ଲକ୍ଷ୍ମୀପୁର ଖେରୀ ମାମଲା : ଷ୍ଟାଟସ୍ ରିପୋର୍ଟ ଦାଖଲରେ ବିଳମ୍ବ ନେଇ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍
ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାରେ ବିଳମ୍ବ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ୍ କରିଛନ୍ତି । ଏହି ମାମଲାରେ ୟୁପି ସରକାର ନିଜ ଆଡ଼ୁ ପଛଘୁଞ୍ଚା ଦେଉଛନ୍ତି ବୋଲି କୋର୍ଟ କହିଛନ୍ତି ।
ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାରେ ବିଳମ୍ବ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ୍ କରିଛନ୍ତି । ଏହି ମାମଲାରେ ୟୁପି ସରକାର ନିଜ ଆଡ଼ୁ ପଛଘୁଞ୍ଚା ଦେଉଛନ୍ତି ବୋଲି କୋର୍ଟ କହିଛନ୍ତି ।
ଭାରତର ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛି ଯେ ଆମେ ଗତ ରାତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ, କିନ୍ତୁ ରିପୋର୍ଟ ଦାଖଲ କରାଯାଇ ନାହିଁ । ତେବେ ବରିଷ୍ଠ ଓକିଲ ହରିଶ ସାଲଭେ କୋର୍ଟଙ୍କୁ କହିଛନ୍ତି ଯେ ଏହି ରିପୋର୍ଟ ଦାଖଲ କରାଯାଇଛି ।

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ମାମଲାର ତଦନ୍ତ ସହ ଜଡିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆଜି କହିଛନ୍ତି ଯେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ପଛଘୁଞ୍ଚା ଦେଉଥିବା ଜଣାପଡିଛି । ଏହି ମାମଲାର ଯାଞ୍ଚରେ ଅଗ୍ରଗତି ସମ୍ପର୍କରେ ସୁପ୍ରିମକୋର୍ଟ କହିଛନ୍ତି, 'ଆମେ ଅନୁଭବ କରୁଛୁ ଯେ ରାଜ୍ୟ ସରକାର ପଛକୁ ହଟୁଛନ୍ତି । ଆପଣ ନିଶ୍ଚିତ କରନ୍ତୁ ଯେ ଆପଣ ସାକ୍ଷୀମାନଙ୍କୁ ସୁରକ୍ଷା ଦେଉଛନ୍ତି ।'
ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା ପ୍ରଶ୍ନ କରିଛନ୍ତି, 'ଯଦି ଆପଣ ଶୁଣାଣିର କିଛି ମିନିଟ ପୂର୍ବରୁ ଏହାକୁ ଦାଖଲ କରନ୍ତି ତେବେ ଆମେ କିପରି ରିପୋର୍ଟ ପଢିବୁ ? ଶୁଣାଣିର ଅତି କମରେ ଗୋଟିଏ ଦିନ ପୂର୍ବରୁ ଏହା ଦାଖଲ ହେବ ବୋଲି ଆମେ ଆଶା କରୁଛୁ । ଆମେ କେବେ କହି ନାହୁଁ ଏହା ଏକ ସିଲ୍ କଭରରେ ରହିବା ଆବଶ୍ୟକ । ଗତକାଲି ଆମେ ରାତି 1 ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ ।'
ବର୍ତ୍ତମାନ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଆସନ୍ତା ସପ୍ତାହ ସୁଦ୍ଧା ଏକ ନୂତନ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ଆପଣ କହୁଛନ୍ତି ଯେ ଆପଣ 44 ଜଣ ସାକ୍ଷୀଙ୍କୁ ପଚରାଉଚୁରା କରିଛନ୍ତି । 4 ଜଣ ସାକ୍ଷୀଙ୍କ ବିବୃତ୍ତି 164 ଅଧୀନରେ କରାଯାଇଛି । ଅବଶିଷ୍ଟମାନେ କାହିଁକି ସେମାନଙ୍କ ବିବୃତ୍ତି ରେକର୍ଡ କରିନାହାଁନ୍ତି ? ଏହି ମାମଲାରେ ଏପର୍ଯ୍ୟନ୍ତ କେତେ ଜଣ ଗିରଫ ହୋଇଛନ୍ତି ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ଉପରେ ସାଲଭେ କହିଛନ୍ତି, '10 ଜଣଙ୍କୁ ଗିରଫ କରାଯାଇଛି । ଦୁଇ ପ୍ରକାରର ଅପରାଧ ଥିଲା, ଗୋଟିଏ ଅପରାଧରେ ଏକ କାର ଲୋକଙ୍କ ଉପରେ ଚଢାଇ ଦିଆଯାଇଥିଲା । ଦ୍ୱିତୀୟଟି ଘଟିଥିଲା ଯେତେବେଳେ କାରରେ ଦୁଇଜଣ ଲୋକଙ୍କୁ ଆକ୍ରମଣ ହୋଇଥିଲା । ଏହାକୁ ଯାଞ୍ଚ କରିବା ଟିକେ କଷ୍ଟସାଧ୍ୟ, କାରଣ ସେଠାରେ ବହୁତ ଭିଡ ଥିଲା ।
ଏହା ଉପରେ ସିଜେଆଇ ଜଷ୍ଟିସ ରମନା ଆସନ୍ତା ବୁଧବାର ଦିନ ପୁନର୍ବାର ଏହି ମାମଲାର ଶୁଣାଣି କରିବାକୁ କହିଛନ୍ତି । ସେ କହିଛନ୍ତି, "ଆବେଦନକାରୀ କହିଛନ୍ତି ଯେ ତାଙ୍କୁ ଷ୍ଟାଟସ୍ ରିପୋର୍ଟ ଦିଆଯାଇ ନାହିଁ । ଏହା ଏକ ସମ୍ବେଦନଶୀଳ ବିଷୟ । ' ଏହି ମାମଲାର ଶୁଣାଣି ଅକ୍ଟୋବର 26 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।












Click it and Unblock the Notifications