ସେରୋ ସର୍ଭେ : ମଧ୍ୟପ୍ରଦେଶରେ ସର୍ବାଧିକ 79 ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି, ତାଲିକାରେ ସର୍ବନିମ୍ନ କେରଳ
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ଜୁନ୍ 14 ରୁ ଜୁଲାଇ 6 ମଧ୍ୟରେ କରାଯାଇଥିବା ଏହି ସେରୋ ସର୍ଭେରେ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶରେ କରୋନା ଭାଇରସ୍ ଆଣ୍ଟିବଡି ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ : କରୋନା ଭାଇରସର ଦୈନିକ ସଂକ୍ରମଣ ବୃଦ୍ଧି ହେତୁ ମହାମାରୀର ତୃତୀୟ ଲହରର ଭୟ ପୁଣି ବଢିଛି । ଯଦିଓ ଏହି ସମୟରେ ଅଧିକାଂଶ ସଂକ୍ରମଣ କେରଳରେ ମିଳୁଛି, କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାକି ରାଜ୍ୟମାନେ ମଧ୍ୟ ସତର୍କ ହୋଇଯାଇଛନ୍ତି । ଏହି ସମୟରେ, ଦେଶର 11 ଟି ରାଜ୍ୟରେ କରାଯାଇଥିବା ଚତୁର୍ଥ ସେରୋ ସର୍ଭେରେ ଆଶ୍ଚର୍ଯ୍ୟଜନକ ଫଳାଫଳ ଆସିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ଜୁନ୍ 14 ରୁ ଜୁଲାଇ 6 ମଧ୍ୟରେ କରାଯାଇଥିବା ଏହି ସେରୋ ସର୍ଭେରେ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶରେ କରୋନା ଭାଇରସ୍ ଆଣ୍ଟିବଡି ଦେଖିବାକୁ ମିଳିଛି ।

ଚତୁର୍ଥ ସେରୋ ସର୍ବେକ୍ଷଣର ଫଳାଫଳ ଅନୁଯାୟୀ ମଧ୍ୟପ୍ରଦେଶ ଏହି ତାଲିକାରେ ଶୀର୍ଷରେ ଅଛି ଏବଂ ସେଠାରେ 79% ଲୋକଙ୍କ ମଧ୍ୟରେ କରୋନା ଭାଇରସ ଆଣ୍ଟିବଡି ମିଳିଛି । କେରଳରେ, କେବଳ 44.4 ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା ଆଣ୍ଟିବଡି ମିଳିଥିଲା ଏବଂ ଏହା ତାଲିକାର ନିମ୍ନରେ ଅଛି । ଏହା ବ୍ୟତୀତ ଆସାମର 50.3 ପ୍ରତିଶତ ଲୋକ ଏବଂ ମହାରାଷ୍ଟ୍ରର 58 ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭାଇରସ ଆଣ୍ଟିବଡି ବିକଶିତ ହୋଇଥିବା ପରିଲକ୍ଷିତ ହୋଇଛି । ଉଲ୍ଲେଖନୀୟ ଯେ, ଏହି ସର୍ଭେ ଦେଶର 70 ଟି ଜିଲ୍ଲାରେ ଆଇସିଏମଆର ଦ୍ୱାରା କରାଯାଇଥିଲା, ଯାହାର ଫଳାଫଳ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଥିଲା ।
କ'ଣ ରହିଛି ଅନ୍ୟ ରାଜ୍ୟର ସେରୋ ସର୍ଭେ ଫଳାଫଳ ?
ଯଦି ଆମେ ବାକି ରାଜ୍ୟ ବିଷୟରେ ଆଲୋଚନା କରିବା, ତେବେ ରାଜସ୍ଥାନରେ 76.2 ପ୍ରତିଶତ, ବିହାରରେ 75.9 ପ୍ରତିଶତ, ଗୁଜୁରାଟରେ 75.3 ପ୍ରତିଶତ, ଛତିଶଗଡରେ 74.6 ପ୍ରତିଶତ, ଉତ୍ତରପ୍ରଦେଶରେ 73.1 ପ୍ରତିଶତ, ଉତ୍ତରପ୍ରଦେଶରେ 71 ପ୍ରତିଶତ, ଆନ୍ଧ୍ରପ୍ରଦେଶରେ 70.2 ପ୍ରତିଶତ, 69.8 ପ୍ରତିଶତ କର୍ଣ୍ଣାଟକରେ, ତାମିଲନାଡୁର 69.2 ପ୍ରତିଶତ ଲୋକ ଏବଂ ଓଡିଶାରେ 68.1 ପ୍ରତିଶତ ଲୋକଙ୍କ ଶରୀରେ କରୋନା ବିରୁଦ୍ଧରେ ଆଣ୍ଟିବଡି ମିଳିଛି ।
ଏହି ଫଳାଫଳ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଆଇସିଏମଆରଙ୍କ ପରାମର୍ଶ ନେଇ ସ୍ଥାନୀୟ ସ୍ତରରେ ସେରୋ ସର୍ଭେ ଜାରି ରଖିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି, ଯାହା ଦ୍ୱାରା ରାଜ୍ୟ ସ୍ତରରେ କରୋନା ବିରୋଧରେ ଦୃଢ ପଦକ୍ଷେପ ନିଆଯାଇପାରିବ ।
ଏହି ସେରୋ ସର୍ଭେରେ ଓଡ଼ିଶାର 3ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ହାରାହାରି 65 ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିବା ଜଣାପଡ଼ିଥିଲା । କିନ୍ତୁ କେନ୍ଦ୍ର ସରକାର ଜାରି କରିଥିବା ଚୂଡ଼ାନ୍ତ ରିପୋର୍ଟରେ ମୋଟ୍ 68.1 ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଛି । ସ୍ୱାସ୍ଥ୍ୟକର୍ମୀଙ୍କଠାରେ ସର୍ବାଧିକ 85 ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଏହି ତିନି ଜିଲ୍ଲାରେ ଯାଥାକ୍ରମେ ଗଞ୍ଜାମ 70.9 ପ୍ରତିଶତ, ରାୟଗଡ଼ା 63 ପ୍ରତିଶତ, କୋରାପୁଟରେ 61 ପ୍ରତିଶତ ଲୋକଙ୍କ ଠଆରେ ଆଣ୍ଟିବଡି ବିକଶିତ ହୋଇଛି ।












Click it and Unblock the Notifications