ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି ଜୈଶ-ଏ-ମହମ୍ମଦ, ପ୍ରଥମ ଟାର୍ଗେଟ ଜାମ୍ମୁ କାଶ୍ମୀର
ଆଫଗାନିସ୍ତାନର ଜୈଶ-ଏ-ମହମ୍ମଦର ପ୍ରାୟ 100 ସଦସ୍ୟ ତାଲିବାନ ଦ୍ୱାରା ଜେଲରୁ ମୁକୁଳିଛନ୍ତି । ଯେଉଁମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ଏବଂ ଭାରତରେ ବିଶେଷ କରି ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛନ୍ତି ।
ନୂଆଦିଲ୍ଲୀ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM) ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି । ସୁରକ୍ଷା ଏଜେନ୍ସି ସୂଚନା ଦେଇଛି ଯେ ଆଫଗାନିସ୍ତାନର ଜୈଶ-ଏ-ମହମ୍ମଦର ପ୍ରାୟ 100 ସଦସ୍ୟ ତାଲିବାନ ଦ୍ୱାରା ଜେଲରୁ ମୁକୁଳିଛନ୍ତି । ଯେଉଁମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ଏବଂ ଭାରତରେ ବିଶେଷ କରି ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛନ୍ତି । ସେମାନଙ୍କର ପ୍ରଥମ ଟାର୍ଗେଟ ହେଉଛି ଜାମ୍ମୁ କାଶ୍ମୀର । ସୁରକ୍ଷା ଏଜେନ୍ସି ଜୈଶ-ଏ-ମହମ୍ମଦ ସଙ୍ଗଠନର ପ୍ରମୁଖ ମାସୁଦ ଅଜହର ସହ ଲିଙ୍କ୍ ହୋଇଥିବା ଏକ ସୋଶାଲ ମିଡିଆ ପୋଷ୍ଟ ପାଇଛି, ଯାହା ଆଫଗାନିସ୍ତାନର ବିଜୟ ପରେ ଜାମ୍ମୁ କାଶ୍ମୀରରେ ଆକ୍ରମଣ ପାଇଁ କ୍ୟାଡରମାନଙ୍କୁ ପ୍ରସ୍ତୁତ କରିବାକୁ କହିଛି ।

ସୁରକ୍ଷା ଏଜେନ୍ସି ଇନପୁଟ ଦେଇଛି ଯେ ଜୈଶ-ଏ-ମହମ୍ମଦ ଏବଂ ତାଲିବାନର ବରିଷ୍ଠ ଅଧିକାରୀମାନେ ଭାରତ ଉପରେ ଆକ୍ରମଣ ସମ୍ପର୍କରେ ଏକ ବୈଠକ କରିସାରିଛନ୍ତି । ଭାରତକୁ ଟାର୍ଗେଟ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ କରିବାରେ ଜେଏମଙ୍କୁ ସମସ୍ତ ସମର୍ଥନ ନିଶ୍ଚିତ କରାଯାଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଆଫଗାନିସ୍ତାନରେ ହେଉଥିବା ଘଟଣାକ୍ରମ ପାକିସ୍ତାନୀ ସୈନ୍ୟଙ୍କ ମନୋବଳକୁ ମଧ୍ୟ ବଢାଇବ, ଯାହା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାରେ ସାହାଯ୍ୟ କରିବ ।
ଭାରତୀୟ ସୁରକ୍ଷା ବାହିନୀ ଚଳିତ ବର୍ଷ ଜାମ୍ମୁ କାଶ୍ମୀରରେ ଥିବା ଅନେକ ଜୈଶ-ଏ-ମହମ୍ମଦ କ୍ୟାଡରଙ୍କୁ ନିହତ କରିଛି । ସୁରକ୍ଷା ଏଜେନ୍ସି ଅଧିକାରୀ କହିଛନ୍ତି ଯେ ଜୈଶ-ଏ-ମହମ୍ମଦର ଦୁଇ ପ୍ରମୁଖ ପାକିସ୍ତାନୀ କମାଣ୍ଡର ମହମ୍ମଦ ଇସମାଇଲ ଏବଂ ଅବଦୁଲ ରସିଦ ଗାଜି 31 ଜୁଲାଇ 2021 ରେ ପୁଲୱାମାର ତ୍ରାଲ ଅଞ୍ଚଳର ହଙ୍ଗଲମର୍ଗ ଜଙ୍ଗଲରେ ହୋଇଥିବା ଏକ ଏନକାଉଣ୍ଟରରେ ନିହତ ହୋଇଥିଲେ । 14 ଫେବୃଆରୀ 2019 ର ପୁଲୱାମା ଆତଙ୍କବାଦୀ ଆକ୍ରମଣ ପଛରେ ଦୁହେଁ ମାଷ୍ଟରମାଇଣ୍ଡ ଥିଲେ । ସେ ଜାତୀୟ ଅନୁସନ୍ଧାନ ଏଜେନ୍ସିର ହିଟ୍ ଲିଷ୍ଟରେ ମଧ୍ୟ ଥିଲେ ।
ରିପୋର୍ଟ ଅନୁଯାୟୀ, ମହମ୍ମଦ ଇସମାଇଲ ଏବଂ ଅବଦୁଲ ରସିଦ ଗାଜୀ ଭାରତ ଉପରେ ହୋଇଥିବା ଅନେକ ଆକ୍ରମଣରେ ଜଡିତ ଥିଲେ । ସେମାନେ ମିଳିତ ଭାବେ କାଶ୍ମୀର ଉପତ୍ୟକାର ଜୈଶ-ଏ-ମହମ୍ମଦରେ ବହୁ ସ୍ଥାନୀୟ ଯୁବକ ନିଯୁକ୍ତ କରିଥିଲେ । ଆଫଗାନିସ୍ତାନରେ ସାମ୍ପ୍ରତିକ ଘଟଣାକ୍ରମ ପୁଣି ଏହି ସଂଗଠନକୁ ପ୍ରୋତ୍ସାହନ ଦେଇଛି ।












Click it and Unblock the Notifications