ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକଙ୍କ ଦେହାନ୍ତ
ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକଙ୍କର ଦେହାନ୍ତ ହୋଇଛି । ସେ 78 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକଙ୍କର ଦେହାନ୍ତ ହୋଇଛି । ସେ 78 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭାରତୀୟ ସାମ୍ବାଦିକତା ଜଗତର ଅନ୍ୟତମ ଜଣାଶୁଣା ଚେହେରା ବେଦ ପ୍ରତାପ ବୈଦିକଙ୍କୁ ଘରର ବାଥରୁମରେ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା, ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ବାଥରୁମରେ ପଡ଼ି ଯାଇଥିଲେ । ଦୀର୍ଘ ସମୟ ଧରି ବାହାରକୁ ନ ଆସିବାରୁ କବାଟ ଭାଙ୍ଗି ଦେଖିବାରୁ ସେ ଚେତାଶୂନ୍ୟ ହୋଇପଡିଥିଲେ । ଏହା ପରେ ତାଙ୍କୁ ଶୀଘ୍ର ଘର ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ବେଦ ପ୍ରତାପ ବୈଦିକ ଜଣେ ରାଜନୈତିକ ବିଶ୍ଳେଷକ ତଥା ସ୍ୱାଧୀନ ସ୍ତମ୍ଭକାର ଥିଲେ । ସେ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ହିନ୍ଦୀ ନ୍ୟୁଜ୍ ଏଜେନ୍ସି ଭାଷାର ପ୍ରତିଷ୍ଠାତା-ସମ୍ପାଦକ ଭାବରେ ଜଡିତ ଥିଲେ । ସେ ଟାଇମ୍ସ ଗ୍ରୁପ୍ର ନବଭାରତ ଟାଇମ୍ସରେ ସମ୍ପାଦକ ଥିଲେ । ସେ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସଇଦର ସାକ୍ଷାତକାର ନେଇ ଚର୍ଚ୍ଚାର ବିଷୟ ପାଲଟିଥିଲେ ।
ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକ 30 ଡିସେମ୍ବର 1944 ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ । ସେ ଜେଏନୟୁରୁ ଆନ୍ତର୍ଜାତୀୟ ରାଜନୀତିରେ ପିଏଚଡି କରିଥିଲେ । ବୈଦିକ ବର୍ତ୍ତମାନ ଭାରତୀୟ ଭାଷା ସମ୍ମିଳନୀ ଏବଂ ଭାରତୀୟ ବୈଦେଶିକ ନୀତି ପରିଷଦର ସଭାପତି ଥିଲେ ।












Click it and Unblock the Notifications