ରାଷ୍ଟ୍ରପତି ଶାସନ ଲାଗୁ ନେଇ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ; କହିଲେ, ଅଧିକ ଯୁକ୍ତି କଲେ ଲାଗିବ ଜରିମାନା
ଉତ୍ତର ପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ଦାଖଲ ହୋଇଥିବା ପିଟିସନ୍ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପିଟିସନକୁ ଖାରଜ କରିବା ସହ ଅଧିକ ଯୁକ୍ତି କଲେ ସେମାନଙ୍କ ଉପରେ ଜରିମାନା ଲାଗୁ କରାଯିବ ବୋଲି କହିଥିଲେ ସୁପ୍ରିମକୋର୍ଟ ।
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ଦାଖଲ ହୋଇଥିବା ପିଟିସନ୍ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଉତ୍ତର ପ୍ରଦେଶରେ ସାମ୍ବିଧାନିକ ବ୍ୟବସ୍ଥା ଧ୍ବଂସ ହୋଇଯାଇଥିବା ଏବଂ ଅପରାଧ ବୃଦ୍ଧି ପାଉଥିବା ଦର୍ଶାଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅନୁରୋଧ କରି ସୁପ୍ରିମକୋର୍ଟରେ ଏହି ପିଟିସନ୍ ଦାୟର ହୋଇଥିଲା । ଏହାର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଏପରି ପିଟିସନ ପାଇଁ ଆବେଦନକାରୀ ଏବଂ ତାଙ୍କ ଓକିଲଙ୍କ ଉପରେ ଜରିମାନା ଲାଗୁ କରିପାରନ୍ତି । ଏହି ଆବେଦନର ଶୁଣାଣି ବେଳେ କୋର୍ଟ ରାଜ୍ୟଗୁଡ଼ିକର ଅପରାଧ ତଥ୍ୟ ସମ୍ପର୍କିତ ଗବେଷଣା ସହ ଜଡ଼ିତ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ ।

ପ୍ରଧାନ ବିଚାରପତି ଏସ.ଏ. ବୋବଡେ, ବିଚାରପତି ଏ. ଏସ. ବୋପାନ୍ନା ଏବଂ ବିଚାରପତି ଭି. ରାମାସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଓ ତାଙ୍କ ଓକିଲ ସି. ଆର. ଜୟା ସୁକିନଙ୍କୁ କହିଥିଲେ ଯେ, ସେମାନେ ଯେଉଁ ଦାବି କରୁଛନ୍ତି ତାହା କୌଣସି ଗବେଷଣା ଆଧାରରେ ହୋଇନାହିଁ । ଏପରି କି ସେମାନଙ୍କ ମୌଳିକ ଅଧିକାରର ଉଲ୍ଲଂଘନ କିପରି ହେଉଛି ବୋଲି ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ।
ସୁକିନ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଏବଂ ଜାତୀୟ ମାନବାଧିକାର ଆୟୋଗ (ଏଚଏନଆରସି) ତଥ୍ୟକୁ ଦର୍ଶାଇ କହିଥିଲେ ଯେ, ସେମାନେ ଏହା ଉପରେ ଗବେଷଣା କରିଛନ୍ତି ଏବଂ ଉତ୍ତର ପ୍ରଦେଶରେ ଅପରାଧର ଗ୍ରାଫ୍ ବୃଦ୍ଧି ପାଇଛି । ଏହା ପରେ ଆପଣ କେତୋଟି ରାଜ୍ୟରେ ଅପରାଧ ତଥ୍ୟ ଉପରେ ଅଧ୍ୟୟନ କରିଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ଅନ୍ୟ ରାଜ୍ୟଗୁଡ଼ିକରେ ଅପରାଧ ରେକର୍ଡ ଉପରେ କେଉଁ ଆଧାରରେ ଏବଂ କ'ଣ ଗବେଷଣା କରିଛନ୍ତି, ଏହାକୁ କୋର୍ଟ ସମ୍ମୁଖରେ ଦାଖଲ କରିବାକୁ ଖଣ୍ଡପୀଠ କହିଥିଲେ ।
ଆବେଦନକାରୀଙ୍କ ଦ୍ୱାରା କରାଯାଇଥିବା ସର୍ଭେର ଭିତ୍ତିହୀନ । ପିଟିସନକୁ ଖାରଜ କରିବା ସହ ଅଧିକ ଯୁକ୍ତି କଲେ ସେମାନଙ୍କ ଉପରେ ଜରିମାନା ଲାଗୁ କରାଯିବ ବୋଲି କହିଥିଲେ ସୁପ୍ରିମକୋର୍ଟ ।












Click it and Unblock the Notifications