ଗିରଫ ହେଲା ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିଥିବା ବିଜେପି ନେତା
ଭୋପାଳ : ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାର ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଥିବା ବ୍ୟକ୍ତିଙ୍କୁ ପୋଲିସ ବୁଧବାର ଗିରଫ କରିଛି । ପ୍ରବେଶ ଶୁକ୍ଲା ନାମକ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିବା ନେଇ ଭିଡ଼ିଓ ଭାଇରାଲ ହେବା ପରେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଯୁବକ ଜଣଙ୍କ ପରିସ୍ରା କରୁଥିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା । ଲିଡ୍ ଆଧାରରେ ବୁଧବାର ରାତି ପ୍ରାୟ 2 ଟା ସମୟରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ତାଙ୍କୁ ପଚରାଉଚରା କରାଯାଉଛି ବୋଲି ଅତିରିକ୍ତ ପୋଲିସ ଅଧୀକ୍ଷକ ଅଞ୍ଜୁଲତା ପାଟଲେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି । ଏଥିସହ ମଧ୍ୟପ୍ରଦେଶର ସିଏମ ଶିବରାଜ ସିଂହ ଚୌହାନଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କଠୋର ଜାତୀୟ ସୁରକ୍ଷା ଆଇନ (ଏନଏସଏ)ଲାଗୁ କରିଛି ।
ଭାରତୀୟ ଦଣ୍ଡ ସଂହିତା ଧାରା 294 (ଅଶ୍ଳୀଳ କାର୍ଯ୍ୟ), 504 (ଶାନ୍ତି ଉଲ୍ଲଂଘନ ପାଇଁ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ପ୍ରିଭେନସନ୍ ଅଫ୍ ଆଟ୍ରୋସିଟିସ୍) ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା ।
ଭାଇରାଲ୍ ଭିଡିଓର ପ୍ରତିକ୍ରିୟାରେ ସିଏମ୍ ଶିବରାଜ ସିଂ ଚୌହାନ ଏହା ପୂର୍ବରୁ କହିଥିଲେ ଯେ ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ, ପ୍ରବେଶ ଶୁକ୍ଳାଙ୍କ ପିତା ରମାକାନ୍ତ ଶୁକ୍ଳା କହିଛନ୍ତି ଯେ, ତାଙ୍କ ପୁଅ 'ବିଜେପି' ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିନିଧି ହୋଇଥିବାରୁ ବିରୋଧୀ ଦଳ ତାକୁ ଟାର୍ଗେଟ୍ କରିଛି ।
କଂଗ୍ରେସ ସାଂସଦ କମଲନାଥ ମଧ୍ୟ କହିଛନ୍ତି, ଜନଜାତିଙ୍କୁ ଉପରେ ଚାଲିଥିବା ଅତ୍ୟାଚାର କ୍ଷେତ୍ରରେ ମଧ୍ୟପ୍ରଦେଶ ଏକ ନମ୍ବର ରାଜ୍ୟ ହୋଇଗଲାଣି । ଏ ଘଟଣା ସମଗ୍ର ମଧ୍ୟପ୍ରଦେଶକୁ ଲଜ୍ଜିତ କରିଛି । ଅଭିଯୁକ୍ତଙ୍କୁ କଠୋର ଶାସ୍ତି ଦେବା ପାଇଁ ମୁଁ ଦାବି କରୁଛି ।
କିନ୍ତୁ, ବିଜେପି ନିଜର ପ୍ରତିକ୍ରିୟା ରଖି କହିଛି, ପ୍ରବେଶଙ୍କର ଦଳ ସହିତ ସମ୍ପୃକ୍ତି ନାହିଁ । ବିଧାୟକ କେଦାରନାଥ ଶୁକ୍ଳା କହିଛନ୍ତି, ପ୍ରବେଶ କେବେ ବି ମୋର ପ୍ରତିନିଧି ନ ଥିଲେ । ଖାଲି ସେମତି ଚିହ୍ନାଜଣା ଅଛି ।












Click it and Unblock the Notifications