ଅଧିକ ସଂସ୍ଥାକୁ ଟିକା ଉତ୍ପାଦନ ପାଇଁ ଅନୁମତି ଦେବାକୁ ଗଡ଼କରୀଙ୍କ ପ୍ରସ୍ତାବ
10 ପ୍ରତିଶତ ରୟାଲଟି ଦେଇ ଅଧିକ ଫାର୍ମା ସଂସ୍ଥାକୁ ଟିକା ଉତ୍ପାଦନ କରିବାକୁ ଅନୁମତି ଦେବା ପାଇଁ ଏକ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ।
ନୂଆଦିଲ୍ଲୀ : ସାରା ଦେଶ ବର୍ତ୍ତମାନ କରୋନା ମହାମାରୀ କବଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି । ଏହି ସମୟରେ ଟିକା ଅଭାବ ମଧ୍ୟ ଅନ୍ୟ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଏଥି ମଧ୍ୟରେ କେବଳ ଗୋଟିଏ ସଂସ୍ଥା ବଦଳରେ ଅଧିକ ସଂସ୍ଥାକୁ COVID-19 ଟିକା ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଉ । 10 ପ୍ରତିଶତ ରୟାଲଟି ଦେଇ ଅଧିକ ଫାର୍ମା ସଂସ୍ଥାକୁ ଟିକା ଉତ୍ପାଦନ କରିବାକୁ ଅନୁମତି ଦେବା ପାଇଁ ଏକ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ବିଶ୍ଵବିଦ୍ୟାଳୟ କୁଳପତିମାନଙ୍କୁ ଭିଡିଓ କନ୍ଫରେନ୍ସିଂରେ ସମ୍ବୋଧିତ କରିବା ସମୟରେ ଗଡ଼କରୀ ଏହା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଯୋଗାଣ ଠାରୁ ଚାହିଦା ଅଧିକ ହୁଏ, ସେହି ସମୟେ ଏହା ଏକ ସମସ୍ୟା ସୃଷ୍ଟି କରିଥାଏ । "ଗୋଟିଏ ସଂସ୍ଥା ବଦଳରେ, ଆହୁରି 10 ଟି କମ୍ପାନୀକୁ ଟିକା ଉତ୍ପାଦନ ପାଇଁ ଲାଇସେନ୍ସ ଦିଆଯାଉ । ସେମାନଙ୍କୁ ଦେଶକୁ ଯୋଗାଣ କରନ୍ତୁ, ପରେ ଯଦି ବଳକା ହୁଏ ତେବେ ସେମାନେ ରପ୍ତାନି କରିପାରନ୍ତି ।"
ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ ଦୁଇଟି କମ୍ପାନୀ ଟିକା ଉତ୍ପାଦନ କରୁଛନ୍ତି । ସେରମ ଇନ୍ଷ୍ଟିଚ୍ୟୁଟ୍ କୋଭିଶିଲ୍ଡ ଟିକା ପ୍ରସ୍ତୁତ କରୁଥିବାବେଳେ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକା ତିଆରି ହେଉଛି । ଟିକାର ଚାହିଦାକୁ ଦୃଷ୍ଟିରେ ଅନ୍ୟ କମ୍ପାନୀଗୁଡ଼ିକୁ ଟିକା ଉତ୍ପାଦନ ପାଇଁ ଅନୁମତି ଦେବା ଦରକାର ବୋଲି ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରାମର୍ଶ ଦେଇଥିଲେ ।












Click it and Unblock the Notifications