18 ରାଜ୍ୟରେ 91 ଏଫଏମ ଟ୍ରାନ୍ସମିଟର ଲଞ୍ଚ କଲେ ପ୍ରଧାନମନ୍ତ୍ରୀ, କହିଲେ 'ମନ କି ବାତ୍ ମାଧ୍ୟମରେ ଦେଶବାସୀଙ୍କ ସହ ସଂଯୋଗ ହୋଇଛି'

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 18 ଟି ରାଜ୍ୟ ଏବଂ 2 କେନ୍ଦ୍ର ଶାସିତ ଅଞ୍ଚଳରେ 91 ଟି ଏଫଏମ ଟ୍ରାନ୍ସମିଟର ଉଦଘାଟନ କରିଛନ୍ତି । ଏହି ଅବସରରେ ପିଏମ ମୋଦୀ କହିଛନ୍ତି ଯେ ଏହା ଠିକ ସମୟରେ ସୂଚନା ପ୍ରସାର ହେଉ, କୃଷି ପାଇଁ ପାଣିପାଗ ପୂର୍ବାନୁମାନ ହେଉ କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନୂଆ ବଜାର ସହିତ ସଂଯୋଗ କରିବା ଏହି ଏଫଏମ ଟ୍ରାନ୍ସମିଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବୈଷୟିକ ବିପ୍ଳବ ରେଡିଓ ଏବଂ ଏଫଏମକୁ ଏକ ନୂଆ ରୂପରେ ପରିଣତ କରିଛି । ରେଡିଓ ପୁରୁଣା ହୋଇରହିନାହିଁ । ଅନଲାଇନ୍ ଏଫଏମ୍ ଏବଂ ପୋଡକାଷ୍ଟ ମାଧ୍ୟମରେ ଏହା ଏକ ନୂଆ ଅବତାରରେ ଆସିଛି । ଡିଜିଟାଲ୍ ଇଣ୍ଡିଆ ଏହାକୁ ନୂଆ ଦର୍ଶକ ଦେଇଛି । ଆଜି DTH ସେବାରେ ଅନେକ ଶିକ୍ଷା ପାଠ୍ୟକ୍ରମ ଉପଲବ୍ଧ । ଉଭୟ ଏଫଏମ ରେଡିଓ ଏବଂ DTH ଡିଜିଟାଲ ଇଣ୍ଡିଆର ଭବିଷ୍ୟତ ପାଇଁ ଏକ ଦିଶା ଦେଖାଇଛି ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆଜି ଅଲ ଇଣ୍ଡିଆ ରେଡିଓର ଏଫଏମ ସେବାର ସମ୍ପ୍ରସାରଣ ଅଲ ଇଣ୍ଡିଆ ଏଫଏମ ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଲ ଇଣ୍ଡିଆ ରେଡିଓର 91 FM ପ୍ରସାରଣର ଏହି ଶୁଭାରମ୍ଭ ଦେଶର 85 ଟି ଜିଲ୍ଲାର 2 କୋଟି ଲୋକଙ୍କୁ ଉପହାର ସଦୃଶ ।
ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ନାଗାଲାଣ୍ଡ, ହରିୟାଣା, ଆନ୍ଧ୍ରପ୍ରଦେଶ, କେରଳ, ତେଲେଙ୍ଗାନା, ଛତିଶଗଡ, ଗୁଜୁରାଟ, ମଧ୍ୟପ୍ରଦେଶ, ଲଦାଖ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ରେ ଏହି ଏଫ୍ଏମ୍ ଟ୍ରାନ୍ସମିଟରର ଉଦଘାଟନ ହୋଇଛି ।
ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗୋପ, ନବରଙ୍ଗପୁର, ଗଜପତିର ମୋହନା, ବରଗଡ଼଼, କନ୍ଧମାଳର ଫୁଲବାଣୀ, କୋରାପୁଟ ଏବଂ ମାଲକାନଗିରିଠାରେ ଏହି ଏଫ୍ଏମ୍ ଟ୍ରାନ୍ସମିଟର ଲୋକାର୍ପିତ ହୋଇଛି । ଏଗୁଡ଼ିକର କ୍ଷମତା 100 ୱାଟ୍ ରହିଛି । ଏହାକୁ 15-20 କିଲୋମିଟର ପରିସର ମଧ୍ୟରେ ଶୁଣାଯାଇପାରିବ । ଏହାଦ୍ୱାରା ଆକାଶବାଣୀର ଏଫ୍ଏମ୍ ସେବା ଆଉ ଅତିରିକ୍ତ 2 କୋଟି ଲୋକଙ୍କ ପାଖରେ ପହଞ୍ଚି ପାରିବ ।












Click it and Unblock the Notifications