କରୋନା ଲଢେଇରେ ସାମିଲ ହେଲା ଆଉ ଏକ ଅସ୍ତ୍ର, ଜନସନ ଆଣ୍ଡ ଜନସନଙ୍କ ସିଙ୍ଗଲ୍ ଡୋଜ ଟିକାକୁ ମିଳିଲା ଭାରତର ଅନୁମୋଦନ
ଦେଶରେ ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନଙ୍କ ସିଙ୍ଗଲ-ଡୋଜ୍ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଭାରତ ସରକାର ଅନୁମୋଦନ କରିଛନ୍ତି ।
ନୂଆଦିଲ୍ଲୀ : ଦେଶରେ ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନଙ୍କ ସିଙ୍ଗଲ-ଡୋଜ୍ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଭାରତ ସରକାର ଅନୁମୋଦନ କରିଛନ୍ତି । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଟ୍ୱିଟ କରି ଜନସନ ଆଣ୍ଡ ଜନସନଙ୍କ ଟିକା ଅନୁମୋଦନ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତରେ ବର୍ତ୍ତମାନ କରୋନା ବିରୋଧରେ 5 ଟି ଟିକା ଅଛି । ଏହା କରୋନାକୁ ଦୂର କରିବାରେ ସାହାଯ୍ୟ କରିବ ।

ଏହାର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ଦିନ ଜନସନ ଆଣ୍ଡ ଜନସନଙ୍କ ଏକକ ଡୋଜ୍ କୋଭିଡ -19 ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କ ଅନୁମୋଦନ ଲୋଡିଥିବା ଆଲୋଚନା ହୋଇଥିଲା । ଜନସନ ଆଣ୍ଡ ଜନସନଙ୍କ ତରଫରୁ ଏହା କୁହାଯାଇଥିଲା ଯେ ଅଗଷ୍ଟ 5 ରେ ଜନସନ ଆଣ୍ଡ ଜନସନ ପ୍ରାଇଭେଟ ଲିମିଟେଡ ଏହାର କରୋନା ଟିକା EUA ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କରିଥିଲା । ଦୁଇ ଦିନ ପରେ ଆଜି (ଅଗଷ୍ଟ 7) ଟିକା ବ୍ୟବହାରକୁ ଅନୁମୋଦନ କରାଯାଇଛି ।
ଜନସନ ଆଣ୍ଡ ଜନସନ ଏହା ପୂର୍ବରୁ ଅପ୍ରେଲରେ ଭାରତରେ ଏହାର ଟିକା ପରୀକ୍ଷା ପାଇଁ ଆବେଦନ କରିଥିଲେ । ଯାହାକି ଏହି ସପ୍ତାହରେ କମ୍ପାନୀ ଦ୍ୱାରା ପ୍ରତ୍ୟାହାର କରାଯାଇଥିଲା । ଏକ ସପ୍ତାହ ପୂର୍ବରୁ ଭାରତୀୟ ଔଷଧ ନିୟାମକ ଜଣାଇଥିଲେ ଯେ ଜନସନ୍ ଆଣ୍ଡ ଜନସନ୍ କୌଣସି କାରଣ ନଦେଇ ଦେଶରେ ଏହାର କୋଭିଡ୍ ଟୀକାକୁ ଅନୁମୋଦନ କରିବା ପ୍ରସ୍ତାବକୁ ପ୍ରତ୍ୟାହାର କରିନେଲେ । ଚାରି ଦିନ ପରେ, ବର୍ତ୍ତମାନ କମ୍ପାନୀ ପୁନର୍ବାର ଟିକା ବ୍ୟବହାର ପାଇଁ ଅନୁମୋଦନ ଲୋଡିଛି ଏବଂ ଏହାକୁ ଅନୁମୋଦନ କରାଯାଇଛି ।
ଦେଶରେ ପାଞ୍ଚଟି ଟିକାକୁ ମିଳିଛି ଅନୁମତି
ଭାରତ ସରକାର ଏପର୍ଯ୍ୟନ୍ତ ପାଞ୍ଚଟି ଟିକା ଅନୁମୋଦନ କରିଛନ୍ତି । ଏଥିରେ ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡର ଟିକା (ଭାରତରେ କୋଭଶିଲ୍ଡ) ସର୍ବାଧିକ ବ୍ୟବହୃତ ହେଉଛି । ଏହା ପରେ ଭାରତରେ ପ୍ରସ୍ତୁତ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ବ୍ୟବହାର କରାଯାଉଛି । ଏହା ବ୍ୟତୀତ ରୁଶର ସ୍ପୁଟନିକ-ଭି ଏବଂ ମଡର୍ଣ୍ଣା ଟିକାକୁ ମଧ୍ୟ ଅନୁମୋଦନ କରାଯାଇଛି । ପଞ୍ଚମ ଟିକା ଭାବେ ଜନସନ ଆଣ୍ଡ ଜନସନ ଟିକାକୁ ମିଳିଛି ଅନୁମୋଦନ ।












Click it and Unblock the Notifications