କେତେ ସୁରକ୍ଷିତ ପାଣି ବୋତଲ ? ଏହି ରିପୋର୍ଟ ପଢି ହୋଇଯାଆନ୍ତୁ ସାବଧାନ...
ଆମେ ପାଣି ପିଇବା ଲାଗି ସାଧାରଣତଃ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରିଥାଉ । ବାହାରକୁ ଗଲେ ହାତରେ ପାଣି ବୋତଲ ନେଇଥାଉ, କିନ୍ତୁ ଯଦି ପାଖରେ ପାଣି ନଥାଏ ତେବେ ଆମେ ବାହାରୁ ପାଣି କିଣି ପିଇଥାଉ । ଏଥିଲାଗି ବଜାରରେ ଅନେକ କମ୍ପାନୀର ପାଣି ବୋତଲ ଉପଲବ୍ଧ ହୋଇଥାଏ । ପ୍ଲାଷ୍ଟିକ ବୋତଲରେ ପାଣି ଭର୍ତ୍ତି କରି ବିକ୍ରି କରୁଛନ୍ତି କମ୍ପାନୀ, ଯାହାକୁ ଆମେ କିଣି ପିଇଥାଉ ।

ତେବେ ଆପଣ ଜାଣନ୍ତିକି, ପ୍ଲାଷ୍ଟିକ୍ ବୋତଲରେ ଥିବା ପାଣି କେତେ ସୁରକ୍ଷିତ ? ଏହା ଆମ ଶରୀର ପ୍ରତି ଅନେକ ଦିଗରୁ କ୍ଷତି ପହଞ୍ଚାଇଥାଏ । ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ଆମେ ପିଉଥିବା ପ୍ଲାଷ୍ଟିକ ବୋତଲ ପାଣିରେ ନାନୋ ପ୍ଲାଷ୍ଟିକ ରହୁଛି, ଯାହାକି ଆମ ଶରୀର ପ୍ରତି କ୍ଷତିକାରକ ।
ପ୍ଲାଷ୍ଟିକ ବୋତଲରେ ନାନୋ କଣିକା
ପ୍ଲାଷ୍ଟିକ ବୋତଲରେ ଥିବା 1 ଲିଟର ପାଣିରେ ପାଖାପାଖି 2 ଲକ୍ଷ 40 ହଜାର କଣିକା ରହିଛି । ଏହି ନାନୋପ୍ଲାଷ୍ଟିକ କଣିକାଯୁକ୍ତ ପାଣି ମଣିଷ ପିଇବା ଦ୍ୱାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋପ୍ଲାଷ୍ଟିକ ତୁଳନାରେ ଅତି ସୂକ୍ଷ୍ମ ହୋଇଥିବାରୁ ଏହା ସହଜରେ ଶରୀରରେ ଖାଦ୍ୟନଳୀ ଏବଂ ଫୁସଫୁସ ଦେଇ ରକ୍ତକଣିକା ମଧ୍ୟକୁ ପ୍ରବେଶ କରିଥାଏ । ଆଉ ରକ୍ତକଣିକା ଦେଇ ଏହି ନାନୋ ପ୍ଲାଷ୍ଟିକ ହୃଦୟ ଏବଂ ମସ୍ତିସ୍କକୁ ମଧ୍ୟ ପ୍ରବେଶ କରେ ।
ନାନା ପ୍ଲାଷ୍ଟିକ ଜଣେ ମହିଳାଙ୍କ ଗର୍ଭରେ ଥିବା ଶିଶୁ ଶରୀରକୁ ମଧ୍ୟ ପ୍ରବେଶ କରିପାରେ । ମନୁଷ୍ୟର ଜୀବକୋଷକୁ ମଧ୍ୟ ପ୍ରବେଶ କରିଥାଏ ଏହି ପ୍ଲାଷ୍ଟିକ କଣିକା। । ପୂର୍ବରୁ ପାଣିବୋତଲ ମଧ୍ୟରେ ମାଇକ୍ରୋ ପ୍ଲାଷ୍ଟିକ ଠାବ କରାଯାଇଥିଲା । ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ଅଧିକ କ୍ଷତିକାରକ । ଶରୀର ଉପରେ ଏହାର ଅଧିକ କୁପ୍ରଭାବ ରହିଛି । ମାଇକ୍ରୋ ପ୍ଲାଷ୍ଟିକ ତୁଳନାରେ ନାନୋ ପ୍ଲାଷ୍ଟିକ କଣିକାର ପ୍ରଭାବ ପ୍ରାୟ 10 ରୁ 100 ଗୁଣା ଅଧିକା । ଏହା ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରଭାବିତ କରିଥାଏ ।
ପୂର୍ବରୁ ପ୍ଲାଷ୍ଟିକ ବୋତଲରେ ଥିବା ପିଇବା ପାଣିରେ ଏହି ସବୁ କଣିକା ରହିଥିବା ନେଇ ସନ୍ଦେହ କରି ଆସୁଥିଲେ ବୈଜ୍ଞାନିକ । ତେବେ ଜ୍ଞାନକୌଶଳ ଅଭାବରୁ ଏହି ସବୁ ନାନୋପ୍ଲାଷ୍ଟିକ କଣିକୁ ଗୁଡିକୁ ଠାବ କରାଯାଇ ପାରିନଥିଲା ।
ଆମେରିକାରେ ହୋଇଥିବା ଏକ ଗବେଷଣାରେ ୩ଟି ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ ବୋତଲରେ ଥିବା ପାଣିକୁ ନେଇ ଏହି ପରୀକ୍ଷା କରାଯାଇଥିଲା । 3 ବୋତଲରେ ଥିବା ପାଣିରେ 1 ଲକ୍ଷ 10 ହଜାରରୁ 3 ଲକ୍ଷ 10 ହଜାର ନାନୋପ୍ଲାଷ୍ଟିକ କଣିକା ଥିବା ଜଣାପଡିଥିଲା । ସେଥିମଧ୍ୟରୁ 90 ପ୍ରତିଶତ ନାନୋ ପ୍ଲାଷ୍ଟିକ ହୋଇଥିବାବେଲେ 10 ପ୍ରତିଶତ ମାଇକ୍ରୋପ୍ଲାଷ୍ଟିକ ଥିବା ଜଣାପଡିଥିଲା । ସ୍ବାସ୍ଥ୍ୟ ଉପରେ ପ୍ଲାଷ୍ଟିକର ପ୍ରଭାବକୁ ଭିତ୍ତିକରି ଏହି ସୂଚନା ଦେଇଛନ୍ତି ଗବେଷକ। ଆମେରିକାର ପ୍ରୋସିଡିଂ ଅପ ଦି ନେସନାଲ ଏକାଡେମି ଅଫ୍ ସାଇନ୍ସ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।
ବାରମ୍ବାର ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ଦ୍ୱାରା ଏହିସବୁ ହାନିକାରକ ରାସାୟନିକ ପଦାର୍ଥ ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ । ଫଳରେ ଏହା ଅନେକ ରୋଗର କାରଣ ହୋଇଥାଏ । ବିଶେଷକରି ଏଥିରେ ଥିବା ଥାଲେଟ୍ସ ନାମକ କେମିକାଲ ଲିଭର କ୍ୟାନ୍ସରର କାରଣ ସାଜିଥାଏ । କେବଳ ଏତିକି ନୁହେଁ, ଏହା ଦ୍ୱାରା ମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ।
କେବଳ ଏତିକି ନୁହେଁ, ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି ପିଇବା ଦ୍ୱାରା ଶରୀରକୁ ବାଇଫେନିଲ୍-ଏ ନାମକ ଏକ ମାରାତ୍ମକ ଏଷ୍ଟ୍ରୋଜେନ୍ ମିମିକିଙ୍ଗ୍ କେମିକାଲ୍ ଯାଇଥାଏ । ଏହା ମେଦବହୁଳତା, ଡାଇବେଟିସ୍, ପ୍ରଜନନ ସମସ୍ୟା ଭଳି ଅନେକ ରୋଗର କାରଣ ସାଜିଥାଏ ।
ପ୍ଲାଷ୍ଟିକ୍ ବୋତଲରେ ପାଣି ଅଧିକ ସମୟ ରହିବା ଏବଂ ତାହା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ସେଥିରୁ ଡାଇଅକ୍ସିନ୍ ନାମକ ଏକ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ । ଗାଡ଼ିରେ ପାଣିବୋତଲ ଅଧିକ ସମୟ ରଖିବା ଅବା ଗାଡ଼ି ଷ୍ଟାର୍ଟ ରଖି ବାହାରକୁ ଯିବା ଦ୍ୱାରା ମଧ୍ୟ ପାଣି ଗରମ ହେବା ସହ ଧୀରେ ଧୀରେ ପ୍ଲାଷ୍ଟିକ୍ ତରଳି ଏହି ଉପାଦାନ ନିର୍ଗତ ହୋଇ ପାଣିରେ ମିଶିଥାଏ, ଯାହା କି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ । ତେଣୁ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ପ୍ଲାଷ୍ଟିକ୍ ବୋତଲରେ ପାଣି ନ ପିଇବା ଭଲ ।












Click it and Unblock the Notifications