ପୁଣି ବଢିଲା କରୋନା ମାମଲା, 6 ଶହ ପରେ ରହିଛି କରୋନା ଦୈନିକ ସଂକ୍ରମଣ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 626 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମୋଟ 1010 ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : କରୋନା ଦୈନିକ ମାମଲାରେ ପୁଣି ସାମାନ୍ୟ ବୃଦ୍ଧି ହୋଇଛି । ଗତ କିଛି ଦିନ ଧରି ଦୈନିକ ମାମଲା 5 ଶହ ପାଖାପାଖି ରହୁଥିବା ବେଳେ ବର୍ତ୍ତମାନ ଏହା 6 ଶହ ପରେ ରହିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟା ରେ ମଧ୍ୟ ହ୍ରାସ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 626 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମୋଟ 1010 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 7 ହଜାର 175 କରୋନା ସକ୍ରିୟ ରୋଗୀ ଅଛନ୍ତି । ଆଶ୍ୱସ୍ତିକର ଖବର ହେଉଛି ଗତକାଲି କରୋନା କାରଣରୁ ମାତ୍ର 2 ଜଣ ରୋଗୀ ପ୍ରାଣ ହରାଇଛନ୍ତି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 କୋଟି 46 ଲକ୍ଷ 67 ହଜାର 311 କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 4 କୋଟି 41 ଲକ୍ଷ 29 ହଜାର 590 ରେ ପହଞ୍ଚିଛି । ଏପରିକି ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା 5 ଲକ୍ଷ 30 ହଜାର 546 ହୋଇଛି ।
କରୋନା ବିରୋଧରେ ସାରା ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 219 କୋଟି 83 ଲକ୍ଷ 58 ହଜାର 500 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତକାଲି ମାତ୍ର 1 ଲକ୍ଷ 19 ହଜାର 851 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications