କରୋନା ଭ୍ୟାକ୍ସିନକୁ ନେଇ ସରିଲା ଯୁଦ୍ଧ : ମିଳିତ ଭାବେ କାମ କରିବା ନେଇ ବାୟୋଟେକ୍ ଏବଂ ସେରମ୍ ଦେଲେ ମିଳିତ ବିବୃତ୍ତି
'ଲୋକ ଏବଂ ଦେଶ ପାଇଁ ଟୀକାକରଣର ମହତ୍ତ୍ୱ ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ଅବଗତ । ଆମର କୋଭିଡ -19 ଟିକାକୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ପାଇଁ ଆମର ମିଳିତ ପ୍ରତିଶ୍ରୁତି ବିଷୟରେ କହୁଛୁ ।'
ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଦୁଇଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍କୁ ଜରୁରିକାଳୀନ ବ୍ୟବହାରକୁ ଭାରତ ସରକାର ଅନୁମୋଦନ କରିଛନ୍ତି । ଏହା ପରେ କୋଭିଶିଲ୍ଡ ତିଆରି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଏବଂ କୋଭାକ୍ସିନର ଭାରତ ବାୟୋଟେକ ମଧ୍ୟରେ ବିବାଦ ଦେଖାଦେଇଥିଲା । କିନ୍ତୁ ବର୍ତ୍ତମାନ ଏହି ଦୁଇ କମ୍ପାନୀ ମିଳିତ ବିବୃତ୍ତି ଜାରି କରି ବିବାଦର ଅନ୍ତ ଘଟାଇଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଦାର ପୁନାୱାଲା ଏବଂ ଭାରତ ବାୟୋଟେକର ସଭାପତି ଡ଼ କୃଷ୍ଣା ଇଲା ମିଳିତ ଭାବେ ଏହି ବିବୃତ୍ତି ଦେଇଛନ୍ତି ।

ମିଳିତ ବିବୃତ୍ତିରେ ଦୁଇ କମ୍ପାନୀ କହିଛନ୍ତି, 'ଲୋକ ଏବଂ ଦେଶ ପାଇଁ ଟୀକାକରଣର ମହତ୍ତ୍ୱ ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ଅବଗତ । ଆମର କୋଭିଡ -19 ଟିକାକୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇଦେବା ପାଇଁ ଆମର ମିଳିତ ପ୍ରତିଶ୍ରୁତି ବିଷୟରେ କହୁଛୁ ।' ଦୁଇ କମ୍ପାନୀ ସମଗ୍ର ଦେଶରେ କରୋନା ଟିକା ବିତରଣ ପାଇଁ ପ୍ରୟାସ ବିଷୟରେ କହିଛନ୍ତି । ଦୁଇ କମ୍ପାନୀ ସେମାନଙ୍କ ବିବୃତ୍ତିରେ କହିଛନ୍ତି ଯେ, ଅଦାର ପୁନାୱାଲା ଏବଂ ଡ଼ କୃଷ୍ଣା ଇଲ୍ଲା ଦେଶରେ କରୋନା ଟିକା ପ୍ରସ୍ତୁତ, ଯୋଗାଣ ଏବଂ ପରିବହନ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏହି ସମୟରେ ଉଭୟ ଅନୁଷ୍ଠାନ ପାଇଁ ଭାରତ ଏବଂ ବିଶ୍ୱର ଲୋକଙ୍କ ଜୀବନ ବଞ୍ଚାଇବା ଏକ ବଡ ଲକ୍ଷ୍ୟ ।
କଣ ରହିଥିଲା ବିବାଦ
ଅଦାର ପୁନାୱାଲା ଅତୀତରେ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଉପରେ ପ୍ରଶ୍ନ କରିଥିଲେ ଏବଂ ଏହାର ଅନୁମୋଦନକୁ ମଧ୍ୟ ବିରୋଧ କରିଥିଲେ । ଯାହା ପରେ ଅକ୍ସଫୋର୍ଡ-ସେରମ୍ ର କୋଭିଶିଲ୍ଡ ବିଷୟରେ ଭାରତ ବାୟୋଟେକ୍ ତରଫରୁ ଏକ ଦୃଢ ପ୍ରତିକ୍ରିୟା ଆସିଥିଲା । ରବିବାର ଦିନ ଏକ ଟିଭି ସାକ୍ଷାତକାରରେ ଅଦାର ପୁନାୱାଲା କହିଛନ୍ତି ଯେ, କେବଳ ତିନୋଟି ଟିକା ଫଳପ୍ରଦ ପ୍ରମାଣିତ ହୋଇଛି - ଫାଇଜର, ମୋଡର୍ନା ଏବଂ ଅକ୍ସଫୋର୍ଡ - ଆଷ୍ଟ୍ରା ଜେନେକା, ବାକି ସବୁ ପାଣି ପରି ସୁରକ୍ଷିତ ।
ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତ ବାୟୋଟେକର ପ୍ରତିଷ୍ଠାତା ତଥା ସଭାପତି ଡ଼ କୃଷ୍ଣା ଇଲ୍ଲା ସୋମବାର କହିଛନ୍ତି ଯେ 'ଆମେ 200 ପ୍ରତିଶତ ସଚ୍ଚୋଟ କ୍ଲିନିକାଲ ପରୀକ୍ଷା କରିଛୁ ଏବଂ ଏବେ ମଧ୍ୟ ସମାଲୋଚିତ ହେଉଛୁ । ଯଦି ମୁଁ ଭୁଲ ତେବେ ମତେ କୁହନ୍ତୁ । କିଛି କମ୍ପାନୀ ଆମକୁ (ଆମର ଟିକା) 'ଜଳ' ବୋଲି ସମାଲୋଚନା କରିଛନ୍ତି । ମୁଁ ଏହାକୁ ଅସ୍ୱୀକାର କରୁଛି । ଆମେ ବୈଜ୍ଞାନିକ । କୋଭାକ୍ସାଇନ୍ ଏକ ବ୍ୟାକଅପ୍ ନୁହେଁ । ଏହି ଟିକାକୁ ନେଇ କିଛି ଲୋକଙ୍କ ଦ୍ୱାରା ରାଜନୀତି କରାଯାଉଛି । ଏହା ଉପରେ କୌଣସି ରାଜନୀତି ହେବା ଉଚିତ୍ ନୁହେଁ ।'












Click it and Unblock the Notifications