ପିଏମ ମୋଦୀଙ୍କୁ କୁନି ଝିଅର ଅନୁରୋଧ ଭିଡିଓ ଭାଇରାଲ ହେବା ପରେ ମରାମତି ହେଲା ସ୍କୁଲ୍
ଶ୍ରୀନଗର : ନିକଟରେ ଜାମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ଜଣେ ତୃତୀୟ ଶ୍ରେଣୀ ଝିଅର ଏକ ଭିଡିଓ ଭାଇରାଲ ହୋଇଥିଲା । ସ୍କୁଲର ଅବସ୍ଥାକୁ ଦେଖାଇ ମରାମତି କରିବାକୁ କୁନି ଝିଅଟି ଭିଡ଼ିଓ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲେ ।
କୁନି ଝିଅର ଏହି ଭିଡ଼ିଓ ସାରା ଦେଶରେ ଭାଇରାଲ ହୋଇଥିଲା । ଏହା ପରେ ବର୍ତ୍ତମାନ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ଏହି ବିଦ୍ୟାଳୟର ମରାମତି କାମ ଆରମ୍ଭ ହୋଇଛି ।

ତୃତୀୟ ଶ୍ରେଣୀର ଝିଅ ସୀରତ ନାଜ ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଆବେଦନ କରିଥିଲେ । ବାଳିକାର ଏହି ଭିଡିଓ ଭାଇରାଲ ହେବା ପରେ ଜାମ୍ମୁ ସ୍କୁଲ ଶିକ୍ଷା ନିର୍ଦ୍ଦେଶକ ରବି ଶଙ୍କର ଶର୍ମା ଦୂରଦୂରାନ୍ତର ଲୋହାଇ-ମାଲ୍ହାର ବ୍ଲକରେ ଥିବା ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।
ଏହି ଭିଡ଼ିଓରେ କୁନି ଝିଅ ସ୍କୁଲର ଅବସ୍ଥା ଦେଖାଇବା ସହ ଏହାକୁ ମରାମତି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଥିଲେ । ଏହି ଭିଡିଓରେ ସରକାରୀ ବିଦ୍ୟାଳୟର ଭଙ୍ଗା ଚଟାଣ ଦେଖାଇ ଏଠି ତଳେ ବସିବାକୁ ବାଧ୍ୟ ହେଉଥିବା କହିଥିଲେ ଛାତ୍ରୀ । ଏପରିକି ତଳେ ବସିବାରୁ ୟୁନିଫର୍ମ ଖରାପ ହୋଇଯାଉଛି ଏବଂ ମା ଗାଳି ଦେଉଥିବା କହିଥିଲେ କୁନି ଝିଅ । ଏହା ସହିତ ସ୍କୁଲର ଶୌଚାଳୟ ଅବସ୍ଥା ଖରାପ ଥିବା ମଧ୍ୟ ଭିଡ଼ିଓରେ ଦେଖାଇଛନ୍ତି ତୃତୀୟ ଶ୍ରେଣୀ ଛାତ୍ରୀ ।












Click it and Unblock the Notifications