ଚାଷୀଙ୍କ ପ୍ରତି ଶାହିନ୍ ବାଗ୍ ଭଳି ବ୍ୟବହାର ନକରନ୍ତୁ ସରକାର, 2023 ପର୍ଯନ୍ତ କରିବୁ ଆନ୍ଦୋଳନ : ରାକେଶ
ଶାହିନ୍ ବାଗ ପରି ସରକାର ଚାଷୀଙ୍କ ପ୍ରତି ବ୍ୟବହାର କରିବା ଉଚିତ୍ ନୁହେଁ । ସମସ୍ତ ତିନୋଟି ଆଇନ ବାତିଲ ହେବା ପରେ କୃଷକମାନେ ନିଜ ନିଜ ଘରକୁ ଯିବେ । ସରକାର କଥାବାର୍ତ୍ତା କରିବା ଭଲ । ଆମେ ସରକାରଙ୍କ ଡାକରାକୁ ଅପେକ୍ଷା କରିଛୁ ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହରାଜ୍ୟ ଗୁଜୁରାଟରୁ 2 ଦିନିଆ ଗସ୍ତସାରି ଫେରି ଭାରତୀୟ କିଷାନ ୟୁନିଅନର ମୁଖପାତ୍ର ରାକେଶ ଟିକାୟିତ୍ ହରିୟାଣାର ଯମୁନାନଗରରେ ପହଞ୍ଚିଛନ୍ତି । ରାକେଶ କହିଛନ୍ତି, "ଶାହିନ୍ ବାଗ ପରି ସରକାର ଚାଷୀଙ୍କ ପ୍ରତି ବ୍ୟବହାର କରିବା ଉଚିତ୍ ନୁହେଁ । ସମସ୍ତ ତିନୋଟି ଆଇନ ବାତିଲ ହେବା ପରେ କୃଷକମାନେ ନିଜ ନିଜ ଘରକୁ ଯିବେ । ସରକାର କଥାବାର୍ତ୍ତା କରିବା ଭଲ । ଆମେ ସରକାରଙ୍କ ଡାକରାକୁ ଅପେକ୍ଷା କରିଛୁ ।"

କରୋନା ସଂକ୍ରମଣ ଉପରେ ପ୍ରଶ୍ନରେ ଟିକାୟିତ୍ କହିଛନ୍ତି ଯେ, କୃଷକମାନଙ୍କଦ୍ୱାରା କରୋନା ବିସ୍ତାର ହେଉନାହିଁ । ପ୍ରଦର୍ଶନକାରୀ କୃଷକମାନେ କରୋନା ନିୟମ ପାଳନ କରିବେ । ଏହି ଆନ୍ଦୋଳନ କେତେ ଦିନ ଚାଲିବ ସେ ନେଇ ସେ କହିଛନ୍ତି ଯେ, ଆବଶ୍ୟକ ହେଲେ ଆମେ 2023 ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବୁ । ଏହାପୂର୍ବରୁ ରାକେଶ ଗୁଜୁରାଟରେ କହିଥିଲେ ଯେ, 'ମୋଦୀ ସରକାର ଆଣିଥିବା ତିନୋଟି ନୂତନ କୃଷି ଆଇନ କୃଷକମାନଙ୍କ ପାଇଁ କ୍ଷତିକାରକ । ଏଗୁଡ଼ିକ ହେଉଛି କଳା ନିୟମ । ଏଥିରେ ଚାଷୀଙ୍କ ଜମି ଛଡ଼ାଇ ନିଆଯାଉଛି ।'
ଟିକାୟିତ୍ ଗୁଜୁରାଟରେ କହିଛନ୍ତି, "ଗୁଜୁରାଟର କୃଷକମାନେ ଫସଲ ଅପଚୟ ସହ ସଂଘର୍ଷ କରୁଛନ୍ତି । ଏଭଳି ସମୟରେ ସେମାନଙ୍କର ଜମି ଘରୋଇ କମ୍ପାନୀମାନଙ୍କୁ ଦିଆଯାଉଛି । ସାରା ଦେଶରେ ଚାଷୀଙ୍କ ଠାରୁ ଜମି ଛଡ଼ାଇ ନେବା ପ୍ରସଙ୍ଗ ସାମ୍ନାକୁ ଆସୁଛି । ପରିସ୍ଥିତି ଏରି ହୋଇଛି, କମ୍ପାନୀଗୁଡିକ ଦେଶର ସରକାର ଚଲାଉଛନ୍ତି, କିନ୍ତୁ ବର୍ତ୍ତମାନ ଏହି ସରକାର ଅଧିକ ଦିନ ରହିବେ ନାହିଁ । କୃଷକ ଆନ୍ଦୋଳନ ସମାପ୍ତ ହେବ ନାହିଁ । କୃଷକମାନେ ସେମାନଙ୍କର ଅଧିକାର ପାଇଁ ସଂଗ୍ରାମ ଜାରି ରଖିବେ । "
ଗୁଜୁରାଟ ପ୍ରସଙ୍ଗରେ ଟିକାୟିତ୍ ଏହା ମଧ୍ୟ କହିଛନ୍ତି ଯେ, "ଗୁଜୁରାଟ ଗାନ୍ଧିଜୀ ଏବଂ ସର୍ଦ୍ଦାର ପଟେଲଙ୍କର । ଅତୀତରେ ଏଠାରେ ମଧ୍ୟ ଆନ୍ଦୋଳନ ହୋଇଥିଲା । ଏଠାରେ ଥିବା କୃଷକ ବର୍ତ୍ତମାନ ଅନ୍ୟ ରାଜ୍ୟର କୃଷକଙ୍କ ପରି ନିର୍ଭୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଭାଗ ନେବେ ।"












Click it and Unblock the Notifications