ଅପରେସନ୍ କାବେରୀ: ଅଷ୍ଟମ ବ୍ୟାଚ୍ ଜେଦ୍ଦାରେ ପହଞ୍ଚିଲେ ସୁଦାନରେ ଫସି ରହିଥିବା 121 ଜଣ ଭାରତୀୟ

ନୂଆଦିଲ୍ଲୀ : ସୁଦାନରେ ଲାଗି ରହିଥିବା ଗୃହ ଯୁଦ୍ଧ ମଧ୍ୟରେ ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ଥଇଥାନ କରିବା ପାଇଁ ଅପରେସନ୍ କାବେରୀ କ୍ରମାଗତ ଭାବରେ ଜାରି ରହିଛି । ଭାରତ ସରକାର ଅପରେସନ୍ କାବେରୀ ମାଧ୍ୟମରେ ସୁଦାନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରୁଛନ୍ତି । ଏପର୍ଯ୍ୟନ୍ତ ସମୁଦାୟ 8 ଟି ବ୍ୟାଚ୍ ରେ ଲୋକଙ୍କୁ ସୁଦାନରୁ ଅଣାଯାଇଛି । କେନ୍ଦ୍ର ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ୍ ସୂଚନା ଦେଇଛନ୍ତି ଯେ ଅଷ୍ଟମ ବ୍ୟାଚ୍ ରେ 121 ଭାରତୀୟ ଜେଦ୍ଦା ବିମାନବନ୍ଦରରେ ପହଞ୍ଚିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଏକ ଟ୍ୱିଟରେ ଲେଖିଛନ୍ତି ଯେ ଏଥିରେ ଭାରତୀୟ ଦୂତାବାସର ପରିବାର ମଧ୍ୟ ସାମିଲ ଅଛନ୍ତି । ଏହି ଲୋକଙ୍କୁ ଭାରତୀୟ ବାୟୁସେନା ବିମାନ C 130J ଦ୍ୱାରା ସୁଦାନରୁ ଜେଦ୍ଦାକୁ ଅଣାଯାଇଛି । ଏହି ମିଶନ୍ ମଧ୍ୟ ଅଧିକ କଷ୍ଟସାଧ୍ୟ ଥିଲା କାରଣ ଏହା ଖାର୍ଟୁନ୍ ର ସବୁଠାରୁ କଠିନ ଅଞ୍ଚଳରେ କରାଯାଇଥିଲା ।
ମୁରଲୀଧରନ କହିଛନ୍ତି ଯେ ଏହି ବ୍ୟାଚରେ ଯେଉଁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ସେମାନେ ରହୁଥିବା ସ୍ଥାନରେ ସର୍ବାଧି ହିଂସା ଥିଲା । ସୁଦାନ ସେନା ଏବଂ ରାପିଡ୍ ସପୋର୍ଟ ଫୋର୍ସ ମଧ୍ୟରେ ବିବାଦ ଅତି ଭୟଙ୍କର ଭାବେ ଚାଲିଛି ।
ଏହି ସମୟରେ ସୁଦାନରେ ଫସି ରହିଥିବା 6 ଜଣ ଓଡ଼ିଆ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏକ ସୂତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ପଞ୍ଚିଛନ୍ତି । ସୁଦାନ ଫେରନ୍ତା ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଅଞ୍ଚଳର ବୋଲି ସୂଚନା ରହିଛି ।
ଆଜି ସୁଦାନରୁ ନିଜ ଜନ୍ମମାଟିରେ ପହଁଞ୍ଚିବା ପରେ ବେଶ୍ ଖୁସି ଅଛନ୍ତି 6 ଓଡ଼ିଆ । ତେବେ ଘରକୁ ଫେରିବା ପରେ କହିଛନ୍ତି ଦୁଃଖ ଦିନର କାହାଣୀ । ବନ୍ଦୀ ହୋଇ ରହିଥିଲେ, ନା ଥିଲା ଖାଇବା, ନା ପିଇବାକୁ ମିଳୁଥିଲା ପାଣି । ବଞ୍ଚିବା ପାଇଁ ପ୍ରତ୍ୟେକ ଦିନ କରିବା ପାଇଁ ପଡୁଥିଲା ସଂଘର୍ଷ ।
ଜଣେ ସୁଦାନ ଫେରନ୍ତା କହିଛନ୍ତି, ସେଠାରେ ଥିବା ଇଣ୍ତିଆନ କ୍ୟାଣ୍ଟିନକୁ ବ୍ଲାଷ୍ଟ କରି ଉଡାଇଦିଆଯାଇଥିଲା । ପ୍ରତି 10-15 ମିନିଟ୍ ମଧ୍ୟରେ ଏକ ବିସ୍ଫୋରଣ ହେଉଥିଲା । ଏପରିକି ଆମେ ବଞ୍ଚିବାର ଆଶା ହିଁ ଛାଡି ଦେଇଥିଲୁ । ପାଖରେ ଥିବା ଟଙ୍କା ଓ ମୋବାଇଲ୍ ମଧ୍ୟ ବନ୍ଧୁକ ଦେଖାଇ ଛଡାଇ ନେଇଥିଲେ । ହେଲେ ଅପରେସନ କାବେରୀ ତାଙ୍କୁ ଏକ ନୂଆ ଜୀବନ ଦେଇଛି ।












Click it and Unblock the Notifications