Parliament Special Session: ଆଜି ଠାରୁ ଆରମ୍ଭ ସଂସଦ ସ୍ୱତନ୍ତ୍ର ଅଧିବେଶନ, ଆସିପାରେ ଏହି 4 ବିଲ୍
Parliament Special Session: ଆଜି ଠାରୁ ଆରମ୍ଭ ହେଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ । 5 ଦିନ ଧରି ଚାଲିବ ଏହି ଅଧିବେଶନ । ଗତମାସ 31 ତାରିଖରେ ସ୍ୱତନ୍ତ୍ର ଅଧିବେଶନ ପାଇଁ ଘୋଷଣା ହେବା ଦିନଠାରୁ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଅଧିବେଶନରେ 4ଟି ବିଲ୍ ଆଲୋଚନା ପାଇଁ ଆସିପାରେ ବୋଲି ସରକାର କହୁଥିଲେ ମଧ୍ୟ ବିରୋଧୀଙ୍କୁ ଏହାକୁ ସହଜରେ ହଜମ କରିୁପାରୁନାହିଁ । କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ସରକାର ଶେଷ ମୁହୂର୍ତ୍ତରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିପାରନ୍ତି ।

22 ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ସଂସଦର 75 ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଏହି ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ଆଜି ପ୍ରଥମ ଦିନ ପୁରୁଣା ସଂସଦରେ ଅଧିବେଶନ ହେବ । ଏହା ପରେ କାଲି ଅର୍ଥାତ୍ 19 ତାରିଖ ଠାରୁ ନୂଆ ସଂସଦ ଭବନରେ ଚାଲିବ ଅଧିବେଶନ । ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ସମ୍ମତ ହୋଇଛନ୍ତି ଇଣ୍ଡିଆ ମେଣ୍ଟର 24 ଟି ଦଳ । ସେହିପରି ଜାତି ଗଣନା, ମଣିପୁର ହିଂସା, ସାମ୍ପ୍ରଦାୟିକ ହିଂସା, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ଶେଷ ଥର ଲାଗି ଗତ 2017 ଜୁନ 30ରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଲାଗୁ କରାଯାଇଥିଲା ଜିଏସଟି । ଏହା ପୂର୍ବରୁ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ 2008 ରେ ଏକ ସ୍ବତନ୍ତ୍ର ଅଧବେଶନ ହୋଇଥିଲା । ଏଥିସହିତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଅବଧି ବଢ଼ାଇବା ପାଇଁ ଦୁଇ ଥର ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା । କିନ୍ତୁ ଅଧିକାଂଶ ସ୍ବତନ୍ତ୍ର ଅଧିବେଶନ ଜାତୀୟ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ପାଳନ କରିବା କିମ୍ବା ସ୍ମରଣ କରିବା ପାଇଁ ହୋଇଥାଏ । ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ସରକାରଙ୍କୁ ସମ୍ବିଧାନରେ କ୍ଷମତା ପ୍ରଦାନ କରାଯାଇଛି । ତେବେ ସମ୍ବିଧାନରେ ସ୍ବତନ୍ତ୍ର ଅଧିବେଶନ ନେଇ କୌଣସି ଶବ୍ଦ ଉଲ୍ଲେଖ କରାଯାଇନାହିଁ । ଏପରିକି ସରକାର ଯେଉଁ ସ୍ବତନ୍ତ୍ର ଅଧିବେଶନ ଡାକନ୍ତି ତାହା ସମ୍ବିଧାନର ଧାରା 85(1) ଅଧୀନରେ ହୋଇଥାଏ । ଅନ୍ୟ ଅଧିବେଶନ ମଧ୍ୟ ଏହି ଧାରାରେ ଡକାଯାଇଥାଏ ।
ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 7 ଟି ସ୍ୱତନ୍ତ୍ର ଅଧିବେଶନ ହୋଇଛି । ଏଥିରୁ 3 ଟି ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ସ୍ମରଣ କରିବା ପାଇଁ ହୋଇଥିଲା । ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି ପାଇଁ ଦୁଇଟି ହୋଇଥିଲା । ସେଥିରୁ ଗୋଟିଏ 1977 ରେ ତାମିଲନାଡ଼ୁ ଏବଂ ନାଗାଲାଣ୍ଡରେ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି ଏବଂ 1991 ରେ ହରିୟାଣାରେ ରାଷ୍ଟ୍ରପତି ଶାସନ ଅବଧି ବୃଦ୍ଧି ପାଇଁ ହୋଇଥିଲା । ଅବଶିଷ୍ଟ ଦୁଇଟି ସ୍ୱତନ୍ତ୍ର ଅଧିବେଶନ ଗୋଟିଏ 2008 ରେ ଏବଂ ଅନ୍ୟଟି 21017 ରୋ ହୋଇଥିଲା ।












Click it and Unblock the Notifications