ଯୋଶୀମଠ ମାଟି ଦବିବା ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମ କୋର୍ଟ
ଉତ୍ତରାଖଣ୍ଡର ଯୋଶୀମଠରେ ଭୂମି ଦବିବା ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମ କୋର୍ଟ ।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଯୋଶୀମଠରେ ଭୂମି ଦବିବା ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମ କୋର୍ଟ । ଯୋଶୀମଠ ମରାମତି କାମ କରିବା ଏବଂ ଆଶ୍ୱସ୍ତି ପ୍ରଦାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ନେଇ ହୋଇଥିବା ଆବେଦନରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମ କୋର୍ଟ । ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ଆବେଦନ ସହ ଉତ୍ତରାଖଣ୍ଡ ହାଇକୋର୍ଟ ଯିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏହି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ସେ ଏହି ଆବେଦନ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଶୁଣାଣି ସମୟରେ ଉତ୍ତରାଖଣ୍ଡ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଜାରି ରହିଛି ।
ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଯୋଶୀମଠରେ ଭୂମି ଦବୁଥିବା ଅଞ୍ଚଳରେ ଲୋକଙ୍କ ଥଇଥାନ ଏବଂ ସେମାନଙ୍କ ସମ୍ପତ୍ତି ବୀମା କରାଇବା ନେଇ ଦାବି କରିଥିଲେ । ଏଥିସହ ସେ ତପୋଭାନ-ବିଷ୍ଣୁଗଡ ବିଦ୍ୟୁତ ପ୍ରକଳ୍ପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ କହିଛନ୍ତି 12 ଜାନୁଆରୀରେ ହାଇକୋର୍ଟ ଏକ ଆଦେଶ ପାରିତ କରିଛନ୍ତି । ହାଇକୋର୍ଟ ବିଶେଷଜ୍ଞ କମିଟିର ଗଠନ ଉପରେ ଜବାବ ମାଗିଛନ୍ତି । ଯୋଶୀମଠରେ ବର୍ତ୍ତମାନ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ସରକାର ଏବଂ ଏନଟିପିସିକୁ ନିର୍ଦ୍ଦେଶ ଦିଆଯାଇଛି ।
ସୁପ୍ରିମକୋର୍ଟ ଏହା ପୂର୍ବରୁ ମଧ୍ୟ ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ମନା କରିଥିଲେ । ଏହା ପୂର୍ବରୁ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଥିରଲେ ଯେ 'ପ୍ରତ୍ୟେକ ମାମଲାର ଶୀଘ୍ର ଶୁଣାଣି ହୋଇପାରିବ ନାହିଁ, ଏହି ମାମଲାଗୁଡ଼ିକ ପାଇଁ ଗଣତାନ୍ତ୍ରିକ ଅନୁଷ୍ଠାନ ଅଛି, ସେମାନେ ଏ ଦିଗରେ କାମ କରୁଛନ୍ତି ।' ଏହା ପରେ ଜାନୁଆରୀ 16 ରେ ଯୋଶୀମଠ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା ।












Click it and Unblock the Notifications