ପୁଣି ବଢୁଛି କରୋନା ଦୈନିକ ମାମଲା, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 20557 ଆକ୍ରାନ୍ତ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 20 ହଜାର 557 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 19 ହଜାର 216 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଦେଶରେ ଲାଗି ରହିଥିବା କରୋନା ମହାମାରୀ ପ୍ରକୋପ ପୁଣି ଥରେ ବଢିବାରେ ଲାଗିଛି । ଗୋଟିଏ ଦିନ ଦୈନିକ କରୋନା ମାମଲାରେ ସାମାନ୍ୟ ହ୍ରାସ ପରେ ଗତ ଦୁଇ ଦିନ ଧରି ଏଥିରେ ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି । ଏପରିକି ମୃତ୍ୟୁ ସଂଖ୍ୟରେ କୌଣସି ହ୍ରାସ ହୋଇନାହିଁ । ସେହିପରି କରୋନା ସକ୍ରିୟ ମାମଲା ଦେଢ ଲକ୍ଷ ପାଖାପାଖି ରହିଛି ।

ବଢୁଥିବା ଦୈନିକ କରୋନା ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ସୂଚନା ଅନୁସାରେ ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 20 ହଜାର 557 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଏହି ସମୟରେ 19 ହଜାର 216 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 46 ହଜାର 322 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି କରୋନାଜନିତ ମୃତ୍ୟୁ ସଂଖ୍ୟା 46 ରେକର୍ଡ ହୋଇଛି ।
ଏହା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 39 ଲକ୍ଷ 59 ହଜାର 321 କୁ ବୃଦ୍ଧି ପାଇଥିବା ସହ ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4 କୋଟି 32 ଲକ୍ଷ 86 ହଜାର 786 ରେ ପହଞ୍ଚିଛି । ସେହିପରି କରୋନା କାରଣରୁ ଏଯାବତ୍ ଦେଶରେ ମୋଟ 5 ଲକ୍ଷ 26 ହଜାର 212 ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଏଥି ସହିତ କରୋନା ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 203 କୋଟି 21 ଲକ୍ଷ 82 ହଜାର 347 ଡୋଜ୍ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଗତକାଲି 40 ଲକ୍ଷ 69 ହଜାର 241 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications