ସମଲିଙ୍ଗୀ ବିବାହ ମାମଲାରେ ନୂତନ ଆଫିଡେଭିଟ୍ ଦାଖଲ କଲା କେନ୍ଦ୍ର, ରାଜ୍ୟ ପରାମର୍ଶ ନେବାକୁ କଲା ଦାବି
ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନଗତ କରିବାକୁ ଆବେଦନ ଉପରେ ଆଜିବି ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । ଏହି ସମୟରେ, କେନ୍ଦ୍ର ଏହି ପ୍ରସଙ୍ଗରେ ଏକ ନୂତନ ଆଫିଡେଭିଟ୍ ଦାଖଲ କରିଛି । ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏହି ପ୍ରସଙ୍ଗରେ ଏକ ପକ୍ଷ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ଆଇନ ସଠିକ୍ ଭାବେ ପ୍ରସ୍ତୁତ ହୋଇପାରିବ ।

କେନ୍ଦ୍ର କହିଛି ଯେ ଏହା ସ୍ପଷ୍ଟ ଯେ ରାଜ୍ୟମାନଙ୍କ ସହିତ ପରାମର୍ଶ ନକରି ଏହି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିବା ନିଷ୍ପତ୍ତି ଉପରେ ପ୍ରଭାବ ପକାଇପାରେ । ବିଭିନ୍ନ ରାଜ୍ୟ ପ୍ରତିନିଧୀ ବିଧାନସଭା ମାଧ୍ୟମରେ ଏହି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିସାରିଛନ୍ତି, ତେଣୁ ସେମାନଙ୍କୁ ପକ୍ଷଭୁକ୍ତ କରିବା ଆବଶ୍ୟକ ।
କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଭାରତୀୟ ସମ୍ବିଧାନର ସପ୍ତମ ସୂଚୀରେ ବିବାହ ସାମିଲ ଅଛି । ତେଣୁ, ଆବେଦନଗୁଡିକର ବିଚାର ପାଇଁ ସମସ୍ତ ରାଜ୍ୟ ସହିତ ପରାମର୍ଶ ଏକାନ୍ତ ଆବଶ୍ୟକ ।
ଅନ୍ୟପକ୍ଷରେ ମଙ୍ଗଳବାର ଦିନ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା । ସମଲିଙ୍ଗୀ ବିବାହ ଉପରେ ସଂସଦରେ ଆଇନ ପ୍ରଣୟନ କରିବାକୁ ଦାବି କରୁଥିବାବେଳେ ସୁପ୍ରିମକୋର୍ଟ ବର୍ତ୍ତମାନ ଶୁଣାଣିରୁ ଓହରିଯିବାକୁ ପ୍ରସ୍ତୁତ ନୁହଁନ୍ତି ।
କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଉତ୍ତରରେ କୁହାଯାଇଛି ଯେ ଭାରତରେ ବିବାହ କେବଳ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବନ୍ଧନ ଅଟେ । ଭାରତରେ ବିବାହର ଅର୍ଥ କେବେ ସମଲିଙ୍ଗୀ ବିବାହ ନୁହେଁ । ହିନ୍ଦୁ କିମ୍ବା ମୁସଲମାନ ନିୟମରେ ସମଲିଙ୍ଗୀ ବିବାହ ବିଷୟରେ କୌଣସି ଉଲ୍ଲେଖ ନାହିଁ । କେନ୍ଦ୍ର କହିଛି ଯେ ରାଜ୍ୟକୁ ନ ପଚାରି ଏହା ଉପରେ ନିଷ୍ପତ୍ତି ନେବା ବିବାଦ ସୃଷ୍ଟି କରିପାରେ । ଏହା ଏକ ସଂପୂର୍ଣ୍ଣ ସାମାଜିକ ବିଷୟ, ତେଣୁ ଏହାର ସମ୍ବେଦନଶୀଳତାକୁ ବୁଝିବାକୁ ହେବ ।
ସମଲିଙ୍ଗୀ ବିବାହ ମାମଲାରେ ପ୍ରତ୍ୟେକ ଧର୍ମକୁ ଦର୍ଶାଇ କେନ୍ଦ୍ର କହିଛି ଯେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ପାର୍ସୀ ନିୟମରେ ମହିଳା, ପୁରୁଷ, ସ୍ୱାମୀ, ସ୍ତ୍ରୀ ଭଳି ଶବ୍ଦ ବ୍ୟବହାର କରାଯାଇଛି । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦିଆଯିବ ବୋଲି ଏହି ନିୟମଗୁଡ଼ିକରେ କଦାପି ଧାରଣା କରାଯାଇ ନଥିଲା ।












Click it and Unblock the Notifications