କାଲିଠୁ ତାତିରୁ ମିଳିବ ଆଶ୍ୱସ୍ତି, କାଳବୈଶାଖୀ ପ୍ରଭାବରେ କମିପାରେ ପାରଦ ସ୍ତର
ମେ ପହିଲାରୁ 2 ତାରିଖ ପର୍ଯ୍ୟନ୍ତ ତାପମାତ୍ରା 2 ଡିଗ୍ରି ହ୍ରାସ ହୋଇପାରେ । କିନ୍ତୁ ଆଜି ସାରା ରାଜ୍ୟରେ ପୂର୍ବ ପରି ତାତି ରହିବ ବୋଲି କହିଛି ପାଣିପାଗ ବିଭାଗ ।
ଭୁବନେଶ୍ୱର : ସାରା ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ତ୍ରାହି ମିଳିପାରେ । ରାଜ୍ୟରେ ହେବାକୁ ଥିବା କାଳବୈଶାଖୀ ପ୍ରଭାବରେ ପାରଦ ସ୍ତର ସାମାନ୍ୟ ହ୍ରାସ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ମେ ପହିଲାରୁ 2 ତାରିଖ ପର୍ଯ୍ୟନ୍ତ ତାପମାତ୍ରା 2 ଡିଗ୍ରି ହ୍ରାସ ହୋଇପାରେ । କିନ୍ତୁ ଆଜି ସାରା ରାଜ୍ୟରେ ପୂର୍ବ ପରି ତାତି ରହିବ ବୋଲି କହିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପାରଦ ଉପରମୁହାଁ ରହିବ । ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଅନ୍ୟପକ୍ଷରେ ମେ' 4 ତାରିଖରେ ଦକ୍ଷିଣ ଆଣ୍ଡମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଆଇଏମଡି ପୂର୍ବାନୁମାନ କରିଛି । ଏହି ଘୂର୍ଣ୍ଣିବଳୟ 5 ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ ।
ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଲଘୁଚାପ ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହେବା ନେଇ ଅଧିକାଂଶ ମଡେଲ୍ ଦର୍ଶାଉଛି । ଏପରିକି ବାତ୍ୟାର ଗତିପଥ ଓଡ଼ିଶା-ପଶ୍ଚିମବଙ୍ଗ ଦର୍ଶାଯାଉଥିବା ଜଣାପଡ଼ିଛି ।












Click it and Unblock the Notifications