କମିବନି କୁମ୍ଭମେଳାର ଅବଧି, ସ୍ପଷ୍ଟୀକରଣ ଦେଲେ ହରିଦ୍ୱାର ଜିଲ୍ଲାପାଳ ଦୀପକ ରାୱତ
ହରିଦ୍ୱାର କୁମ୍ଭମେଳା ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅର୍ଥାତ୍ 30 ଅପ୍ରେଲ ପର୍ଯ୍ୟନ୍ତ ଚାଲିବ । କୁମ୍ଭମେଲା ଅବଧି ହ୍ରାସ କରିବା ନେଇ ବର୍ତ୍ତମାନ କୌଣସି ସୂଚନା ନାହିଁ ।
ହରିଦ୍ୱାର : କରୋନା ଭାଇରସ ପ୍ରକୋପ ବଢୁଥିବା ସହ ହରିଦ୍ୱାରରେ ଚାଲିଥିବା କୁମ୍ଭମେଳାକୁ ନେଇ ସୋଶାଲ ମିଡ଼ିଆରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ସୋଶାଲ୍ ମିଡ଼ିଆ ଏବଂ କେତେକ ମିଡ଼ିଆ ରିପୋର୍ଟରେ ଦାବି କରାଯାଉଥିଲା ଯେ, ହରିଦ୍ୱାରର କୁମ୍ଭମେଳା ଅବଧି ହ୍ରାସ କରାଯାଇପାରେ । ଏ ସମସ୍ତ ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି ହରିଦ୍ୱାର ଜିଲ୍ଲାପାଳ ଦୀପକ ରାୱତ । ଏହି ସମଗ୍ର ପ୍ରସଙ୍ଗରେ ହରିଦ୍ୱାରର ଡିଏମ୍ ଏବଂ କୁମ୍ଭମେଳା ଅଧିକାରୀ ଦୀପକ ରାୱତ କହିଛନ୍ତି ଯେ, ହରିଦ୍ୱାର କୁମ୍ଭମେଳା ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅର୍ଥାତ୍ 30 ଅପ୍ରେଲ ପର୍ଯ୍ୟନ୍ତ ଚାଲିବ । କୁମ୍ଭମେଲା ଅବଧି ହ୍ରାସ କରିବା ନେଇ ବର୍ତ୍ତମାନ କୌଣସି ସୂଚନା ନାହିଁ ।

ଉତ୍ତରାଖଣ୍ଡ ସରକାର ମଧ୍ୟ କୁମ୍ଭମେଳା ସମୟର କୌଣସି ପରିବର୍ତ୍ତନ ବିଷୟରେ ଆଲୋଚନା କରିବାକୁ ମନା କରି ଦେଇଛନ୍ତି । ସୋଶାଲ୍ ମିଡିଆରେ ଚାଲିଥିବା ଖବର ଭିତ୍ତିହୀନ ବୋଲି କହିଛନ୍ତି ରାଜ୍ୟ ସରକାର । କୁମ୍ଭମେଳାର ଅବଧି ହ୍ରାସ କରିବାକୁ ବର୍ତ୍ତମାନ କୌଣସି ଯୋଜନା ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୂଚନାଯୋଗ୍ୟ, ଗତ ପାଞ୍ଚଦିନ ମଧ୍ୟରେ ହରିଦ୍ୱାରରେ 2167 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି । ଏଥି ସହିତ ଗତ 48 ଘଣ୍ଟା ମଧ୍ୟରେ 1 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ହରିଦ୍ୱାରର ଡିଏମ୍ ଏବଂ କୁମ୍ଭମେଳା ଅଧିକାରୀ ଦୀପକ ରାୱତ ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇଛନ୍ତି ଯେ, ''କୁମ୍ଭମେଳା ଜାନୁଆରୀରୁ ଆରମ୍ଭ ହେବାକୁ ଥିଲା । କିନ୍ତୁ କୋଭିଡ -19 ର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅପ୍ରେଲରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ଆମେ କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁସରଣ କରୁ, ସେମାନେ କହିଛନ୍ତି ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୁମ୍ଭମେଳାର ଅବଧି ହ୍ରାସ କରାଯିବା ଉଚିତ୍ । କିନ୍ତୁ କୁମ୍ଭମେଳା ବନ୍ଦ ନେଇ ବର୍ତ୍ତମାନ ସୁଦ୍ଧା ସେପରି କୌଣସି ସୂଚନା ପାଇ ନାହିଁ। ''
ଏହାପୂର୍ବରୁ ବୁଧବାର (ଏପ୍ରିଲ 14) ଉତ୍ତରାଖଣ୍ଡ ସରକାର ଏବଂ ଧର୍ମଗୁରୁଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କୁମ୍ଭମେଳାର ଅବଧି ହ୍ରାସ ହେବାର ଖବର ଉପରେ ଆଲୋଚନା କରାଯାଇଥିଲା । ବୈଠକ ପରେ ଅଧିକାରୀମାନେ କହିଛନ୍ତି ଯେ ଆଲୋଚନା ସମୟରେ ହରିଦ୍ୱାର କୁମ୍ଭମେଳାର ଅବଧି ହ୍ରାସ କରିବାକୁ କୌଣସି ଯୋଜନା କରାଯାଇ ନାହିଁ । କୁମ୍ଭ ମେଳା ନିରବଚ୍ଛିନ୍ନ ଭାବରେ ଜାରି ରହିବ ।












Click it and Unblock the Notifications