରମାନ ଅଞ୍ଚଳରେ ଗ୍ରେନେଡ ମାଡ଼ କରିଛନ୍ତି । ଏଥିରେ ଉତ୍ତର ପ୍ରଦେଶ କନ୍ନୌଜ ର ମନୀଷ କୁମାର ଏବଂ ରାମ ସାଗର ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗ୍ରେନେଡ ଆକ୍ରମଣରେ ଉଭୟ ପ୍ରଥମେ ଆହତ ହୋଇଥିଲେ, ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସା ସମୟରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଆମେ ଏହି ଅଞ୍ଚଳକୁ କର୍ଡନ କରିଛୁ ।"
ଅନ୍ୟ ଏକ ଟ୍ୱିଟରେ ପୋଲିସ କହିଛି ଯେ ଗ୍ରେନେଡ ଫିଙ୍ଗିଥିବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏହି ଆତଙ୍କବାଦୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବା ର ଥିଲା । ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ ଏହି ଘଟଣା ପରେ ଆମେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ଆତଙ୍କବାଦୀ ଇମ୍ରାନ ବଶିର ଘାନିଙ୍କୁ ଗିରଫ କରିଥିଲୁ । ଆତଙ୍କବାଦୀଙ୍କୁ ପଚରାଉଚରା କରାଯାଉଛି । ଅଧିକ ଅନୁସନ୍ଧାନ ଏବଂ ଚଢାଉ ଜାରି ରହିଛି ।
ତିନି ଦିନ ମଧ୍ୟରେ ଶୋପିଆନରେ ଟାର୍ଗେଟ୍ କିଲିଂର ଏହା ହେଉଛି ଦ୍ୱିତୀୟ ଘଟଣା । ଅକ୍ଟୋବର 15 ରେ, କାଶ୍ମୀରୀ ପଣ୍ଡିତ ପୁରନ କୃଷ୍ଣ ଭଟ୍ଟଙ୍କୁ ତାଙ୍କ ଘର ନିକଟରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୁରନ କୃଷ୍ଣ ଭଟ୍ଟ ଶୋପିଆନରେ ରହୁଥିଲେ ଏବଂ ସେ କେବେ ସ୍ଥାନାନ୍ତର ହୋଇନଥିଲେ ।












Click it and Unblock the Notifications