କର୍ଣ୍ଣାଟକ ସରକାରୀ ଡାକ୍ତରଖାନାରେ ଅମ୍ଳଜାନ ସଙ୍କଟ, କଲବୁର୍ଗୀ ଏବଂ ବେଲଗାଭିରେ ଚାଲିଗଲା 7 ରୋଗୀଙ୍କ ଜୀବନ
ମଙ୍ଗଳବାର ଦିନ କର୍ଣ୍ଣାଟକରେ ମଧ୍ୟ ଅମ୍ଳଜାନ ସଙ୍କଟ ଦେଖାଦେଇଥିବା ଜଣାପଡ଼ିଛି । ଅମ୍ଳଜାନ ଅଭାବରୁ ରାଜ୍ୟର କଲବୁର୍ଗୀ ଏବଂ ବେଲଗାଭି ଜିଲ୍ଲାରେ ସାତ ଜଣ କୋଭିଡ -19 ରୋଗୀଙ୍କ ମୃତ୍ୟୁ ହୋଇଛି ।
ବେଙ୍ଗାଲୁରୁ : କରୋନା ଦ୍ୱିତୀୟ ଲହର ଜାରି ଥିବା ବେଳେ ସାରା ଦେଶରୁ ଅମ୍ଳଜାନ ଅଭାବ ନେଇ ପ୍ରତିଦିନ ଖବର ଆସୁଛି । ମଙ୍ଗଳବାର ଦିନ କର୍ଣ୍ଣାଟକରେ ମଧ୍ୟ ଅମ୍ଳଜାନ ସଙ୍କଟ ଦେଖାଦେଇଥିବା ଜଣାପଡ଼ିଛି । ଅମ୍ଳଜାନ ଅଭାବରୁ ରାଜ୍ୟର କଲବୁର୍ଗୀ ଏବଂ ବେଲଗାଭି ଜିଲ୍ଲାରେ ସାତ ଜଣ କୋଭିଡ -19 ରୋଗୀଙ୍କ ମୃତ୍ୟୁ ହୋଇଛି । ସୂଚନାନୁସାରେ, ମଙ୍ଗଳବାର ସକାଳେ କଲବୁର୍ଗୀର ସରକାରୀ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ଚାରି ଜଣ ଏବଂ ବେଲଗାଭି ସରକାରୀ ଡାକ୍ତରଖାନାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ କଲବୁର୍ଗୀ ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ମୁରୁଗେଶ ନିରାନୀ ଅମ୍ଳଜାନ ଅଭାବ ମାମଲାକୁ ଖାରଜ କରି କହିଛନ୍ତି ଯେ ମୃତ୍ୟୁ ହୋଇଥିବା ଲୋକଙ୍କର କରୋନା ହେତୁ ମୃତ୍ୟୁ ହୋଇଛି ।

ଏହି ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟର ଚାମରାଜନଗର ଜିଲ୍ଲା ଡାକ୍ତରଖାନାରେ 24 ଜଣ କରୋନା ରୋଗୀଙ୍କର ଅମ୍ଳଜାନ ଅଭାବ ଯୋଗୁଁ ମୃତ୍ୟୁ ହୋଇଛି । ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ମଙ୍ଗଳବାର ଦିନ ଚାମରାଜନଗର ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କରିବା ପରେ ରବିବାର ସକାଳରୁ ସୋମବାର ସକାଳେ ଡାକ୍ତରଖାନାରେ 28 ଜଣଙ୍କର ମୃତ୍ୟୁ ହୋଇଥିବା ସେ ଦାବି କରିଛନ୍ତି । ଏହି ମୃତ୍ୟୁ ପାଇଁ ସେ ଶାସନର ଖରାପ ପରିଚାଳନାକୁ ଦାୟୀ କରିଥିଲେ ଏବଂ ଏହି ଦୁଃବ୍ୟବସ୍ଥା ପାଇଁ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡି.କେ ସୁଧାକରଙ୍କ ଇସ୍ତଫା ଦାବି କରିଥିଲେ ।
ଅମ୍ଳଜାନ ଅଭାବ ଘଟଣାକୁ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ଗୁରୁତର ସହ ନେଇଛନ୍ତି । ଅମ୍ଳଜାନ ଯୋଗାଣର ବ୍ୟବସ୍ଥା କରିବା ଏବଂ ରାଜ୍ୟକୁ ଅମ୍ଳଜାନ କୋଟା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା ମଙ୍ଗଳବାର ମନ୍ତ୍ରୀ ଜଗଦୀଶ ଶେଟ୍ଟରଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହି ସମୟରେ ବେଙ୍ଗାଲୁରୁର କିଛି ଡାକ୍ତରଖାନା ଚେତାବନୀ ଦେଇଛି ଯେ ସେମାନଙ୍କର ଅମ୍ଳଜାନର ଅଳ୍ପ ସମୟ ବାକି ଅଛି । ଚୈତନ୍ୟ ମେଡିକାଲର ଜଣେ ଅଧିକାରୀ କହିଛନ୍ତି ଯେ, ସୋମବାର ଅମ୍ଳଜାନ ଅଭାବ ହେତୁ ତାଙ୍କୁ ତାଙ୍କର ସମସ୍ତ କୋଭିଡ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା ।












Click it and Unblock the Notifications