ମୁହଁ ଖୋଲିଲେ ମୋକିମ୍, ‘କଂଗ୍ରେସ ବ୍ୟକ୍ତିଗତ ଦଳ ନୁହଁ, କାହାପାଇଁ କାହିଁକି ଦଳ ଛାଡ଼ିବି'
କଟକ : କଂଗ୍ରେସରୁ କଟକ ବିଧାୟକ ମହମ୍ମଦ ମୋକିମ୍ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ ପରେ ଓଡ଼ିଶା କଂଗ୍ରେସରେ ଦେଖିବାକୁ ମିଳିଛି ହଟଚମଟ । ଦଳ ବିରୋଧା କାର୍ଯ୍ୟ ନେଇ ଏଆଇସିସି ଦୁହିଁକୁ ନିଲମ୍ବନ କରିବାକୁ ଘୋଷଣା କରିବା ପରେ ରାଜ୍ୟ କଂଗ୍ରେସରେ ତେଜିଛି ରାଜନୀତି । ବାହମ୍ବାର ଦଳର ଦୋଷ ତ୍ରୁଟିକୁ ନେଇ ସିଧାସଳଖ କହୁଥିବା ମୋକିମ୍ ଏହି ନିଷ୍ପତ୍ତି ପରେ ପୁଣି ମୁହଁ ଖୋଲିଛନ୍ତି ।

ଦଳରୁ ନିଲମ୍ବନ ହେବା ପରେ ପିସିସି ସଭାପତିଙ୍କୁ ନେଇ ତେରଛା ବାଣ ମାରିଛନ୍ତି ମହମ୍ମଦ ମୋକିମ । ଏହା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଆମ ଉତ୍ତରରେ ଶୃଙ୍ଖଳା କମିଟି ସନ୍ତୁଷ୍ଟ ହୋଇନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଚିଠିରୁ ଜାଣିବାକୁ ପାଇଛି । ମୁଁ ସେମିତି କିଛି କାର୍ଯ୍ୟ କରିନି, ଯେଉଁଥିରେ ଜଣେ ସିଟିଂ ବିଧାୟକଙ୍କୁ ସସ୍ପେଣ୍ଡ କରାଯିବ ।
ସସ୍ପେଣ୍ଡ ପରେ କଂଗ୍ରେସ ଛାଡ଼ିବେ କି ପ୍ରଶ୍ନରେ ମୋକିମ କହିଛନ୍ତି, "କଂଗ୍ରେସ କାହିଁକି ଛାଡ଼ିବି, ମୁଁ କଂଗ୍ରେସ ସହିତ ଅଛି । ଆଜି ଶରତ ପଟ୍ଟନାୟକ ସଭାପତି ଅଛନ୍ତି, କାଲି ଆଉ କିଏ ଥିବେ । କଂଗ୍ରେସ କୌଣସି ବ୍ୟକ୍ତିଗତ ଦଳ ନୁହେଁ, ଏହା ସାମୁହିକ ଦଳ । କାହାପାଇଁ କାହିଁକି କଂଗ୍ରେସ ଛାଡ଼ିବି, ମୁଁ କଂଗ୍ରେସ ସହିତ ଅଛି । ଯଦି ଶରତ ପଟ୍ଟନାୟକ ଭାବୁଛନ୍ତି କିଛି ଲୋକଙ୍କୁ ବାହାର କରିଦେଲେ ଦଳ ସୁଦୃଢ଼ ହୋଇଯିବ ତେବେ ଏ ବାବଦରେ କିଛି କହିବାର ନାହିଁ । ଏ ବାବଦରେ ଦଳ ସହିତ ଆଲୋଚନା କରାଯିବ ।"
ମୋକିମ୍ ଆହୁରି କହିଛନ୍ତି, କଂଗ୍ରେସରୁ ଟିକେଟ୍ ନେଇ ଆଗାମୀ ନିର୍ବାଚନ ଲଢିବି । ଯଦି ଦଳ ଟିକେଟ୍ ନ ଦିଏ ତେବେ ସ୍ୱାଧୀନ ଭାବେ ଲଢିବି । କୌଣସି ଦଳରେ ସାମିଲ ହେବାର କୌଣସି ପ୍ରଶ୍ନ ଉଠୁନି । କଂଗ୍ରେସକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାନକୀ-ବସନ୍ତଙ୍କ ସଂପର୍କରେ ଆଲୋଚନାଚକ୍ର ଆୟୋଜନ କରିଥିଲୁ । କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା, ପୂର୍ବତନ ସଭାପତି, ବହୁ କର୍ମୀ ଉପସ୍ଥିତ ରହିଥିଲେ । ସେ ସମୟରେ ନେତାଙ୍କ ଭିତରେ ମତାନ୍ତର ମନାନ୍ତର ଥିଲେ ମଧ୍ୟ ସେମାନେ 1995 ରେ କଂଗ୍ରେସକୁ କ୍ଷମତାକୁ ଆଣିଥିଲା । ଏହା କଂଗ୍ରେସର କାର୍ଯ୍ୟକ୍ରମ ଥିଲା । ଏହି ସମୟରେ ଦଳ ବିରୋଧରେ କୌଣସି ପ୍ରତିକ୍ରୟା ଦେଇ ନାହିଁ ।
ବିଜେପି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ କରି ଭୋଟ ଦେଇଥିବାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଦଳୀୟ କମିଟିକୁ ଅଭିଯୋଗ କରିଥିଲେ । ଏହାର କାରଣ ଦର୍ଶାଅ ନୋଟିସ୍ ପୂର୍ବରୁ ପାଇ ଉତ୍ତର ଦିଆଯାଇଥିଲା । ପରେ ଆଉ ଏକ ଅଭିଯୋଗ କରିଥିଲେ । ଏହି ନୋଟିସ୍ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହାକୁ ଗ୍ରହଣ କରିବା ସହ ଆଗକୁ ଦଳକୁ ସଂଗଠନ କରିବାକୁ କାମ କରିବି ।
ଅପର ପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଆଇସିସି ଯାହା ନିଷ୍ପତ୍ତି ନେଇଛି, ଆମେ ତାକୁ ଗ୍ରହଣ କରୁଛୁ । କଂଗ୍ରେସ ଏକ ହୋଇକି ଅଛି, ସର୍ବଦା ଏକ ହୋଇକି ରହିବ । ଏକଦା ବିଜେପିର 2 ଜଣ ଏମ୍ପି ସଂସଦରେ ଥିଲେ, ଏବେ ଏହି ଦଳ ଦେଶକୁ ଶାସନ କରୁଛି । ତେଣୁ କିଛି ବି ହବନି ବୋଲି କିଏ କହୁଛି ? କାଲି କ'ଣ ହେବ କିଏ ଭବିଷ୍ୟବାଣୀ କରିପାରିବ ? ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ 9 ରୁ 90 ହେବ ବୋଲି ଆଗରୁ କହିସାରିଛି । ତେଣୁ କ'ଣ କରାଯିବ ତାହା ପରେ ଆଲୋଚନା କରାଯିବ ବୋଲି ଶରତ କହିଛନ୍ତି ।












Click it and Unblock the Notifications