ଆସନ୍ତା 6 ତାରିଖରେ ସାରା ଭାରତରେ ଚକା ଜାମ୍ କରିବ କୃଷକ ସଙ୍ଗଠନ
ଆସନ୍ତା 6 ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ ଚକା ଜାମ୍ କରିବା ନେଇ ଘୋଷଣା କରାଯାଇଛି ।
ନୂଆଦିଲ୍ଲୀ : ଦେଶର ଜାତୀୟ ରାଜଧାନୀ ସମେତ ଅନେକ ସ୍ଥାନରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦାରି ରହିଥିବା ଆନ୍ଦୋଳନର କୌଣସି ସମାଧାନ ବାହାରି ପାରିନାହିଁ । ଦିଲ୍ଲୀ ହିଂସା ପରେ ଦିଲ୍ଲୀର କେତେକ ଆନ୍ଦୋଳନସ୍ଥଳ ଗୁଡ଼ିକରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆ ଯିବା ସହ ବିଜୁଳି ସେବା ମଧ୍ୟ ବନ୍ଦ କରାଯାଇଥିବାର ଅଭିଯୋଗ ହୋଇଥିଲା । ଏପରିକି ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ଆନ୍ଦୋଳନସ୍ଥଳ ଗୁଡ଼ିକରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଏହି ସମୟ ମଧ୍ୟରେ ଆସନ୍ତା 6 ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ ଚକା ଜାମ୍ କରିବା ନେଇ ଘୋଷଣା କରାଯାଇଛି । ଏହି ପ୍ରତିବାଦ ସମୟରେ ରାଜ୍ୟ ତଥା ଜାତୀୟ ରାଜପଥକୁ 3ଘଣ୍ଚା ପର୍ଯ୍ୟନ୍ତ ବନ୍ଦ ରଖିବା ସହ କେନ୍ଦ୍ର ସରକାରଙ୍କ ଆନ୍ଦୋଳନସ୍ଥଳ ଗୁଡ଼ିକରେ ଇଣ୍ଟରନେଟ୍ ସେବା ବନ୍ଦ କରିବାର ଆଭିମୁଖ୍ୟ ବିରୋଧରେ ପ୍ରତିବାଦ କରିବେ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ଦିଲ୍ଲୀ-ହରିୟାଣା ସିଙ୍ଗୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ କୃଷକ ସଂଗଠନର ନେତା କହିଛନ୍ତି, ଫେବୃଆରି 6 ତାରିଖ ମଧ୍ୟାହ୍ନ 12 ଟାରୁ 3ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବା ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଗତକାଲିର କେନ୍ଦ୍ର ବଜେଟରେ କୃଷକମାନଙ୍କୁ ଅଣଦେଖା କରାଯାଇଥିବାର ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି ।
ଏଥିସହିତ ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସ୍କେଏମ୍) ପକ୍ଷରୁ ଅଭିଯୋଗ ହୋଇଛି ଯେ କିଷାନ ଏକତା ମୋର୍ଚ୍ଚାର ଟ୍ବିଟର୍ ଆକାଉଣ୍ଟ୍ ଏବଂ ଟ୍ରାକ୍ଟର୨ଟ୍ବିଟର୍ ଆକାଉଣ୍ଟ୍ ଉପରେ କଟକଣା ଜାରି କରାଯାଇଛି । ସେହିପରି ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ ଅଭିଯୋଗ କରିଛନ୍ତି ଯେ 'ସରକାରୀ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଟ୍ୱିଟର ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଆନ୍ଦୋଳନକୁ ବିରୋଧ କରି କିଛି ବେସରକାରୀ ବ୍ୟକ୍ତିଙ୍କ ଆକାଉଣ୍ଟ ମଧ୍ୟ ରଦ୍ଦ କରାଯାଇଛି । ଏଥିସହ କେନ୍ଦ୍ର ସରକାର ଏହି ବଜେଟରେ କୃଷି କ୍ଷେତ୍ରକୁ ଆବଣ୍ଟନ ହ୍ରାସ କରିଛନ୍ତି।' ବିଭିନ୍ନ କୃଷକ ନେତାଙ୍କ ପକ୍ଷରୁ ଏବର୍ଷ ବଜେଟ୍କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ଦିଲ୍ଲୀର ସିଙ୍ଗୁ ସୀମାରେ ଆନ୍ଦୋଳନସ୍ଥଳକୁ କୃଷକମାନଙ୍କ ପ୍ରବେଶ ରୋକିବାକୁ ପ୍ରଶାସନ ରାସ୍ତାରେ ଲୁହା ସ୍ପାଇକ୍ ବିଛାଇବା ସହ ଅସ୍ଥାୟୀ ସିମେଣ୍ଟ କାନ୍ଥ ନିର୍ମାଣ କରିଛି ।












Click it and Unblock the Notifications