ସୁପ୍ରିମ କୋର୍ଟରେ ପହଞ୍ଚିଲା ନୂତନ ସଂସଦ ଉଦଘାଟନ ବିବାଦ, ଜନସ୍ୱାର୍ଥ ମାମଲା ରୁଜୁ

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହାକୁ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟନ କରାଇବାକୁ ଲୋକସଭା ସଚିବାଳୟକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ।
ଓକିଲ ସି.ଆର୍. ଜୟ ସୁକିନ୍ ଏହି ଆବେଦନ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ଉଦ୍ଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅନ୍ତର୍ଭୁକ୍ତ ନ କରାଇ କେନ୍ଦ୍ର ସରକାର ଭାରତର ସମ୍ବିଧାନ ଉଲ୍ଲଂଘନ କରିଛନ୍ତି ।
ସଂସଦ ହେଉଛି ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥାନ । ରାଷ୍ଟ୍ରପତି ଏବଂ ଦୁଇ ଗୃହ ଯଥା:- ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ । ସଂସଦ ବା ଲୋକସଭା ଭାଙ୍ଗିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି ବୋଲି ଉକ୍ତ ପିଟିସନ୍ରେ ଉଲ୍ଲେଖ କରାଯାଇଛି ।
ଏପରିକି ଉଦ୍ଘାଟନୀ ଉତ୍ସବକୁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ଅଶୋଭନୀୟ କଥା । ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ । ଶିଳାନ୍ୟାସ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ଡକାଗଲା ନାହିଁ କାହିଁକି ? ଏବେ ଉଦ୍ଘାଟନୀ ଉତ୍ସବକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ଡକାଯାଇନି । ସରକାରଙ୍କ ନିଷ୍ପତ୍ତି ଯୁକ୍ତିଯୁକ୍ତ ନୁହେଁ ବୋଲି ଉକ୍ତ ପିଟିସନ୍ରେ କୁହାଯାଇଛି ।
ଉଲ୍ଲେଖଥାଉକି, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିମନ୍ତ୍ରଣ କ୍ରମେ ମେ 28 ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନର ଉଦ୍ଘାଟନ କରିବେ ।
ଏହାକୁ 19 ଟି ବିରୋଧୀ ଦଳ ବିରୋଧ କରି ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟନ କରିବାକୁ ଦାବି କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନୂତନ ସଂସଦ ଗୃହ ଉଦଘାଟନ କଲେ ଏହି ସମାରୋହକୁ ବହିଷାକର କରିବା ନେଇ ମଧ୍ୟ ଘୋଷଣା କରିଛନ୍ତି ।
କଂଗ୍ରେସ ସମେତ, ଆମ୍ ଆଦ୍ମୀ ପାର୍ଟି, ତୃଣମୂଳ କଂଗ୍ରେସ, ଦ୍ରାଭିଡ଼ ମୁନ୍ନେତ୍ରା କାଝାଗାମ,ବାମ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଜନତା ଦଳ ୟୁନାଇଟେଡ୍, ନ୍ୟାସ୍ନାଲ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ଉଦ୍ଧବ ବାଲାସାହେବ ଠାକ୍ରେ ଶିବସେନା ଓ ଅନ୍ୟମାନେ ନୂଆ ସଂସଦ ଭବନକୁ ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଆସିବେ ନାହିଁ ବୋଲି ବୁଧବାର ମିଳିତ ଭାବେ କହିଛନ୍ତି ।












Click it and Unblock the Notifications