
ବସ୍ତି ପୁନଃସ୍ଥାପନ ଯୋଜନା ଅଧୀନରେ 3024 EWS ହିତାଧିକାରୀଙ୍କୁ ଫ୍ଲାଟ ଚାବି ହସ୍ତାନ୍ତର କଲେ ମୋଦୀ
ନୂଆଦିଲ୍ଲୀ : ଏମସିଡି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ନୂଆଦିଲ୍ଲୀର କାଲକାଜୀରେ 3,024 ନୂତନ ନିର୍ମାଣ ହୋଇଥିବା ଫ୍ଲାଟ ଉଦଘାଟନ କରିବା ସହ ଭୁମିହୀନ କ୍ୟାମ୍ପରେ ଯୋଗ୍ୟ ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିଛନ୍ତି ।
"ଆଜି ହଜାର ହଜାର ବସ୍ତି ବାସିନ୍ଦାଙ୍କ ପାଇଁ ଏକ ବଡ ଦିନ, ଜୀବନର ଏକ ନୂତନ ଆରମ୍ଭ । ମୁଁ ଯୋଗ୍ୟ ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କଲାବେଳେ ମୁଁ ସେମାନଙ୍କର ଖୁସି ଏବଂ ଆନନ୍ଦଦାୟକ ଚେହେରା ଦେଖିଲି । କାଲକାଜୀର ପ୍ରଥମ ପର୍ଯ୍ୟାୟରେ 3000 ରୁ ଅଧିକ ଘର ନିର୍ମାଣ କରାଯାଇଛି" ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ପ୍ରାୟ 345 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫ୍ଲାଟଗୁଡିକରେ ସମସ୍ତ ସୁବିଧା ରହିଛି । ଏଥିଲେ ଭିଟ୍ରିଫାଇଡ୍ ଫ୍ଲୋର୍ ଟାଇଲ୍, ସେରାମିକ୍ସ ଟାଇଲ୍, ରୋଷେଇ ଘରେ ଉଦୟପୁର ସବୁଜ ମାର୍ବଲ କାଉଣ୍ଟର ଇତ୍ୟାଦି ସହିତ ଲାଗିଛି ।
କମ୍ୟୁନିଟି ପାର୍କ, ଇଲେକ୍ଟ୍ରିକ୍ ସବ୍-ଷ୍ଟେସନ୍, ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଡୁଆଲ୍ ୱାଟର ପାଇପଲାଇନ, ଲିଫ୍ଟ, ସ୍ୱଚ୍ଛ ଜଳ ଯୋଗାଣ ପାଇଁ ଭୂତଳ ଜଳଭଣ୍ଡାର ଭଳି ସାଧାରଣ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ।
ସମସ୍ତଙ୍କୁ ଗୃହ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ, ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଦ୍ୱାରା 376 ବସ୍ତି କ୍ଲଷ୍ଟରରେ ଇନ୍-ସିଟ୍ ବସ୍ତି ପୁନଃ ଥଇଥାନ କାର୍ଯ୍ୟ ଚାଲିଛି ।
ପୁନଃ ଥଇଥାନ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ବସ୍ତି ବାସିନ୍ଦାଙ୍କୁ ଉପଯୁକ୍ତ ସୁବିଧା ସହିତ ଏକ ଉନ୍ନତ ତଥା ସୁସ୍ଥ ଜୀବନଯାପନ ପରିବେଶ ଯୋଗାଇବା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
କାଲକାଜୀ ଏକ୍ସଟେନ୍ସନ୍, ଜେଲରୱାଲା ବାଗ ଏବଂ କଠପୁତଲି କଲୋନୀରେ ଡିଡିଏ ଏହିପରି ତିନୋଟି ପ୍ରକଳ୍ପ କରିଛି । ପ୍ରଥମ ପର୍ଯ୍ୟାୟ ଅଧୀନରେ, ନିକଟସ୍ଥ ଖାଲି ବାଣିଜ୍ୟିକ କେନ୍ଦ୍ର ସାଇଟରେ 3024 EWS ଫ୍ଲାଟ ନିର୍ମାଣ କରାଯାଇଛି ।