ଦୁଇ ରାଜ୍ୟରେ ପୁଣି ବଢିଲା ଲକଡାଉନ୍, ଜାଣନ୍ତୁ କଣ ରହିବ କଟକଣା
ସଂକ୍ରମଣ ସକାଶେ ଆଜି ଦୁଇ ରାଜ୍ୟ ପଶ୍ଚିମବଙ୍ଗ ଓ ପଞ୍ଜାବ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି । ବେଙ୍ଗଲ ଜୁନ୍ 15 ତାରିଖ ଯାଏଁ କରୋନା କଟକଣା ବୃଦ୍ଧି କରିଥିବା ବେଳେ ପଞ୍ଜାବରେ 10 ତାରିଖ ଯାଏଁ ଲକଡାଉନ ଲାଗୁ ହେବ ।
ନୂଆଦିଲ୍ଲୀ : ସାରା ଦେଶରେ କୋରନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ଲକଡାଉନ୍ ଲାଗୁ କରିଛନ୍ତି । ଏହି ସମୟରେ ସଂକ୍ରମଣ ସକାଶେ ଆଜି ଦୁଇ ରାଜ୍ୟ ପଶ୍ଚିମବଙ୍ଗ ଓ ପଞ୍ଜାବ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି । ବେଙ୍ଗଲ ଜୁନ୍ 15 ତାରିଖ ଯାଏଁ କରୋନା କଟକଣା ବୃଦ୍ଧି କରିଥିବା ବେଳେ ପଞ୍ଜାବରେ 10 ତାରିଖ ଯାଏଁ ଲକଡାଉନ ଲାଗୁ ହେବ ।

ଲକ୍ଡାଉନ୍ ବୃଦ୍ଧି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିବା ସହ ଲୋକଙ୍କୁ ସହଯୋଗ ପାଇଁ ଅପିଲ୍ କରିଛନ୍ତି । ରାଜ୍ୟରେ ସଂକ୍ରମଣ କମିଥିବା ସହ ଅର୍ଥବ୍ୟବସ୍ଥା ଚାଲୁ ରଖିବାକୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଲାଗୁ କରାଯାଇନାହିଁ । ଏହାକୁ ଲକ୍ଡାଉନ୍ ବୋଲି କୁହନ୍ତୁନାହିଁ ବୋଲି ମମତା ଲୋକମାନଙ୍କୁ କହିଛନ୍ତି । ବେଙ୍ଗଲରେ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ମେ' 15 ତାରିଖରେ ସରକାର କଟକଣା ଲାଗୁ କରିଥିଲେ । ଏହା 31 ତାରିଖରେ ଶେଷ ହେବାର ଥିଲା ।
କଟକଣା ଅନୁଯାୟୀ, ସମସ୍ତ ଅଣଅତ୍ୟାବଶ୍ୟକ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ। ସମସ୍ତ ଯାତାୟାତ ଓ ମେଟ୍ରୋ ସେବା ବନ୍ଦ ରହିବ । ଜରୁରୀ ସେବା ଓ ହୋମ ଡେଲିଭରୀ ଜାରି ରହିବ । ଗ୍ରୋସରୀ ଓ ଅନ୍ୟାନ୍ୟ ଜରୁରୀ ସେବା ବିକ୍ରି କରୁଥିବା ଦୋକାନ ସକାଳ 7ରୁ ଦିନ 10 ଯାଏଁ ଖୋଲା ରହିବ । ମିଠା ବିକ୍ରି କରୁଥିବା ଦୋକାନ ସକାଳ 10ଟାରୁ ସନ୍ଧ୍ୟା 5 ଯାଏଁ ଖୋଲିବ ।
ଅନ୍ୟପକ୍ଷରେ ପଞ୍ଜାବରେ ସଂକ୍ରମଣ କମୁଥିଲେ ମଧ୍ୟ ରାଜ୍ୟ ସରକାର 10 ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଛନ୍ତି । ତେବେ ବ୍ୟକ୍ତିଗତ କାରରେ ଯାତାୟାତ ପାଇଁ ଯାତ୍ରୀଙ୍କ ସଂଖ୍ୟାରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି । ପୂର୍ବରୁ ଏପରି ଗାଡ଼ିରେ କେବଳ ଦୁଇ ଜଣ ଯାତ୍ରୀଙ୍କୁ ଯିବାର ଅନୁମତି ଥିଲା । ପଞ୍ଜାବ ସରକାର ଜାରି କରିଥିବା ଲକଡାଉନ 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ।
ନିୟମ ଅନୁଯାୟୀ, ପଞ୍ଜାବ ଆସୁଥିବା ବାହାର ରାଜ୍ୟର ଲୋକମାନଙ୍କୁ ସେମାନଙ୍କର ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଏହି ଟେଷ୍ଟ 72 ଘଣ୍ଟା ପୂର୍ବରୁ ହୋଇଥିବା ଦରକାର । ସେହିପରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଦୁଇ ଚକିଆ ଗାଡ଼ିରେ ଗୋଟିଏ ପରିବାରର ଦୁଇ ଜଣ ଯାଇ ପାରିବେ । ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ସଂପୂର୍ଣ୍ଣ ବନ୍ଦ ରହିବ ।












Click it and Unblock the Notifications