ସ୍ତ୍ରୀ ଓ ପିଲାଙ୍କ ଖର୍ଚ୍ଚ ଉଠାଇବା ସ୍ୱାମୀର ଦାୟିତ୍ୱ : ଦିଲ୍ଲୀ ହାଇକୋର୍ଟ
ସ୍ତ୍ରୀର ଭରଣ ପୋଷଣ ପାଇଁ ଟଙ୍କା ଦେବାସହ ପିଲାମାନଙ୍କର ଯତ୍ନ ପାଇଁ ଆର୍ଥିକ ସହାୟତା ଦେବା ସ୍ୱାମୀର କର୍ତ୍ତବ୍ୟ । ସ୍ତ୍ରୀର ଦାୟିତ୍ୟ ନେବା ମଧ୍ୟ ସ୍ୱାମୀର କର୍ତ୍ତବ୍ୟ ବୋଲ୍ କହିଛନ୍ତି ଦିଲ୍ଲୀ ହୋଇକୋର୍ଟ ।
ଦିଲ୍ଲୀ : ସ୍ତ୍ରୀର ଭରଣ ପୋଷଣ ପାଇଁ ଟଙ୍କା ଦେବାସହ ପିଲାମାନଙ୍କର ଯତ୍ନ ପାଇଁ ଆର୍ଥିକ ସହାୟତା ଦେବା ସ୍ୱାମୀର କର୍ତ୍ତବ୍ୟ । ସ୍ତ୍ରୀର ଦାୟିତ୍ୟ ନେବା ମଧ୍ୟ ସ୍ୱାମୀର କର୍ତ୍ତବ୍ୟ ବୋଲ୍ କହିଛନ୍ତି ଦିଲ୍ଲୀ ହୋଇକୋର୍ଟ । ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ନୀଚ୍ଚ ଅଦାଲତର ନିର୍ଦ୍ଦେଶକୁ କାଏମ ରଖିଛନ୍ତି । ଜଣେ ବ୍ୟକ୍ତି ତାଙ୍କଠାରୁ ଅଲଗା ରହୁଥିବା ପତ୍ନୀଙ୍କୁ ମାସକୁ 17 ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟରେ ରାୟ କାଏମ୍ ରଖିଛନ୍ତି ।

କୋର୍ଟ କହିଛନ୍ତି, ବ୍ୟକ୍ତି ଜଣକ ନିଜର ପ୍ରତିକୂଳ ପରିସ୍ଥିତି କିମ୍ବା କୌଣସି ସମସ୍ୟା ସମ୍ପର୍କରେ କୋର୍ଟରେ ପ୍ରମାଣ ରଖିବାରେ ବିଫଳ ହୋଇଛନ୍ତି । ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବ୍ୟକ୍ତି ପେଷାରେ ଜଣେ ଆସିଷ୍ଟାଣ୍ଡ୍ ଇନସପେକ୍ଟର ଏବଂ ମାସିକ ମୋଟା ଅଙ୍କର ଦରମା ମଧ୍ୟ ପାଆନ୍ତି । ଅନ୍ୟପଟେ ଅଭିଯୋଗକାରିଣୀ ସ୍ତ୍ରୀ ସ୍ୱଳ୍ପ ରୋଜଗାର କରୁଥିବା ସହ ତାଙ୍କର ଆୟର କୌଣସି ସ୍ଥାୟୀ ସ୍ରୋତ ନାହିଁ । ପୋଲିସ ଅଧିକାରୀ ଜଣକ ତାଙ୍କ ସ୍ତ୍ରୀଙ୍କ ଠାରୁ ଭିନ୍ନ ହୋଇ ସାରିଥିବା ବେଳେ ସ୍ତ୍ରୀ ନିଜର ଭରଣପୋଷଣ ପାଇଁ ସକ୍ଷମ ନୁହଁନ୍ତି ଏବଂ ତାଙ୍କର ସମସ୍ତ ଦାୟିତ୍ୱ ନେବା ସ୍ୱାମୀର କର୍ତ୍ତବ୍ୟ ବୋଲି କୋର୍ଟ କହିଛନ୍ତି ।
ମାମଲା ଥିଲା ଏପରି ...1985 ରେ ଉଭୟଙ୍କର ବିବାହ ହୋଇଥିଲା । ଉଭୟଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ହୋଇଥିଲେ । 2010ରେ ଝିଅ ପ୍ରାଣ ହରାଇଥିବା ବେଳେ ଦୁଇ ପୁଅ ଏବେ ପ୍ରାପ୍ତ ବୟସ୍କ ଏବଂ ଭଲ ରୋଜଗାର କରୁଛନ୍ତି । ତେବେ କୌଣସି କାରଣବଶତଃ 2012ରେ ଉଭୟେ ଅଲଗା ହୋଇଛନ୍ତି । ଦମ୍ପତି ଏବେ ଅଲଗା ଅଲଗା ରହୁଛନ୍ତି । ମହିଳା ଜଣକ ଅଭିଯୋଗ କରିଛନ୍ତି ସ୍ୱାମୀ ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କୁ ଘରୁ ବାହାର କରି ଦେଇଥିଲେ । କାମ କରୁଥିଲେ ସୁଦ୍ଧା ଏବେ ସେ ନିଜର ଖର୍ଚ୍ଚ ବହନ କରିବାକୁ ଅସମର୍ଥ ଏବଂ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଆବଶ୍ୟକ କରୁଛନ୍ତି । ତେବେ ବ୍ୟକ୍ତି ଜଣକ ଭଲ ଆୟ କରୁଥିଲେ ସୁଦ୍ଧା ଭରଣପୋଷଣ ଦେବାକୁ ରାଜି ନୁହଁନ୍ତି ବୋଲି ମହିଳା ଅଭିଯୋଗ କରିଛନ୍ତି । ମହିଳା ନିଜର ଭରଣ ପୋଷଣରେ ଅକ୍ଷମ ଥିବାରୁ, ସ୍ୱାମୀଙ୍କ ଠାରୁ ଭରଣପୋଷଣ ଆଶା କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଅନ୍ୟପଟେ ନିର୍ଯାତନା କଥାକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ବ୍ୟକ୍ତି । ପିଲାଙ୍କ ସମସ୍ତ ଖର୍ଚ୍ଚ ତୁଲାଇବା ସହ ତାଙ୍କ ପାଠ ପଢ଼ାର ସମସ୍ତ ଦାୟିତ୍ୱ ନେଇଥିବା କଥା ସେ ପ୍ରକାଶ କରିଛନ୍ତି । ତେବେ ସ୍ତ୍ରୀ ଜଣକ କାମ କରୁଥିବା ବେଳେ ଭଲ ଆୟ କରନ୍ତି ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ଟିଭି ଧାରାବାହିକରେ କାମ କରିବା ସହ ସେ ନିଜ ଖର୍ଚ୍ଚ ଉଠାଇବା ପାଇଁ ସମ୍ପୂର୍ଣ୍ଣ ରୂପେ ସକ୍ଷମ ବୋଲି କୋର୍ଟରେ କହିଛନ୍ତି । ତେବେ କୋର୍ଟ ଏ ସମ୍ପର୍କରେ ରାୟ ଶୁଣାଇ କହିଛନ୍ତି, ସଂପୃକ୍ତ ବ୍ୟକ୍ତି ଜଣକ ପତ୍ରିକା ଓ କିଛି ଖବରକାଗଜ ଟୁକୁଡ଼ା ଦାଖଲ କରିଥିଲେ ସୁଦ୍ଧା ତାଙ୍କ ପାଖରେ ସେପରି କିଛି ପ୍ରମାଣ ନାହିଁ । ମହିଳା ନିଜର ଦାୟିତ୍ୱ ନେବା ପାଇଁ ସକ୍ଷମ ବୋଲି ଏଥିରୁ ପ୍ରମାଣିତ ହୋଇପାରୁ ନାହିଁ । ଏଥିପାଇଁ ସ୍ତ୍ରୀଙ୍କୁ ମାସିକ 17ହଜାର ଟଙ୍କା ପ୍ରଦାନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications