ଯାତ୍ରୀଙ୍କୁ ଯିବାର ଥିଲା ପାଟନା, ବିମାନ ନେଇଗଲା ଉଦୟପୁର
ଯାତ୍ରୀଙ୍କୁ ଯିବାର ଥିଲା ପାଟନା । ଇଣ୍ଡିଗୋ ବିମାନ ବେପରୁଆ ଭାବରେ ତାଙ୍କୁ ଉଦୟପୁରକୁ ପଠାଇ ଦେଇଥିଲା । ଏହା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଆନ୍ତର୍ଜାତୀୟ ତଥା ଘରୋଇ ବିମାନରେ ଲଗାତାର ଭାବେ ଅବହେଳା ଦେଖିବାକୁ ମିଳୁଛି । କେତେବେଳେ ଯାତ୍ରୀଙ୍କ ହଙ୍ଗାମା ତ ଆଉ କେତେବେଳେ ବିମାନ ସେବାରେ ତ୍ରୁଟିକୁ ନେଇ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ବର୍ତ୍ତମାନ ଆଉ ଏକ ଅବହେଳା ଖବର ସାମ୍ନାକୁ ଆସିଛି । ଯାତ୍ରୀଙ୍କୁ ଯିବାର ଥିଲା ପାଟନା । ଇଣ୍ଡିଗୋ ବିମାନ ବେପରୁଆ ଭାବରେ ତାଙ୍କୁ ଉଦୟପୁରକୁ ପଠାଇ ଦେଇଥିଲା । ଏହା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣା ଜାନୁଆରୀ 30 ରେ ହୋଇଥିବା ଜଣାପଡ଼ିଛି । ଯାତ୍ରୀ ପାଟନା ଯିବା ପାଇଁ ଇଣ୍ଡିଗୋରେ ଟିକେଟ ବୁକ୍ କରିଥିଲେ, କିନ୍ତୁ ସେହି ଯାତ୍ରୀ ଭୁଲରେ ଉଦୟପୁର ଅଭିମୁଖେ ଯାତ୍ରା କରିଥିଲେ । ଇଣ୍ଡିଗୋର ଏପରି ଅବହେଳା ଯେ ଯାତ୍ରୀ ଭୁଲ ବିମାନରେ ଯାତ୍ରା କରୁଥିବା କୌଣସି ସ୍ଥାନରେ ଯାଞ୍ଚ କରାଯାଇ ନାହିଁ । ଯାତ୍ରୀ ଉଦୟପୁରରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ ଯେ ସେ ପାଟନା ବଦଳରେ ଉଦୟପୁରରେ ପହଞ୍ଚିଛନ୍ତି ।
ଯେତେବେଳେ ପାଟନା ପରିବର୍ତ୍ତେ ଉଦୟପୁରରେ ପହଞ୍ଚିଥିବା ଯାତ୍ରୀ ବିଷୟରେ ଇଣ୍ଡିଗୋ ଜାଣିବାକୁ ପାଇଲା, ପରଦିନ ତାଙ୍କୁ ପାଟନାକୁ ପଠାଗଲା । ଡିଜିସିଏ ଅଧିକାରୀ କହିଛନ୍ତି ଯେ ଏହି ଯାତ୍ରୀଙ୍କ ନାମ ଆଫସର ହୁସେନ୍, ଯିଏ ଜାନୁଆରୀ 30 ରେ ଦିଲ୍ଲୀରୁ ପାଟନା ଯାଉଥିଲେ । କିନ୍ତୁ ଭୁଲରେ ସେ ଉଦୟପୁର ଅଭିମୁଖେ ଯାତ୍ରା କରିଥିଲେ । ଯେତେବେଳେ ବିମାନ ଉଦୟପୁରରେ ଅବତରଣ କଲା, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଭୁଲରେ ଉଦୟପୁରରେ ପହଞ୍ଚିଛନ୍ତି । ଏହା ପରେ ଯାତ୍ରୀ ଉଦୟପୁର ବିମାନବନ୍ଦର ଅଧିକାରୀଙ୍କୁ ସୂଚନା ଦେଇଥିଲେ ଏବଂ ଅଧିକାରୀମାନେ ଇଣ୍ଡିଗୋ ଏୟାରଲାଇନ୍ସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଯେତେବେଳେ ଇଣ୍ଡିଗୋ ଏହା ବିଷୟରେ ଜାଣିଲା, ପରଦିନ ଜାନୁଆରୀ 31 ରେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନ ଯୋଗେ ପାଟନାକୁ ପଠାଗଲା । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ଆମେ ଇଣ୍ଡିଗୋ ଏୟାରଲାଇନ୍ସରୁ ଏକ ରିପୋର୍ଟ ମାଗିଛୁ ଏବଂ ସମଗ୍ର ଘଟଣାର ଅନୁସନ୍ଧାନ କରୁଛୁ । ଏହା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି ।












Click it and Unblock the Notifications