ଶ୍ରାବଣରେ ତାଣ୍ଡବ ରଚୁଛି ବର୍ଷା, ଏ ଯାଏଁ ଗଲାଣି 19 ଜୀବନ
ନୂଆଦିଲ୍ଲୀ : ସାରା ଦେଶରେ ଲାଗି ରହିଛି ମୌସୁମୀ ବର୍ଷା । ଦିଲ୍ଲୀ ରୁ ଆରମ୍ଭ କରି ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ସବୁଆଡ଼େ ଲାଗି ରହିଛି ପ୍ରବଳ ବର୍ଷା । ବିଶେଷ କରି ଉତ୍ତର ଭାରତରେ ବର୍ଷାର ପରିମାଣ ବଢିଛି । ଲଗାଣ ବର୍ଷାରେ ସାରା ଦେଶ ବେହାଲ୍ ହୋଇଯାଇଛି ।
କାଶ୍ମୀରରୁ ପଞ୍ଜାବ -ହରିୟାଣା ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି ରହିଥିବାବେଳେ ପାହାଡ଼ ଅଞ୍ଚଳରେ ଏଭଳି ପାଣିପାଗ ବିପଦ ସୃଷ୍ଟି କରିଛି । ପ୍ରବଳ ବର୍ଷା ହେତୁ ରାଜଧାନୀ ଦିଲ୍ଲୀର ଅବସ୍ଥା ବିଗିଡି ଯାଇଛି । ରାସ୍ତା ଜଳମଗ୍ନ ହୋଇଛି । ଫଳରେ ଅନେକ ଟ୍ରେନକୁ ବାତିଲ କରିବାକୁ ପଡିଛି ।

ବର୍ଷା ଯୋଗୁଁ ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ 19 ଜଣଙ୍କର ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ହିମାଚଳରେ ସର୍ବାଧିକ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ 6 ଜଣଙ୍କର ଜୀବନ ନେଇଛି । ଉତ୍ତର ପ୍ରଦେଶରେ 5 ଜଣ ଓ କାଶ୍ମୀରରେ 2 ଜଣଙ୍କର ପ୍ରାଣହାନି ହୋଇଛି ।
ଆପଣଙ୍କୁ କହିରଖୁଛୁ ଯେ ପ୍ରବଳ ବର୍ଷା ହେତୁ ଦିଲ୍ଲୀରେ 41 ବର୍ଷର ରେକର୍ଡ ଭାଙ୍ଗିଛି । କାଶ୍ମୀର, ହିମାଚଳ, ଉତ୍ତରପ୍ରଦେଶ, ପଞ୍ଜାବ-ହରିୟାଣାରେ ରେଡ ଆଲର୍ଟ ଜାରି ରହିଛି । ସେଠାରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ବର୍ଷା ହେତୁ ମଣ୍ଡି ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ଏଠାରେ ବ୍ୟାସ ନଦୀ ଜଳସ୍ତର ଆଶାତୀତ ଭାବେ ବୃଦ୍ଧି ହେବାରେ ଲାଗିଛି ।
ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ହିମାଚଳରେ 160 ମିଲିମିଟର ବର୍ଷା ହୋଇଛି । ଆସନ୍ତା ପାଞ୍ଚ ଦିନ ପାଇଁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ହିମାଚଳ ପ୍ରଦେଶ ମନ୍ତ୍ରୀ ବିକ୍ରମଦିତ୍ୟ ସିଂହ କହିଛନ୍ତି ଯେ ପ୍ରବଳ ବର୍ଷା ହେତୁ ହିମାଚଳ ପ୍ରଦେଶରେ ବହୁ କ୍ଷୟକ୍ଷତି ହୋଇଛି । ରାଜ୍ୟରେ ପ୍ରାୟ 765 ଟି ରାସ୍ତା ପ୍ରଭାବିତ ହୋଇଛି । କୁଲୁ-ମନାଲିରେ ଫସି ରହିଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ଏବଂ ଏପର୍ଯ୍ୟନ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି ।
ଅପରପକ୍ଷରେ ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯମୁନା ନଦୀରେ ଜଳସ୍ତର ବୃଦ୍ଧି ହେଉଛି । ଯଦି ଏହିପରି ବର୍ଷା ଜାରି ରହେ, ତେବେ ଯମୁନା ନଦୀ ବିପଦ ସଙ୍କେତ ଟପିବାର ଆଶଙ୍କା ରହିଛି । ଦିଲ୍ଲୀର ଅନେକ ରାସ୍ତା ଜଳବନ୍ଦୀ ହୋଇ ଥିବାରୁ ଯାତାୟତରେ ପ୍ରଭାବ ପକାଉଛି ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସ୍କୁଲ ଏବଂ କଲେଜଗୁଡ଼ିକ ଆଜି ବନ୍ଦ ରହିଛି ।












Click it and Unblock the Notifications