Get Updates
Get notified of breaking news, exclusive insights, and must-see stories!

Mann ki Baat: ଚଳିତ ବର୍ଷର ପ୍ରଥମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦୀ କହିଛନ୍ତି ଯେ, କୋଟି କୋଟି ଭାରତୀୟଙ୍କୁ ଏକାଠି କରିପାରିଛି ଅଯୋଧ୍ୟାର ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ସେହିପରି ଗଣତନ୍ତ୍ର ଦିବସ ପରେଡରେ ନାରୀଶକ୍ତିର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Mann Ki Baat

ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର ଏବଂ ଗଣତନ୍ତ୍ର ସମ୍ପର୍କରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ପିଏମ ମୋଦି । ଭାରତୀୟ ଗଣତନ୍ତ୍ର ଦିନକୁ ଦିନ ଆହୁରି ମଜବୁତ ହେଉଛି ବୋଲି କହିବା ସହ ପଦ୍ମ ପୁରସ୍କାରର ସ୍ୱରୁପ ବଦଳିବାରେ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏସଏଚଜି ମହିଳାଙ୍କ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ମହିଳା ସଶକ୍ତ ହେବେ ଏବଂ ଏସଏଚଜି ଏକ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ମନ କି ବାତ କାର୍ଯ୍ୟକ୍ରମ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ୫୯ ନମ୍ବର ବୁଥ କମିଟି ବୈଠକରେ ଯୋଗ ଦେଇଥିଲେ । ବୁଥ ସ୍ତରରେ ସଙ୍ଗଠନ ମଜବୁତ୍ ଦିଗରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ମୋଦୀ କହିଥିଲେ ବନ୍ଧୁଗଣ,

ମୁଁ ବହୁତ ଖୁସି ଯେ ଗତ ଏକ ଦଶନ୍ଧି ମଧ୍ୟରେ ପଦ୍ମ ସମ୍ମାନର ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ବଦଳିଯାଇଛି । ଏବେ ଏହା ପିପୁଲ୍ସ ପଦ୍ମ ହୋଇସାରିଛି । ପଦ୍ମ ସମ୍ମାନ ପ୍ରଦାନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛି । ଏବେ ଏଥିପାଇଁ ଲୋକଙ୍କ ନିକଟରେ ନିଜକୁ ମଧ୍ୟ ନାମାଙ୍କିତ କରିବାର ସୁଯୋଗ ରହିଛି । ଏହି କାରଣରୁ ଏଥର ୨୦୧୪ ତୁଳନାରେ ୨୮ ଗୁଣ ଅଧିକ ନାମାଙ୍କନ ମିଳିଥିଲା । ଏଥିରୁ ଜଣାପଡ଼େ ଯେ ପଦ୍ମ ସମ୍ମାନର ପ୍ରତିଷ୍ଠା, ତା'ର ବିଶ୍ୱସନୀୟତା, ସେଥିପ୍ରତି ସମ୍ମାନ ପ୍ରତିବର୍ଷ ବୃଦ୍ଧି ପାଉଛି । ମୁଁ ପଦ୍ମ ସମ୍ମାନ ପାଇଥିବା ସମସ୍ତଙ୍କୁ ପୁଣିଥରେ ଶୁଭକାମନା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ,

କୁହାଯାଏ ଯେ ପ୍ରତ୍ୟେକଙ୍କ ଜୀବନରେ ଏକ ଲକ୍ଷ୍ୟ ଥାଏ, ପ୍ରତ୍ୟେକ ଏହି ଲକ୍ଷ୍ୟକୁ ପୂର୍ଣ୍ଣ କରିବାକୁ ଜନ୍ମ ନେଇଥାନ୍ତି । ଏଥିପାଇଁ ଲୋକେ ସଂପୂର୍ଣ୍ଣ ନିଷ୍ଠାପର ଭାବେ ନିଜ କର୍ତ୍ତବ୍ୟ ପାଳନ କରିଥାନ୍ତି । ଆମେ ଦେଖିଛୁ ଯେ କିଏ ସମାଜସେବା ମାଧ୍ୟମରେ, କିଏ ସେନାରେ ଯୋଗଦେଇ, କିଏ ଆଗାମୀ ପିଢ଼ିକୁ ପାଠ ପଢ଼ାଇ ନିଜ କର୍ତ୍ତବ୍ୟ ପାଳନ କରିଥାଏ; କିନ୍ତୁ ବନ୍ଧୁଗଣ, ଆମ ଭିତରେ ଏଭଳି କିଛି ଲୋକ ମଧ୍ୟ ଥାଆନ୍ତି, ଯେଉଁମାନେ ଜୀବନର ଅନ୍ତ ପରେ ମଧ୍ୟ, ସମାଜ ପ୍ରତି ନିଜ ଦାୟିତ୍ୱ ତୁଲାଇଥାନ୍ତି ଓ ଏଥିପାଇଁ ତାଙ୍କର ମାଧ୍ୟମ ହୋଇଥାଏ ଅଙ୍ଗଦାନ । ଗତ କିଛିବର୍ଷ ମଧ୍ୟରେ ଦେଶରେ ଏକ ହଜାରରୁ ଅଧିକ ଲୋକ ଏଭଳି ଥିଲେ, ଯେଉଁମାନେ ନିଜ ମୃତ୍ୟୁ ପରେ ନିଜ ଅଙ୍ଗଦାନ କରିଛନ୍ତି । ଏହି ନିଷ୍ପତ୍ତି ସହଜ ହୋଇନଥାଏ, କିନ୍ତୁ ଏଭଳି ନିଷ୍ପତ୍ତି ଅନେକ ଜୀବନକୁ ବଞ୍ଚାଇ ଦେଇଥାଏ । ମୁଁ ସେହି ପରିବାରଗୁଡ଼ିକୁ ମଧ୍ୟ ପ୍ରଶଂସା କରୁଛି, ଯେଉଁମାନେ ନିଜ ଆତ୍ମୀୟଙ୍କର ଅନ୍ତିମ ଇଚ୍ଛାକୁ ସମ୍ମାନ ଦେଇଛନ୍ତି । ଆଜି, ଦେଶରେ ବହୁତ ସଂଗଠନ ଏ କ୍ଷେତ୍ରରେ ପ୍ରେରଣାଦାୟକ ପ୍ରୟାସ କରୁଛନ୍ତି । କେତେକ ସଂଗଠନ, ଲୋକଙ୍କୁ ଅଙ୍ଗଦାନ ପାଇଁ ସଚେତନ କରାଉଛନ୍ତି, କେତେକ ସଂସ୍ଥା ଅଙ୍ଗଦାନ ପାଇଁ ଇଚ୍ଛୁକ ଲୋକଙ୍କ ପଞ୍ଜୀକରଣ କରିବାରେ ସହାୟତା କରୁଛନ୍ତି । ଏପରି ପ୍ରୟାସ ଦ୍ୱାରା ଦେଶରେ ଅଙ୍ଗଦାନ ପ୍ରତି ସକାରାତ୍ମକ ପରିବେଶ ତିଆରି ହୋଇଛି ଓ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଯାଉଛି ।

ମୋର ପ୍ରିୟ ଦେଶବାସୀଗଣ,

ଏବେ ମୁଁ ଆପଣଙ୍କୁ ଭାରତର ଏପରି ଏକ ଉପଲବ୍ଧି କଥା କହିବାକୁ ଯାଉଛି, ଯାହାଦ୍ୱାରା ରୋଗୀଙ୍କର ଜୀବନ ସହଜ ହୋଇଯିବ, ସେମାନଙ୍କ ସମସ୍ୟା କିଛିଟା କମ୍‍ ହେବ । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଏପରି ଥିବେ, ଯାହାଙ୍କର ଚିକିତ୍ସାରେ ଆୟୁର୍ବେଦ, ସିଦ୍ଧ ବା ୟୁନାନି ଚିକିତ୍ସା ପଦ୍ଧତି ବେଶ୍‍ ସହାୟତା କରିଥିବ । କିନ୍ତୁ ଏହି ପଦ୍ଧତିରେ ଚିକିତ୍ସିତ ଲୋକଙ୍କୁ ସେତେବେଳେ ସମସ୍ୟା ହୋଇଥାଏ, ଯେତେବେଳେ ଏହି ପଦ୍ଧତିର କୌଣସି ଅନ୍ୟ ଡାକ୍ତରଙ୍କ ନିକଟକୁ ସେମାନେ ଯାଇଥାନ୍ତି । ଏହି ଚିକିତ୍ସା ପଦ୍ଧତିରେ ରୋଗର ନାମ, ଚିକିତ୍ସା, ଔଷଧ ପାଇଁ ସମାନ ପ୍ରକାରର ଭାଷା ବ୍ୟବହାର ହୋଇ ନଥାଏ । ପ୍ରତ୍ୟେକ ଚିକିତ୍ସକ ନିଜ ଢଙ୍ଗରେ ରୋଗର ନାମ ଓ ଚିକିତ୍ସା ପଦ୍ଧତି ଲେଖିଥାନ୍ତି । ଫଳରେ ଅନ୍ୟ ଚିକିତ୍ସକ ଏହାକୁ ବୁଝିବା ଅନେକ ସମୟରେ କଷ୍ଟକର ହୋଇପଡ଼େ । ଦଶନ୍ଧି ଧରି ଚାଲିଆସୁଥିବା ଏହି ସମସ୍ୟାର ଏବେ ସମାଧାନ ଖୋଜାଯାଇଛି । ମୁଁ ଏହା ଜଣାଇବାବେଳେ ଖୁସି ଲାଗୁଛି ଯେ ଆୟୁଷ ମନ୍ତ୍ରଣାଳୟ ଆୟୁର୍ବେଦ, ସିଦ୍ଧ ଓ ୟୁନାନୀ ଚିକିତ୍ସା ସହିତ ସଂପୃକ୍ତ ତଥ୍ୟ ଓ ଶବ୍ଦାବଳୀର ବର୍ଗୀକରଣ କରିଛି, ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସହାୟତା ଯୋଗାଇଛି । ଉଭୟଙ୍କ ପ୍ରୟାସରେ ଆୟୁର୍ବେଦ, ୟୁନାନୀ ଓ ସିଦ୍ଧ ଚିକିତ୍ସାରେ ରୋଗ ଓ ଚିକିତ୍ସା ସହିତ ସଂପୃକ୍ତ ଶବ୍ଦାବଳୀକୁ କୋଡିଂ କରାଯାଇଛି । ଏହି କୋଡିଂ ସାହାଯ୍ୟରେ ଏବେ ସମସ୍ତ ଡାକ୍ତର ପ୍ରେସ୍‍କ୍ରିପ୍ସନ ବା ନିଜର ଚିଠାରେ ସମାନ ଭାଷାରେ ଲେଖିବେ। ଏହାର ଗୋଟିଏ ଲାଭ ହେବ ଯେ ଯଦି ଆପଣ ସେହି ଚିଠା ନେଇ ଅନ୍ୟ ଡାକ୍ତରଙ୍କ ନିକଟକୁ ଯିବେ, ତେବେ ସେହି ଡାକ୍ତରଙ୍କୁ ତା'ର ପୂରା ତଥ୍ୟ ସେହି ଚିଠାରୁ ହିଁ ମିଳିଯିବ । ଆପଣଙ୍କ ରୋଗ, ଚିକିତ୍ସା, କୋଉ କୋଉ ଔଷଧ ଚାଲିଛି, କେବେଠୁ ଚିକିତ୍ସା ଚାଲିଛି, ଆପଣଙ୍କୁ କେଉଁ ଜିନିଷ ପ୍ରତି ଆଲର୍ଜି ଅଛି, ଏସବୁ ଜାଣିବା ପାଇଁ ସେହି ଚିଠା ସାହାଯ୍ୟ କରିବ । ଏହାର ଆଉ ଏକ ଲାଭ ସେହି ଲୋକଙ୍କୁ ମିଳିବ, ଯେଉଁମାନେ ଗବେଷଣା କାର୍ଯ୍ୟ ସହିତ ସଂପୃକ୍ତ ଅଛନ୍ତି । ଅନ୍ୟ ଦେଶର ବୈଜ୍ଞାନିକଙ୍କୁ ମଧ୍ୟ ରୋଗ, ଔଷଧ ଏବଂ ତା' ପ୍ରଭାବର ସଂପୂର୍ଣ୍ଣ ତଥ୍ୟ ମିଳିଯିବ । ଗବେଷଣା ଅଗ୍ରଗତି କଲେ ଏବଂ ଅନେକ ବୈଜ୍ଞାନିକ ଏକାଠି ଯୋଡ଼ିହେଲେ ଏହି ଚିକିତ୍ସା ପଦ୍ଧତି ଆହୁରି ଭଲ ପରିଣାମ ଦେବ ଓ ଲୋକଙ୍କର ସେଥିପ୍ରତି ଆଗ୍ରହ ବଢ଼ିବ । ମୋର ବିଶ୍ୱାସ ଯେ ଆୟୁଷ ପଦ୍ଧତିଗୁଡ଼ିକ ସହିତ ସଂପୃକ୍ତ ଆମର ଚିକିତ୍ସକ ଏହି କୋଡିଂକୁ ଯଥାଶୀଘ୍ର ଆପଣାଇବେ ।

ମୋର ବନ୍ଧୁଗଣ,

ଯେତେବେଳେ ଆୟୁଷ ଚିକିତ୍ସା ପଦ୍ଧତି କଥା କହୁଛିି ତ ମୋ ଦୃଷ୍ଟି ସମ୍ମୁଖକୁ ୟାନୁଙ୍ଗ ଜାମୋହ ଲେଗୋଙ୍କ ଚିତ୍ର ଚାଲିଆସୁଛି । ସୁଶ୍ରୀ ୟାନୁଙ୍ଗ୍ ଅରୁଣାଚଳ ପ୍ରଦେଶର ବାସିନ୍ଦା ଓ ସେ ଜଣେ ହର୍ବାଲ୍‍ ଔଷଧୀୟ ବିଶେଷଜ୍ଞ । ସେ ଆଦିମ ଜନଜାତିଙ୍କ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ପୁନର୍ଜୀବିତ କରିବା ପାଇଁ ବହୁତ କାମ କରିଛନ୍ତି । ଏହି ଅବଦାନ ପାଇଁ ତାଙ୍କୁ ଏଥର ପଦ୍ମ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । ସେହିଭଳି ଏଥର ଛତିଶଗଡ଼ର ହେମଚନ୍ଦ ମାଂଝୀଙ୍କୁ ମଧ୍ୟ ପଦ୍ମ ସମ୍ମାନ ମିଳିଛି । ବୈଦ୍ୟରାଜ ହେମଚନ୍ଦ ମାଂଝୀ ମଧ୍ୟ ଆୟୁଷ ଚିକିତ୍ସା ପଦ୍ଧତି ସହାୟତାରେ ଲୋକଙ୍କର ଚିକିତ୍ସା କରିଥାନ୍ତି । ଛତିଶଗଡ଼ର ନାରାୟଣପୁରରେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସେ ଗରିବ ରୋଗୀଙ୍କର ସେବା କରିଆସୁଛନ୍ତି । ଆମ ଦେଶରେ ଆୟୁର୍ବେଦ ଓ ଚେରମୂଳି ଔଷଧର ଯେଉଁ ଭଣ୍ଡାର ଲୁଚି ରହିଛି, ତା'ର ସଂରକ୍ଷଣରେ ସୁଶ୍ରୀ ୟାନୁଙ୍ଗ ଓ ହେମଚନ୍ଦ ଜୀଙ୍କ ଭଳି ଲୋକଙ୍କର ବଡ଼ ଭୂମିକା ରହିଛି ।

ମୋର ପ୍ରିୟ ଦେଶବାସୀଗଣ,

"ମନ୍‍ କୀ ବାତ୍‍" ଜରିଆରେ ମୋର ଓ ଆପଣମାନଙ୍କର ଯେଉଁ ସଂପର୍କ ଗଢ଼ିଉଠିଛି ତାହା ଗୋଟିଏ ଦଶନ୍ଧି ପୁରୁଣା ହୋଇସାରିଛି । ସୋସିଆଲ୍‍ ମିଡିଆ ଓ ଇଣ୍ଟରନେଟ୍‍ର ଏହି ଯୁଗରେ ମଧ୍ୟ ରେଡିଓ ସମଗ୍ର ଦେଶକୁ ଯୋଡ଼ିବାର ଏକ ସଶକ୍ତ ମାଧ୍ୟମ । ରେଡିଓର ଶକ୍ତି କିଭଳି ପରିବର୍ତ୍ତନ ଆଣିପାରେ, ଏହାର ଏକ ନିଆରା ଉଦାହରଣ ଛତିଶଗଡ଼ରେ ଦେଖିବାକୁ ମିଳିଛି । ଗତ ପ୍ରାୟ ୭ ବର୍ଷ ଧରି ଏଠାରେ ରେଡିଓରେ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି, ଯାହାର ନାମ 'ହମର୍‍ ହାଥୀ- ହମର୍‍ ଗୋଠ୍‍' । ନାଁ ଶୁଣି ଆପଣଙ୍କୁ ଲାଗିପାରେ ଯେ ରେଡିଓ ଓ ହାତୀର କି ସଂପର୍କ ହୋଇପାରେ; କିନ୍ତୁ ଏହା ହିଁ ତ ରେଡ଼ିଓର ବିଶେଷତ୍ୱ । ଛତିଶଗଡ଼ରେ ଆକାଶବାଣୀର ଚାରିଟି କେନ୍ଦ୍ର ଅମ୍ବିକାପୁର, ରାୟପୁର, ବିଳାସପୁର ଓ ରାୟଗଡ଼ରୁ ପ୍ରତି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ ଓ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଛତିଶଗଡ଼ର ଜଙ୍ଗଲ ଓ ତା' ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ବଡ଼ ଧ୍ୟାନର ସହିତ ଏହି କାର୍ଯ୍ୟକ୍ରମକୁ ଶୁଣନ୍ତି । 'ହମର୍‍ ହାଥୀ-ହମର୍‍ ଗୋଠ୍‍' କାର୍ଯ୍ୟକ୍ରମରେ ହାତୀପଲ ଜଙ୍ଗଲର କେଉଁ ଅଞ୍ଚଳ ଦେଇ ଯାତାୟାତ କରୁଛନ୍ତି ତାହା ଜଣାଇ ଦିଆଯାଏ ।

ଏହି ତଥ୍ୟ ଏଠାକାର ଲୋକଙ୍କର ବହୁତ କାମରେ ଆସେ । ଲୋକଙ୍କୁ ରେଡିଓରୁ ହାତୀପଲ ଯାତାୟାତର ତଥ୍ୟ ମିଳିବା କ୍ଷଣି ସେମାନେ ସତର୍କ ହୋଇଯାଆନ୍ତି । ଯେଉଁ ରାସ୍ତା ଦେଇ ହାତୀପଲ ଯାତାୟାତ କରନ୍ତି, ସେଠାକୁ ଯିବାର ବିପଦ ଟଳିଯାଏ । ଏହାଦ୍ୱାରା ଗୋଟିଏ ପଟେ ହାତୀପଲ ଦ୍ୱାରା କ୍ଷତିର ସମ୍ଭାବନା କମିଯାଏ ଏବଂ ଅନ୍ୟପଟେ ହାତୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାରେ ସହାୟତା ମିଳିଥାଏ । ଏହି ତଥ୍ୟର ଉପଯୋଗ ଦ୍ୱାରା ଭବିଷ୍ୟତରେ ହାତୀଙ୍କ ସଂରକ୍ଷଣରେ ମଧ୍ୟ ସହାୟତା ମିଳିବ । ଏଠାରେ ସୋସିଆଲ୍‍ ମିଡିଆ ଜରିଆରେ ମଧ୍ୟ ଲୋକଙ୍କୁ ହାତୀଙ୍କ ସହିତ ସଂପୃକ୍ତ ସୂଚନା ଦିଆଯାଉଛି । ଏହାଦ୍ୱାରା ଜଙ୍ଗଲ ଆଖପାଖରେ ରହୁଥିବା ଲୋକଙ୍କୁ ହାତୀଙ୍କ ସହ ତାଳମେଳ ରଖିବା ସହଜ ହୋଇଯାଇଛି । ଦେଶର ଅନ୍ୟ ବନାଞ୍ଚଳରେ ରହୁଥିବା ଲୋକେ ମଧ୍ୟ ଛତିଶଗଡ଼ର ଏହି ନିଆରା ପ୍ରୟାସ ଏବଂ ତା'ର ଅଭିଜ୍ଞତାର ଲାଭ ଉଠାଇପାରିବେ ।

ଖେଳଦୁନିଆରେ ଆଗେଇବା ପାଇଁ ନିହାତି ଜରୁରୀ କଥା ହେଉଛି ଖେଳାଳିମାନଙ୍କୁ ଅଧିକରୁ ଅଧିକ ଖେଳିବାର ସୁଯୋଗ ମିଳିବା ଉଚିତ ଏବଂ ଦେଶରେ ଭଲ ଭାବରେ କ୍ରୀଡା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବା ଉଚିତ । ଏହି ଭାବନା ଅନୁସାରେ ଆଜି ଭାରତରେ ନୂଆ ନୂଆ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଛି । ଏଇ କିଛିଦିନ ତଳେ ଚେନ୍ନଇରେ "ଖେଲୋ ଇଣ୍ଡିୟା ୟୁଥ୍ ଗେମ୍ସ"ର ଉଦଘାଟନ ମଧ୍ୟ କରାଗଲା । ଏଥିରେ ସାରାଦେଶର ପାଞ୍ଚହଜାରରୁ ଅଧିକ ଆଥଲେଟ ଭାଗ ନେଉଛନ୍ତି । ମୁଁ ଖୁସି ଯେ ଆଜି ଭାରତରେ ନିୟମିତ ଭାବେ ଏଇଭଳି ପ୍ଲାଟଫର୍ମ ପ୍ରସ୍ତୁତ ହେଉଛି ଯେଉଁଥିରେ ଖେଳାଳିମାନଙ୍କୁ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାର ସୁଯୋଗ ମିଳୁଛି । ଏହିଭଳି ଗୋଟିଏ ମାଧ୍ୟମ ହେଉଛି ବିଚ୍ ଗେମ୍ସ ଯାହାର ଆୟୋଜନ ଡିୟୁଠାରେ କରାଯାଇଥିଲା । ଆପଣମାନେ ଜାଣନ୍ତି ଡିୟୁ ସୋମନାଥର ପାଖାପାଖି ଏକ କେନ୍ଦ୍ରଶାସିତ ଅଞ୍ଚଳ । ଏହି ବର୍ଷର ଆରମ୍ଭରେ ହିଁ ଡିୟୁରେ ବିଚ୍ ଗେମ୍ସ ଆୟୋଜନ କରାଯାଇଥିଲା । ଏହା ଭାରତର ପ୍ରଥମ Multi Sports Beach Games ଥିଲା । ଏଥିରେ Tug of War, Sea Swimming, Pencaksilat, ମଲ୍‌ଖମ୍ବ Beach Volleyball, ବିଚ୍ କବାଡ଼ି, Beach Soccer ଏବଂ Beach Boxing ଭଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ପ୍ରତ୍ୟେକ ପ୍ରତିଯୋଗୀକୁ ନିଜର ପ୍ରତିଭା ପ୍ରଦର୍ଶନର ପୂର୍ଣ୍ଣ ସୁଯୋଗ ମିଳିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ଏଭଳି ରାଜ୍ୟରୁ ଖେଳାଳିମାନେ ଯୋଗଦେଇଥିଲେ, ଯେଉଁମାନଙ୍କର ସମୁଦ୍ର ସହିତ ସାମାନ୍ୟ ସମ୍ପର୍କ ମଧ୍ୟ ନାହିଁ। ଏହି tournamentରେ ସବୁଠାରୁ ଅଧିକ ପଦକ ବି ମଧ୍ୟପ୍ରଦେଶ ଜିତିଥିଲା, ଯେଉଁଠି କୌଣସି ବେଳାଭୂମି ନାହିଁ । ଖେଳ ପ୍ରତି ଏହିଭଳି ମନୋଭାବ ଯେକୌଣସି ଦେଶକୁ ଖେଳଦୁନିଆର ସମ୍ରାଟ (ସର୍ବଶ୍ରେଷ୍ଠ ଦେଶ) ଭାବେ ଗଢ଼ିତୋଳିପାରେ ।

ମୋର ପ୍ରିୟ ଦେଶବାସୀଗଣ,

'ମନ୍ କି ବାତ୍‌'ରେ ଏଥରକ ମୋ ସାଥିରେ ଏତିକି । ଫେବୃୟାରୀ ମାସରେ ଆପଣମାନଙ୍କ ସାଥେ ପୁଣିଥରେ କଥାହେବି । ଦେଶର ଲୋକମାନଙ୍କର ସାମୂହିକ ପ୍ରୟାସ ଦ୍ୱାରା, ବ୍ୟକ୍ତିଗତ ପ୍ରୟାସ ଦ୍ୱାରା ଦେଶ କେମିତି ଆଗକୁ ବଢ଼େ, ସେ ବିଷୟକୁ ହିଁ କେନ୍ଦ୍ରିତ ((focus) କରାଯିବ । ସାଥିଗଣ କାଲି ଅଣତିରିଶ ତାରିଖ ସକାଳ ଏଗାରଟା ବେଳେ ଆମେ "ପରୀକ୍ଷା ପେ ଚର୍ଚ୍ଚା" ମଧ୍ୟ କରିବା । "ପରୀକ୍ଷା ପେ ଚର୍ଚ୍ଚା"ର ଏହା ୭ମ ସଂସ୍କରଣ ହେବ । ଏହା ଏଭଳି କାର୍ଯ୍ୟକ୍ରମ ଯାହାକୁ ମୁଁ ସବୁବେଳେ ପ୍ରତୀକ୍ଷା କରିଥାଏ । ଏଥିରେ ମୋତେ ଛାତ୍ରଛାତ୍ରୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଥାଏ ଏବଂ ମୁଁ ସେମାନଙ୍କର ଚାପକୁ କମ୍ କରିବାର ପ୍ରୟାସ ମଧ୍ୟ କରିଥାଏ । ଗତ ସାତବର୍ଷ ଭିତରେ "ପରୀକ୍ଷା ପେ ଚର୍ଚ୍ଚା" ଶିକ୍ଷା ଏବଂ ପରୀକ୍ଷା ସହିତ ସମ୍ବନ୍ଧିତ ଅନେକ ବିଷୟରେ ଆଲୋଚନା କରିବାର ଗୋଟିଏ ଭଲ ମାଧ୍ୟମ ହୋଇପାରିଛି । ମୁଁ ଖୁସି ଯେ ଏ ବର୍ଷ ପ୍ରାୟ ୨ କୋଟି ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ପଞ୍ଜିକରଣ କରିଛନ୍ତି ଏବଂ ନିଜର ଇନପୁଟ ମଧ୍ୟ ଦେଇଛନ୍ତି । ମୁଁ ଆପଣମାନଙ୍କୁ ଜଣାଇଦେବାକୁ ଚାହେଁ ଯେ ଦୁଇହଜାର ଅଠର ମସିହାରେ ଯେତେବେଳେ ମୁଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲି ସେତେବେଳେ ଏହି ସଂଖ୍ୟା କେବଳ ବାଇଶ ହଜାର ଥିଲା । ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଏବଂ ପରୀକ୍ଷାର ଚାପ ସମ୍ବନ୍ଧରେ ସଚେତନତା ପାଇଁ ଅନେକ ଅଭିନବ ପ୍ରୟାସ କରାଯାଇଛି । ମୁଁ ଆପଣମାନଙ୍କୁ ବିଶେଷକରି ଯୁବବର୍ଗ ଓ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରୁଛି କି କାଲି ରେକର୍ଡ଼ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ । ମୋତେ ମଧ୍ୟ ଆପଣମାନଙ୍କ ସହିତ କଥାହୋଇ ବହୁତ ଭଲ ଲାଗିବ । ଏତିକି କହି ମୁଁ 'ମନ୍ କି ବାତ୍‌'ର ଆଜିର ଅଧ୍ୟାୟରୁ ବିଦାୟ ନେଉଛି । ଖୁବ୍‌ଶୀଘ୍ର ପୁଣି ଭେଟିବା, ଧନ୍ୟବାଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+