ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି : 2020 ମସିହା ଆମ ପାଇଁ ଶିକ୍ଷଣୀୟ
ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ଆମର ଜାତୀୟ ପର୍ବ, ସମସ୍ତ ନାଗରିକ, ଜାତୀୟ ପ୍ରେମ ଭାବନା ସହିତ ପାଳନ କରନ୍ତି ।
ନୂଆଦିଲ୍ଲୀ : ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ଆମର ଜାତୀୟ ପର୍ବ, ସମସ୍ତ ନାଗରିକ, ଜାତୀୟ ପ୍ରେମ ଭାବନା ସହିତ ପାଳନ କରନ୍ତି । ଗଣତନ୍ତ୍ର ଦିବସର ଜାତୀୟ ମହୋତ୍ସବ, ଆମେ ଆମର ଜାତୀୟ ପତାକା ଏବଂ ସମ୍ବିଧାନରେ ସମ୍ମାନ ଏବଂ ବିଶ୍ୱାସ ବ୍ୟକ୍ତ କରି ପୂର୍ଣ୍ଣ ଉତ୍ସାହ ସହିତ ପାଳନ କରୁ ।
2020 ମସିହା ସାରା ଦେଶବାସୀଙ୍କ ପାଇଁ ଶିକ୍ଷଣୀୟ । ଏହା ଆମକୁ ଏକଜୁଟ୍ ହେବା ସହ ମହାମାରୀ ସମୟରେ କିପରି ପ୍ରତିରୋଧ କରିବା ତାହା ଶିଖାଇଛି । ଏହା ପରବର୍ତ୍ତୀ ପିଢି ପାଇଁ ଏକ ଶିକ୍ଷା ଦେବା ସହ ଉଦାହରଣ ହୋଇ ରହିବ ବୋଲି କହିଛନ୍ତି ରାଷ୍ଚ୍ରପତି ରାମନାଥ କୋବିନ୍ଦ । 72ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ସୋମବାର ସନ୍ଧ୍ୟରେ ରାଷ୍ଚ୍ରପତି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କୋରନା ସମୟରେ ଦେଶର ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ମନେପକାଇବା ସହ ସେମାନଙ୍କ ତ୍ୟାଗ ଓ ସମର୍ପଣ ପାଇଁ ଧନ୍ୟବାଦ ଦେଇଛନ୍ତି ।
କରୋନା ସମୟରେ ନିଜ ପରିବାର ଠାରୁ ଦୂରରେ ରହି ଦେଶର ସ୍ୱାସ୍ଥ୍ୟକର୍ମୀମାନେ ନିରନ୍ତର ସେବା ଯୋଗାଇଥିବା ବେଳେ ଏହି ମହାମାରୀକୁ ମାତେ ଦେବା ପାଇଁ ବୈଜ୍ଞାନିକ ମାନେ ଟିକା ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ଦେଇଛନ୍ତି । ସେମାନଙ୍କର ତ୍ୟାଗ ଓ ପରିଶ୍ରମ ପାଇଁ ଆଜି ଭାରତକୁ ବିଶ୍ୱର ଫାର୍ମାସୀ ହବ୍ ବୋଲି କୁହାଯାଉଛି ବୋଲି କହିଛନ୍ତି ରାଷ୍ଚ୍ରପତି । ଆଜି ଭାରତ ବିଶ୍ୱର ଅନେକ ଦେଶକୁ ଟିକା ରପ୍ତାନି କରି ସାରା ବିଶ୍ୱରେ ପ୍ରଶଂସାର ପାତ୍ର ହୋଇପାରିଛି । ଏଥିପାଇଁ ସମସ୍ତ ବୈଜ୍ଞାନିକ ଓ ଡାକ୍ତରଙ୍କୁ ପ୍ରଶଂସା କରୁଛି ବୋଲି ଅଭିଭାଷଣରେ କହିଛନ୍ତି ରାମନାଥ ।

ଏହି ଅବସରରେ ସେ ଦେଶର ସୈନିକଙ୍କୁ ମନେପକାଇ ସେମାନଙ୍କର କର୍ତ୍ତବ୍ୟ ଓ ତ୍ୟାଗ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି । ଅଭିଭାଷଣରେ ସିଆଚିନ୍ ଓ ଗଲଓ୍ୱାନ ଘାଟି ଘଟଣାକୁ ଦୋହରାଇ କହିଛନ୍ତି, ଆମ ଦେଶର ବୀର ଯବାନ ମାନେ ମାଇନସ୍ 50 ରୁ 60 ଡିଗ୍ରୀ ସେଲସିୟସରେ ଥଣ୍ଡାରେ ଏବଂ ଜୈସେଲମେରରେ 50 ଡିଗ୍ରୀରୁ ଉପରକୁ ଗରମରେ ଦେଶର ସୀମାକୁ ଜଗି ଆମକୁ ସୁରକ୍ଷା ଦେଉଛନ୍ତି । ଆମ ବାର ସୈନିକଙ୍କ ତ୍ୟାଗ ଓ ସାହସିକତା ପାଇଁ ସାରା ଦେଶ ଗର୍ବିତ । ଦେଶର ସୀମାକୁ ଶତ୍ତୁ କବଳରୁ ରକ୍ଷା କରିବା ସମୟରେ ଗତ ବର୍ଷ ଭାରତୀୟ ସୀମାରେ 20ଜଣ ଯବାନ୍ ସହିଦ୍ ହୋଇଛନ୍ତି । ସେମାନଙ୍କ ତ୍ୟାଗ ପାଇଁ ଆମେ ଗର୍ବ ଅନୁଭବ କରିବା ସହ ସେମାନଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ ।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଦେଶର କୃଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି , ପ୍ରତିକୂଳ ପ୍ରାକୃତିକ ଅବସ୍ଥା ହେଉ ଅବା କୋଭିଡ୍ ମହାମାରୀ ସମୟରେ ଆମର କୃଷକ ଭାଇଭଉଣୀମାନେ ଖାଦ୍ୟଶସ୍ୟ ଉତ୍ପାଦନର ହ୍ରାସ କରିବାକୁ ଦେଇନାହାନ୍ତି । ତେଣୁ ଆମେ ତାଙ୍କ ନିକଟରେ କୃତଜ୍ଞ । ଦେଶର ଚାଷୀମାନଙ୍କ ଉନ୍ନତି ପାଇଁ ସରକାର ସର୍ବଦା ସଙ୍କଳ୍ପବଦ୍ଧ ବୋଲି ସେ କହିଛନ୍ତି ।
ଏହାବ୍ୟତୀତ ସେ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତର ପ୍ରଶଂସା କରି କହିଛନ୍ତି, କରୋନା ମହାମାରୀ ସମୟରେ ଆତ୍ମନିର୍ର ଭାରତ ଯୋଗୁଁ ଆମ ଦେଶକୁ ସେତେଟା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନାହିଁ । ଏହି ଆତ୍ମନିର୍ଭର ଭାରତ ଏବେ ଏକ ନୂଆ ଭାରତର ପରିକଳ୍ପନା ହୋଇ ଉଭଆ ହୋଇଛି । ଏହା ଯୋଗୁଁ ଆମେ କୋଭିଡ୍ ମହାମାରୀ ସମୟରେ ହତାଶ୍ ନହୋଇ ଭାରତ ଦୁଇଟି କରୋନା ଟିକା ପ୍ରସ୍ତୁତ କରିବା ସହ ଆତ୍ମନିର୍ଭରର ପ୍ରମାଣ ଦେଇପାରିଛି । ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ କରିଛି । 2022 ସୁଦ୍ଧା ଦେଶକୁ ଆତ୍ମନିର୍ଭର କରିବା ସହ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଅଗ୍ରସର ହେବାର ଲକ୍ଷ୍ୟକୁ ପୂରଣ କରିବାର ଆଶା କରାଯାଉଛି ।
ସାଧାରଣତନ୍ତ୍ର ଅବସରରେ ରାଷ୍ଚ୍ରପତି ସାମ୍ବିଧାମିକ ଆଦର୍ଶ ଏବଂ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୀବନ ଆଦର୍ଶକୁ ଦେଶର ଉନ୍ନତି ପାଇଁ ପ୍ରୟୋଗ କରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି, ସମ୍ବିଧାନର ନ୍ୟାୟ, ସ୍ୱତନ୍ତ୍ରତା, ସମ୍ମାନତା ଏବଂ ବନ୍ଧୁତ୍ୱ ଆମ ପାଇଁ ଆଦର୍ଶ । କେବଳ ଶାସନରେ ଥିବା ବ୍ୟକ୍ତି ନୁହେଁ ବରଂ ସମସ୍ତ ନାଗରିକ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ବିକାଶରେ ସହାୟକ ହୁଅନ୍ତୁ । ଆମେ ଦେଶ ଓ ଜାତିର ବିକାଶ କରିବା ପାଇଁ ପ୍ରଥମେ ଜୀବନ ଓ ମୂଲ୍ୟବୋଧକୁ ଧ୍ୟାନ ଦେବାକୁ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ।
ଅର୍ତନୀତି ବିଷୟରେ ସେ ଅଭିଭାଷଣରେ କହିଛନ୍ତି, ଗତ ବର୍ଷ କୋଭିଡ୍ କାରଣରୁ ଦେଶର ଅର୍ଥନୀତି କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଏବେ ପରିସ୍ଥିତି ଧୀରେ ଧୀରେ ସୁଧୁରିଛି । ଏହାକୁ ମୁଖ୍ୟସ୍ରୋତରେ ଆଣିବା ପାଇଁ ସରକାର ସର୍ବଦା ପ୍ରୟାସରତ । ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ର ବହୁ ପ୍ରଭାବିତ ହେବାର ଆଶଙ୍କା ଥିଲା । କିନ୍ତୁ ଆମର ପ୍ରତିଷ୍ଠାନ ଏବଂ ଶିକ୍ଷକମାନେ ଟେକ୍ନୋଲୋଜିକୁ ବହୁ ଶୀଘ୍ର ଆପଣାଇ ପିଲାମାନଙ୍କର ପାଠପଢା କାର୍ଯ୍ୟକ୍ରମ ଜାରି ରଖିଲେ । ଏହି ମହାମାରୀରେ ପ୍ରାୟ ଦେଢ ଲକ୍ଷଙ୍କ ପ୍ରାଣ ହାନୀ ହୋଇଛି । ସେମାନଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମ୍ବେଦନା ଜଣାଉଛି ବୋଲି କହିଛନ୍ତି ରାମନାଥ କୋବିନ୍ଦ ।
ଏଥିସହିତ ସେ ଭାରତ ବାହାରେ ରହୁଥିବା ପ୍ରବାସୀମାନଙ୍କୁ ମଧ୍ୟ ମନେପକାଇଛନ୍ତି । ସେମାନଙ୍କୁ ଉଦ୍ଦେଶ୍ୟରେ ରାଷ୍ଟ୍ରପତି କହିଛନ୍ତି, ଭାରତମାତାର ଅନେକ ସୁପୁତ୍ର ଦେଶ ବାହାରେ ରହି କାମ କରୁଛନ୍ତି । ଅନେକ ଲୋକ ବିଶ୍ୱସ୍ତରରେ ପହଞ୍ଚିବା ସହ କେତେକ ଶକ୍ତିଶାଳୀ ରାଷ୍ଟ୍ରର ରାଜନୀତି ମଧ୍ୟ ନିଜର ପରାକାଷ୍ଠା ଦେଖାଇପାରିଛନ୍ତି । ସେମାନଙ୍କ ପାଇଁ ଆମେ ଗର୍ବିତ ।
ରାଷ୍ଟ୍ରପତି ସମସ୍ତ ଦେଶବାସୀଙ୍କୁ 72ତମ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ମଙ୍ଗଳକାମନା କରି ଅଭିଭାଷଣ ଶେଷ କରିଛନ୍ତି ।












Click it and Unblock the Notifications