ଆମ୍ବେଦକର ଜୟନ୍ତୀ: ଆଜି ଭାରତକୁ ଉପହାର ମିଳିବ ଡକ୍ଟର ଆମ୍ବେଦକରଙ୍କ ଉଚ୍ଚତମ ପ୍ରତିମୂର୍ତ୍ତି
ହାଇଦ୍ରାବାଦ : ଆମ୍ବେଦକର ଜୟନ୍ତୀ ଅବସରରେ ଆଜି ଦେଶକୁ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଉଚ୍ଚତମ ପ୍ରତିମୂର୍ତ୍ତି ମିଳିବ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ବାବାସାହେବଙ୍କ 125 ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ । ଏହି ମୂର୍ତ୍ତି ହୁସୈନସାଗର ହ୍ରଦ ନିକଟରେ ତିଆରି କରାଯାଇଛି ।
125 ଫୁଟର ଏହି ପ୍ରତିମୂର୍ତ୍ତି ଦେଶର ବାବା ସାହେବଙ୍କ ଉଚ୍ଚତମ ପ୍ରତିମୂର୍ତ୍ତି ହେବ । ଏହି ପ୍ରତିମୂର୍ତ୍ତିର ଉଚ୍ଚତା 125 ଫୁଟ ଥିବାବେଳେ ଏଥିରେ 50 ଫୁଟର ସର୍କୁଲାର ବେସ୍ ନିର୍ମାଣ କରାଯାଇଛି, ଯାହା ଦେଶର ସଂସଦର ଆକାର ଅଟେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି ଯେ ଏହି ପ୍ରତିମୂର୍ତ୍ତି ହେଉଛି 474 ଟନ୍ ଓଜନ । ଏଥିରେ 360 ଟନ୍ ଷ୍ଟେନଲେସ୍ ଷ୍ଟିଲ୍ ବ୍ୟବହୃତ ହୋଇଥିବାବେଳେ ଏହି ପ୍ରତିମୂର୍ତ୍ତିକୁ କାଷ୍ଚିଂ କରିବାରେ 114 ଟନ୍ ପିତ୍ତଳ ବ୍ୟବହାର କରାଯାଇଛି ।
କୌତୁହଳର ବିଷୟ ହେଉଛି ଏହି ପ୍ରତିମୂର୍ତ୍ତିକୁ ପ୍ରଖ୍ୟାତ ଶିଳ୍ପୀ ରାମ ବାଂଜୀ ସୂତାର ଏବଂ ତାଙ୍କ ପୁଅ ଅନିଲ ସୂତାର ଡିଜାଇନ୍ କରିଛନ୍ତି । ଏହାପୂର୍ବରୁ ଗୁଜରାଟର ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ସମେତ ଅନେକ ଲୋକପ୍ରିୟ ପ୍ରତିମୂର୍ତ୍ତି ମଧ୍ୟ ଏହି ଶିଳ୍ପୀଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିଲା ।
ଏହି ପ୍ରତିମୂର୍ତ୍ତି ପ୍ରସ୍ତୁତ କରିବାରେ ମୋଟ 146.50 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ପ୍ରତିମା ପ୍ରସ୍ତୁତ କରିବାର ଦାୟିତ୍ୱ କେପିସି ପ୍ରୋଜେକ୍ଟ ଲିମିଟେଡକୁ ଦିଆଯାଇଥିଲା । ମୋଟ 26258 ବର୍ଗଫୁଟ ଜାଗାରେ ଏହି ମୂର୍ତ୍ତିଟି ତିଆରି ହୋଇଛି ।
ଏହି ପ୍ରତିମୂର୍ତ୍ତି ପାଖରେ ଏକ ସଂଗ୍ରହାଳୟ ମଧ୍ୟ ରହିବ । ଏଥିରେ ଆମ୍ବେଦକରଙ୍କ ଇତିହାସ ରହିବ । ଏହା ବାଦ୍ ଏଠାରେ 100 ସିଟ୍ ବିଶିଷ୍ଟ ଅଡିଟୋରିୟମ୍ ମଧ୍ୟ ରହିବ, ଯେଉଁଥିରେ ଆମ୍ବେଦକରଙ୍କ ଜୀବନୀ ଦେଖାଯିବ । ଏହା ସହିତ ଆଗାମୀ ଦିନରେ ଆମ୍ବେଦକର ସମ୍ବନ୍ଧୀୟ ଏକ ଲାଇବ୍ରେରୀ ମଧ୍ୟ ପ୍ରସ୍ତୁତ ହେବ ।












Click it and Unblock the Notifications