ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି ରାହୁଲ, କାଦୁଅ ବିଲରେ ପଶି ଧାନ ରୋଇଲେ କଂଗ୍ରେସ ନେତା
ନୂଆଦିଲ୍ଲୀ: କେତେବେଳେ ଭାରତ ଯୋଡୋ ଯାତ୍ରା କରି ସାଧାଣ ଲୋକଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ସହ ମିଶୁଛନ୍ତି ତ କେତେବେଳେ କଲେଜ କ୍ୟାଣ୍ଟିନରେ ବସି ଛାତ୍ରଙ୍କ ସହ ଆଲୋଚନା କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ଯୋଡୋ ଯାତ୍ରା ପରେ କର୍ଣ୍ଣାଟକ ନିର୍ବାଚନରେ ବିଜୟ ହାସଲ କରି ବର୍ତ୍ତମାନ କମନ୍ ମ୍ୟାନ୍ ଅବତାରରେ ଦେଖିବାକୁ ମିଳୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ବର୍ତ୍ତମାନ କାଦୁଅ ବିଲରେ ପଶି ଧାନ ରୋଇଛନ୍ତି ରାହୁଲ । ହରିୟାଣାର ସୋନିପତର ଏକ ଗାଁରେ ପହଞ୍ଚି ଅନ୍ୟ ଚାଷୀଙ୍କ ସହ ମିଶି ଧାନ ରୋଇଥିବା ନଜର ଆସିଛନ୍ତି ରାହୁଲ । ସୂଚନା ଅନୁସାରେ, ରାହୁଲ ହିମାଚଳ ପ୍ରଦେଶ ଯାଉଥିଲେ । ରାସ୍ତାରେ ଚାଷୀଙ୍କୁ ଧାନ କ୍ଷେତ ରୋଉଥିବାର ଦେଖି ନିଜେ ସେମାନଙ୍କ ପାଖରେ ପହଞ୍ଚିଥିଲେ । ପିନ୍ଧିଥିବା ଫୁଲ୍ ପ୍ୟାଣ୍ଟ ଫୋଲ୍ଡ କରି ଚାଷ କ୍ଷେତକୁ ଓହ୍ଲାଇଥିଲେ । ନିଜେ ଧାନ ରୋଇବା ସହ ଟ୍ରାକ୍ଟର ଚଲାଇଥିଲେ । ଚାଷୀଙ୍କ ହାଲଚାଲ ପଚାରି ବୁଝିଥିଲେ । ହଠାତ୍ ରାହୁଲଙ୍କୁ ନିଜ ପାଖରେ ପାଇ ଖୁସି ହୋଇଯାଇଥିଲେ ଚାଷୀ ।
ଗତ କିଛି ଦିନ ହେବ ରାହୁଲ ବିନା ସିକ୍ୟୁରିଟିରେ ସାଧାରଣ ଲୋକଙ୍କ ମେଳରେ ରହୁଛନ୍ତି । ଗତ କିଛି ଦିନ ପୂର୍ବେ ରାହୁଲ ଦିଲ୍ଲୀର କନ୍ନଟ ପ୍ଲେସରେ ହଠାତ୍ ପହଞ୍ଚି ଚାଟ୍ ଗୁପଚୁପ୍ ଖାଇଥିଲେ, ହଠାତ୍ ଟ୍ରକରେ ଚଢି ଯାତ୍ରା କରିଥିଲେ । ଏପରିକି ଦିଲ୍ଲୀର କାରୋଲବାଗରେ ଥିବା ଏକ ଗ୍ୟାରେଜ୍ ରେ ତଳେ ବସି ହାତରେ ରେଞ୍ଚି, ପେଚକସ୍ ଧରି ବାଇକ୍ ସଜାଡ଼ିଥିଲେ । ଦୁଇ ଚକିଆ ସଜାଡ଼ିବା ବେଳେ ସେ ବାଇକ୍ ମେକାନିକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ରାହୁଲଙ୍କୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ରାହୁଲ ମଧ୍ୟ ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତା କରିବା ସହ ସେମାନଙ୍କ ସମସ୍ୟା ବିଷ୍ୟରେ ଆଲୋଚନା କରିଥିଲେ ।
ଆପଣଙ୍କୁ କହି ରଖୁଛୁ ଗତ କିଛି ଦିନ ହେବ ରାହୁଲଙ୍କ ଏପରି ଅନ୍ଦାଜ ଦେଖିବାକୁ ମିଳୁଛି । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲ ରାଲି ସମୟରେ ଜଣେ ଡେଲିଭରୀ ବୟଙ୍କ ମୋଟରସାଇକେଲରେ ଯିବା ସହ ସେମାନଙ୍କ ସହ ବସି ଜଳଖିଆ ଖାଇଥିଲେ । ଏପରିକି ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେହିପରି ରାହୁଲ ଏକ କଲେଜ କ୍ୟାଣ୍ଟିନରେ ହଠାତ୍ ପହଞ୍ଚି ଛାତ୍ରମାନଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।
କର୍ଣ୍ଣାଟକ ନିର୍ବାଚନ ବିଜୟକୁ ଭାରତ ଯୋଡ଼ୋ ଯାତ୍ରାର ଏକ ସଫଳତା ବୋଲି ବିବେଚନା କରାଯାଉଥିବା ବେଳେ ରାହୁଲ ଏବେ ଆହୁରି ସକ୍ରିୟ ହୋଇ ଉଠିଛନ୍ତି ।












Click it and Unblock the Notifications