Farmers Protest: ଆନ୍ଦୋଳନକାରୀ କୃଷକଙ୍କୁ ଭେଟିବାକୁ ଗାଜୀପୁର ସୀମାରେ ପହଞ୍ଚିଲେ ବିରୋଧୀ ଦଳ ନେତା, ରାସ୍ତାରେ ଅଟକାଇଲା ପୋଲିସ୍
ବିରୋଧୀ ଦଳର ନେତାଙ୍କ ଏକ ଟିମ୍ ଗୁରୁବାର ଦିନ ଗାଜୀପୁର ସୀମାରେ ପହଞ୍ଚି ଚାଷୀଙ୍କୁ ଭେଟିଛନ୍ତି । ବିରୋଧୀ ଦଳର ନେତାମାନେ ଗାଜୀପୁର ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବାକୁ ଯାଉଥିବା ବେଳେ ପୋଲିସ୍ ସେମାନଙ୍କୁ ବ୍ୟାରିକେଡ ନିକଟରେ ଅଟକାଇଥିଲା ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ 71 ଦିନରେ ପହଞ୍ଚିଛି । ଗଣତନ୍ତ୍ର ଦିବସ ହିଂସା ପରେ ଏହି ଆନ୍ଦୋଳନ ଦୁର୍ବଳ ହେବା ମନେ ହେଉଥିଲା, କିନ୍ତୁ ବର୍ତ୍ତମାନ ଏହି ଆନ୍ଦୋଳନ ପୁଣି ଦାନା ବାନ୍ଧିବା ସହ ତୀବ୍ରତର ହେଉଥିବା ଦେଖାଦେଉଛି । ନୂଆଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନରେ ବସିଥିବା ବେଳେ କୃଷକଙ୍କ ପ୍ରସଙ୍ଗକୁ ନେଇ ସଂସଦରେ ଦେଖିବାକୁ ମିଳିଛି ହଙ୍ଗାମା । ଏହି ସମୟ ମଧ୍ୟରେ ବିରୋଧୀ ଦଳର ନେତାଙ୍କ ଏକ ଟିମ୍ ଗୁରୁବାର ଦିନ ଗାଜୀପୁର ସୀମାରେ ପହଞ୍ଚି ଚାଷୀଙ୍କୁ ଭେଟିଛନ୍ତି । ବିରୋଧୀ ଦଳର ନେତାମାନେ ଗାଜୀପୁର ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବାକୁ ଯାଉଥିବା ବେଳେ ପୋଲିସ୍ ସେମାନଙ୍କୁ ବ୍ୟାରିକେଡ ନିକଟରେ ଅଟକାଇଥିଲା । କିନ୍ତୁ ବିରୋଧୀ ଦଳ ଚାଷୀଙ୍କୁ ଭେଟିବାରେ ଜିଦ୍ ଧରିଛନ୍ତି ।

ଗାଜୀପୁର ସୀମାରେ ପହଞ୍ଚିଥିବା ଶିରୋମଣୀ ଅକାଳୀ ଦଳ ସାଂସଦ ହର୍ଷିମପତ୍ କୌର ବାଦଲ କହିଛନ୍ତି ଯେ, ଆମେ ତିନୋଟି ନୂତନ କୃଷି ଆଇନ ବିରୁଦ୍ଧରେ ଅଛୁ । ଆମେ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ଚାହୁଁଛୁ, କିନ୍ତୁ ବାଚସ୍ପତି ଏହା କରିବାକୁ ଦେଉନାହାନ୍ତି । ତେଣୁ, ବର୍ତ୍ତମାନ 8-10 ଦଳର ନେତାମାନଙ୍କୁ କୃଷକମାନଙ୍କ ପାଖକୁ ଆସିବାକୁ ପଡିଲା, ଯାହାଫଳରେ ସେମାନେ ଚାଷୀଙ୍କ ଅବସ୍ଥା ଏବଂ ଦାବି ଜାଣିପାରିବେ । ଏହା ପରେ ସେମାନେ ଗୃହରେ ଏନେଇ ବିସ୍ତୃତ ସୂଚନା ଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗାଜିପୁର ସୀମାରେ ପୋଲିସ ଯେଉଁ ସୁରକ୍ଷା କରିଛି ତାହା ପାକିସ୍ତାନ ସୀମାରେ ମଧ୍ୟ ନାହିଁ । ଅନ୍ୟପକ୍ଷରେ ବିରୋଧୀ ଦଳର ନେତାମାନଙ୍କୁ ବ୍ୟାରିକେଡ୍ ପାର ହେବାକୁ ମଧ୍ୟ ପୋଲିସ ଅନୁମତି ଦେଇ ନାହିଁ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି ।
ଗାଜୀପୁର ସୀମାରେ ମଧ୍ୟ ଲଗାଯାଇଛି ଲୁହା କଣ୍ଟା
ସିଙ୍ଘୁ ସୀମାକୁ ପୂର୍ବରୁ କୃଷକ ଆନ୍ଦୋଳନର ସବୁଠାରୁ ବଡ କେନ୍ଦ୍ର ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ଗଣତନ୍ତ୍ର ଦିବସରେ ହିଂସା ପରେ ଏବେ ସମସ୍ତଙ୍କ ଧ୍ୟାନ ଗାଜୀପୁର ସୀମାରେ ରହିଛି । ସେହି କାରଣରୁ ସାରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଦିଲ୍ଲୀ ପୋଲିସ ଗାଜୀପୁରରେ 14 ଟି ଲେନ୍ ବନ୍ଦ କରିବା ସହ 12ସ୍ତରୀୟ ବ୍ୟାରିକେଡ୍ ଲଗାଇଛି । ଏହା ବ୍ୟତୀତ, ଏହି ବ୍ୟାରିଗେଟ୍ ଉପରେ ଲୁହା ତାର ମଧ୍ୟ ଲଗାଯାଇଛି । ଏଥି ସହିତ ଟ୍ରାକ୍ଟର ନେଇ କୃଷକମାନେ ଜବରଦସ୍ତ ଦିଲ୍ଲୀକୁ ପ୍ରବେଶ ରୋକିବାକୁ ରାସ୍ତାରେ ଲୁହା କଣ୍ଚା ମଧ୍ୟ ଲଗାଯାଇଛି ।
ଅଚାନକ ହିରୋ ହୋଇଗଲେ ରାକେଶ
ଗଣତନ୍ତ୍ର ଦିବସରେ ହିଂସା ପରେ ଅନେକ କୃଷକ ସଂଗଠନ ଏହି ଆନ୍ଦୋଳନରୁ ଓହରି ଯାଇଥିଲେ । ଏହି ସମୟରେ, କିଷାନ ଆନ୍ଦୋଳନ ଦୁର୍ବଳ ହେଉଥିବା ଅନୁଭବ କରି କୃଷକ ନେତା ରାକେଶ ଟିକାୟିତ ଭାବପ୍ରବଣ ହୋଇଯାଇଥିଲେ । ଏପରିକି ଗଣମାଧ୍ୟମ ଆଗରେ କାନ୍ଦି ପକାଇଥିଲେ । କୃଷକ ଆନ୍ଦୋଳନକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବାର ଅଭିଯୋଗ ମଧ୍ୟ କରିଥିଲେ ରାକେଶ । ଏହା ପରେ ସେ କୃଷକ ଏବଂ ବିରୋଧୀ ଦଳଙ୍କ ଠାରୁ ବିପୁଳ ସମର୍ଥନ ପାଇଥିଲେ । ବର୍ତ୍ତମାନ ଟିକାୟିତ କୃଷକ ଆନ୍ଦୋଳନର ମୁହଁ ପାଲଟିଛନ୍ତି । ବ୍ୟାନର ହେଉ ଅବା ପୋଷ୍ଚର କିମ୍ବା କୃଷକ ଆନ୍ଦୋଳନର ଚର୍ଚ୍ଚାରେ ମୁଖ୍ୟ ବିଷୟ ପାଲଟିଛନ୍ତି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ ।












Click it and Unblock the Notifications