ପୂର୍ବ ଲଦାଖରେ 26 ଟି ପାଟ୍ରୋଲିଂ ପଏଣ୍ଟରେ ନାହାଁନ୍ତି ସେନା
ପୂର୍ବ ଲଦାଖରେ ଥିବା 65 ଟି ପାଟ୍ରୋଲିଂ ପଏଣ୍ଟ (ପିପି) ମଧ୍ୟରୁ 26 ଟି ପଏଣ୍ଟରେ ଭାରତୀୟ ସୈନିକ ନିଜର ଉପସ୍ଥିତି ହରାଇଛନ୍ତି । ଭାରତୀୟ ସୈନିକମାନେ ଏହି 26 ଟି ପାଟ୍ରୋଲିଂ ପଏଣ୍ଟରେ ପାଟ୍ରୋଲିଂ କରୁନାହାଁନ୍ତି ।

ନୂଆଦିଲ୍ଲୀ: ଗତ ଅଢେଇ ବର୍ଷ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବ ଲଦାଖରେ ତିକ୍ତତା ଲାଗି ରହିଛି । ବାରମ୍ବାର ଡ୍ରାଗନ୍ ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି । ବର୍ତ୍ତମାନ ଏହି ପୂର୍ବ ଲଦାଖକୁ ନେଇ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହା, ଚିନ୍ତାର ବିଷୟ ।
ରିପୋର୍ଟ ଅନୁସାରେ ପୂର୍ବ ଲଦାଖରେ ଥିବା 65 ଟି ପାଟ୍ରୋଲିଂ ପଏଣ୍ଟ (ପିପି) ମଧ୍ୟରୁ 26 ଟି ପଏଣ୍ଟରେ ଭାରତୀୟ ସୈନିକ ନିଜର ଉପସ୍ଥିତି ହରାଇଛନ୍ତି । ଭାରତୀୟ ସୈନିକମାନେ ଏହି 26 ଟି ପାଟ୍ରୋଲିଂ ପଏଣ୍ଟରେ ପାଟ୍ରୋଲିଂ କରୁନାହାଁନ୍ତି । ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଅନୁସନ୍ଧାନରୁ ଏହି ରିପୋର୍ଟ ଆସିଛି । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) 20 ରୁ 22 ଜାନୁୟାରୀ ପର୍ଯ୍ୟନ୍ତ ଡିଜିପି ସମ୍ମିଳନୀ ଆୟୋଜନ କରିଥିଲା । ଏହି ସମ୍ମିଳନୀରେ ଏହି ରିପୋର୍ଟ ଇପସ୍ଥାପିତ ହୋଇଥିଲା ।
ଭାରତୀୟ ସୈନିକ ଯେଉଁ ପାଟ୍ରୋଲିଂ ପଏଣ୍ଟରେ ନାହାଁନ୍ତି, ସେଗୁଡ଼ିକ ହେଲା PP-5 ରୁ 17, PP-24 ରୁ 32, 37, 51, 52, 62 । କରାକୋରାମ ପାସ୍ ଠାରୁ ଚୁମୁର ପର୍ଯ୍ୟନ୍ତ ସମୁଦାୟ 65 ଟି ପାଟ୍ରୋଲିଂ ପଏଣ୍ଟ ଅଛି ।
ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ଯେ ଏହି କାରଣରୁ ଭାରତୀୟ ସୈନିକ ଅଧୀନରେ ଆସୁଥିବା ସୀମା ଅଞ୍ଚଳ ମଧ୍ୟ ସେମାନଙ୍କ ପାର୍ଶ୍ୱକୁ ଚାଲିଯାଇଛି । ଏହି କାରଣରୁ, ଏହି ସମସ୍ତ ପଏଣ୍ଟରେ ଏକ "ବଫର୍ ଜୋନ୍" ସୃଷ୍ଟି କରାଯାଇଥିଲା । ଖାଲି ସେତିକି ନୁହେଁ, ଭାରତ ଏହି କ୍ଷେତ୍ରରେ ନିୟନ୍ତ୍ରଣ ହରାଇଛି । ରିପୋର୍ଟ ଅନୁଯାୟୀ, ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ର ଇଞ୍ଚ-ବାଇ-ଇଞ୍ଚ ଜମି ଦଖଲ କରିବାର ଏହି ରଣନୀତିକୁ 'ସାଲାମି ସ୍ଲାଇସିଂ' କୁହାଯାଉଛି ।
ଲଦାଖରେ ଚୀନ୍ ସହିତ ଭାରତ 1597 କିଲୋମିଟର ସୀମା ବାଣ୍ଟିଥାଏ । ଲଦାଖର ଅଂଶକୁ ପାଶ୍ଚାତ୍ୟ କ୍ଷେତ୍ର କୁହାଯାଏ । ଅନେକ ସ୍ଥାନରେ ଦୁଇ ଦେଶ ମଧ୍ୟରେ ସୀମା ସମ୍ପୂର୍ଣ୍ଣ ଭାବେ ଚିହ୍ନଟ କରାଯାଇ ନାହିଁ ଏବଂ LAC ସୁନିଶ୍ଚିତ କରିବାର ପ୍ରକ୍ରିୟା ଜାରି ରହିଛି ବୋଲି ଭାରତ ସରକାର ମଧ୍ୟ ବିଶ୍ୱାସ କରୁଛନ୍ତି । ସେଥିପାଇଁ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଶବ୍ଦ ବ୍ୟବହୃତ ହୁଏ ।
ଏହି ରିସର୍ଚ୍ଚ ରିପୋର୍ଟ ପିଡି ନିତ୍ୟା ପ୍ରସ୍ତୁତ କରିଛନ୍ତି । ନିତ୍ୟା କହିଛନ୍ତି ଯେ ଏହାର ପ୍ରଭାବ ବଢାଇବାକୁ ଚୀନ୍ ଏହି ଅଞ୍ଚଳରେ ସୈନ୍ୟ ସଂଖ୍ୟାକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି । ଏହି ସମ୍ମିଳନୀରେ ଆତଙ୍କବାଦ, ସାଇବର ସୁରକ୍ଷା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଅଧିକାରୀମାନେ କହିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ମଧ୍ୟ ଅଂଶଗ୍ରହଣ କରିଥିଲେ ।












Click it and Unblock the Notifications