କରୋନା ମୃତ୍ୟୁ ଠାରୁ ବେଶୀ ଚିନ୍ତାଜନକ ଅନାହାର ମୃତ୍ୟୁ, ପ୍ରତି ମିନିଟରେ ନେଉଛି 11 ଜଣଙ୍କ ଜୀବନ
ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିଶ୍ବରେ ପ୍ରତି ମିନିଟରେ 11 ଜଣ ବ୍ୟକ୍ତି ଅନାହାରରେ ପ୍ରାଣ ହରାଉଛନ୍ତି । ଯେବେକି କରୋନା ମହାମାରୀ ମିନିଟକୁ 7 ଜଣଙ୍କର ଜୀବନ ନେଉଛି ।
ନୂଆଦିଲ୍ଲୀ : ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ । କରୋନା ଭୁତାଣୁ ଏବେ ସମଗ୍ର ବିଶ୍ବକୁ କବଳିତ କରି ରଖିଛି । ଗତ ପ୍ରାୟ ଦେଢ ବର୍ଷ ହେଲା କରୋନା ମହାମାରୀ ବିଶ୍ବରେ ପ୍ରାୟ 4 ଲକ୍ଷରୁ ଅଧିକ ଜୀବନ ନେଇସାରିଲାଣି । କିନ୍ତୁ ଏହି ମହାମାରୀ ଠାରୁ ବେଶୀ ଚିନ୍ତାଜନକ ହୋଇପଡ଼ିଛି ଅନାହାର ମୃତ୍ୟୁ । କରୋନା ସହ 'କ୍ଷୁଧା' ସହ ମଧ୍ୟ ଲଢେଇ କରୁଛି ମଣିଷ ସମାଜ । କ୍ଷୁଧା ଓ ଦୁର୍ଭିକ୍ଷରେ ଯେତିକି ଲୋକ ମୃତ୍ୟୁବରଣ କରୁଛନ୍ତି ତାହା କରୋନା ମୃତ୍ୟୁଠାରୁ ଅନେକଗୁଣ ଅଧିକ ବୋଲି ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ସଂଗଠନ ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିଶ୍ବରେ ପ୍ରତି ମିନିଟରେ 11 ଜଣ ବ୍ୟକ୍ତି ଅନାହାରରେ ପ୍ରାଣ ହରାଉଛନ୍ତି । ଯେବେକି କରୋନା ମହାମାରୀ ମିନିଟକୁ 7 ଜଣଙ୍କର ଜୀବନ ନେଉଛି । ଆହୁରି ଚିନ୍ତାଜନକ କଥା ହେଉଛି ଗତ ବର୍ଷଠାରୁ ଏପର୍ଯ୍ୟନ୍ତ ବିଶ୍ବରେ ଅନାହାର ମୃତ୍ୟୁସଂଖ୍ୟାରେ ପ୍ରାୟ 6 ଗୁଣ ବୃଦ୍ଧି ପାଇଛି ।
ଅକ୍ସଫାମ ଆମେରିକାର ଅଧ୍ୟକ୍ଷ ତଥା ସିଇଓ ଆବି ମାକ୍ସମ୍ୟାନ କହିଛନ୍ତି ଏହି ସଂଖ୍ୟା ବେଶ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି । ବିଶ୍ବର ଏବେ ପ୍ରାୟ 154 କୋଟି ଲୋକ ଖାଦ୍ୟ ଅସୁରକ୍ଷାର ସମ୍ମୁଖୀନ ହେଉଛନ୍ତି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା 2 କୋଟି ବୃଦ୍ଧି ପାଇଛି । ସାମରିକ ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, କରୋନା ମହାମାରୀ ଆଦି କାରଣରୁ ବିଶ୍ବରେ ଅନେକ ଲୋକ ଅନାହାରର ସମ୍ମୁଖୀନ ହେଉଛନ୍ତି ।
ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସେମାନଙ୍କ ଦେଶରେ ଚାଲିଥିବା ସାମିରକ ବିବାଦ ଯୋଗୁ ଖାଦ୍ୟାଭାବର ଶିକାର ହୋଇଛନ୍ତି । ହେଲେ ବିଶ୍ୱରେ ସାମରିକ ଖର୍ଚ୍ଚ କମୁନାହିଁ । ଦିନକୁ ଦିନ ବଢିଚାଲିଛି ସାମରିକ ଖର୍ଚ୍ଚ । କରୋନା କାଳରେ ଜନଜୀବନ ବହୁ ବିପଦର ସମ୍ମୁଖୀନ ହେଉଥିବାବେଳେ ସାମରିକ ଖର୍ଚ୍ଚ ବୃଦ୍ଧି କରାଯାଉଛି । ବର୍ତ୍ତମାନ ସାମରିକ ଖର୍ଚ୍ଚ ପରିମାଣ 51 ବିଲିୟନ ଡଲାର ବୃଦ୍ଧି ପାଇଛି । କ୍ଷୁଧା ଦୂର କରିବା ଲାଗି ଯେତିକି ଅର୍ଥ ଆବଶ୍ୟକ ଏହି ପରିମାଣ ତା'ଠାରୁ 6 ଗୁଣ ଅଧିକ । ଆଫଗାନିସ୍ତାନ, ଇଥିଓପିଆ, ଦକ୍ଷିଣ ସୁଦାନ, ସିରିୟା ଓ ୟେମନରେ କ୍ଷୁଧାର ସ୍ଥିତି ଭୟଙ୍କର ବୋଲି ରିପୋର୍ଟରେ କୁହାଯାଇଛି ।












Click it and Unblock the Notifications