ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ, ସହାୟତା ଯୋଗାଇବାକୁ ଦେଲେ ପ୍ରତିଶ୍ରୁତି
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ସଂଘର୍ଷ ଲାଗି ରହିଛି । ଏହି ସମୟରେ ଗାଜାର ଏକ ଡାକ୍ତରଖାନା ଉପରେ ଆକ୍ରମଣ ଫଳରେ ମହିଳା ଏବଂ ଶିଶୁଙ୍କ ସମେତ 500 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ ଫୋନରେ କଥା ହୋଇଛନ୍ତି ।

ଏହି ନିଷ୍ଠୁର ଘଟଣା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଗାଜା ହସ୍ପିଟାଲ ଆକ୍ରମଣକୁ ମଧ୍ୟ ନିନ୍ଦା କରିଛନ୍ତି । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ଦୀର୍ଘ ଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଛନ୍ତି ।
ଏହା ସହିତ ଆତଙ୍କବାଦ, ହିଂସା ଏବଂ ସୁରକ୍ଷା ଅବସ୍ଥା ଖରାପ ହେବା ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପାଲେଷ୍ଟାଇନବାସୀଙ୍କୁ ଭାରତ ମାନବିକ ସହାୟତା ପଠାଇବ । ପିଏମ ମୋଦୀ ଏ ନେଇ X (ଟ୍ୱିଟର) ପୋଷ୍ଟରେ ସୂଚନା ଦେଇଛନ୍ତି ।
Spoke to the President of the Palestinian Authority H.E. Mahmoud Abbas. Conveyed my condolences at the loss of civilian lives at the Al Ahli Hospital in Gaza. We will continue to send humanitarian assistance for the Palestinian people. Shared our deep concern at the terrorism,…
— Narendra Modi (@narendramodi) October 19, 2023
ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି- "ପାଲେଷ୍ଟାଇନ କର୍ତ୍ତୃପକ୍ଷ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ କଥା ହୋଇଛି । ଗାଜାର ଅଲ ଅହଲି ହସ୍ପିଟାଲରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସେ ସମବେଦନା ଜଣାଇଛନ୍ତି । ଆମେ ପାଲେଷ୍ଟାଇନବାସୀଙ୍କ ପାଇଁ ମାନବିକ ସହାୟତା ପଠାଇବା ଜାରି ରଖିବୁ ।"
ଆପଣଙ୍କୁ କହିରଖୁଛୁ ଯେ ଏହାର ଗୋଟିଏ ଦିନ ପୂର୍ବରୁ ଗାଜା ଡାକ୍ତରଖାନା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଥିଲେ ଏବଂ ଏହି ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କ ଦାୟିତ୍ୱ ସ୍ଥିର କରାଯିବା ଉଚିତ ବୋଲି କହିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହାମାସ ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଥିଲେ । ସେ କହିଥିଲେ ଯେ ଆମେ ଆପଣଙ୍କ ସହ ଏକତାର ସହ ଛିଡା ହୋଇଛୁ । ପିଏମ ମୋଦୀ ହାମାସର ଆକ୍ରମଣକୁ ଆତଙ୍କବାଦୀ ଘଟଣା ବୋଲି କହିଛନ୍ତି ।












Click it and Unblock the Notifications