ମୁମ୍ବାଇରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ପ୍ରଥମ ମୃତ୍ୟୁ, ପ୍ରାଣ ହରାଇଲେ 63 ବର୍ଷୀୟା ମହିଳା
ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଘାଟକୋପରରେ ରହୁଥିବା 63 ବର୍ଷ ବୟସ୍କା ମହିଳା ଜୁଲାଇ 21 ରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟର ସଂକ୍ରମିତ ହୋଇଥିଲେ, ଯାହା ପରେ ଜୁଲାଇ 27 ରେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।
ନୂଆଦିଲ୍ଲୀ : କରୋନାଭାଇରସ୍ ମହାମାରୀର ସାମ୍ଭାବ୍ୟ ତୃତୀୟଲହର ଆଶଙ୍କା ମଧ୍ୟରେ ମୁମ୍ବାଇ ଡେଲଟା ପ୍ଲସ୍ ଭାରିଆଣ୍ଟରୁ ପ୍ରଥମ ମୃତ୍ୟୁ ରେକର୍ଡ ହୋଇଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଘାଟକୋପରରେ ରହୁଥିବା 63 ବର୍ଷ ବୟସ୍କା ମହିଳା ଜୁଲାଇ 21 ରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟର ସଂକ୍ରମିତ ହୋଇଥିଲେ, ଯାହା ପରେ ଜୁଲାଇ 27 ରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଉଲ୍ଲେଖନୀୟ କଥା ହେଉଛି, ମହାରାଷ୍ଟ୍ରରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ଏହା ହେଉଛି ଦ୍ୱିତୀୟ ମୃତ୍ୟୁ । ଏହାପୂର୍ବରୁ ଜୁନ୍ 13 ରେ, ରତ୍ନଗିରି ଜିଲ୍ଲାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ 80 ବର୍ଷ ବୟସ୍କା ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବାନୁସାରେ, ମୁମ୍ବାଇରେ ଡେଲଟା ପ୍ଲସ୍ ଭାରିଏଣ୍ଟ ଯୋଗୁଁ ପ୍ରାଣ ହରାଇଥିବା ମହିଳାଙ୍କର ମଧୁମେହ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲା । ମହିଳା ଜଣକ କରୋନାର ଦୁଇ ଡୋଜ୍ ଟିକା ଗ୍ରହଣ କରିଥିଲେ ଏବଂ ମୁମ୍ବାଇରେ ଚିହ୍ନ ହୋଇଥିବା 7 ଜଣ ଡେଲ୍ଟା ପ୍ଲସ୍ ରୋଗୀଙ୍କ ମଧ୍ୟରେ ଥିଲେ । ଏହି ମହିଳାଙ୍କ ନମୁନାରୁ ଜିନୋମ କ୍ରମର ଫଳାଫଳ ଅଗଷ୍ଟ 11 ରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗରେ ପହଞ୍ଚିଥିଲା, ଏହା ପରେ ମହିଳା ଜଣକ କରୋନା ଡେଲଟା ପ୍ଲସ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ନେଇ ବିଏମସିକୁ ସୂଚନା ଦିଆଯାଇଥିଲା ।
ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ମହିଳାଙ୍କ ଯାତ୍ରା ଇତିହାସ ନାହିଁ ଏବଂ ତାଙ୍କର ଦୁଇ ଘନିଷ୍ଠ ବ୍ୟକ୍ତିଙ୍କ ମଧ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟ ନିଶ୍ଚିତ ହୋଇଛି । ମହିଳା ଜଣକ ଅମ୍ଳଜାନ ସହାୟତାରେ ଥିଲେ ଏବଂ ଚିକିତ୍ସା ସମୟରେ ତାଙ୍କୁ ଷ୍ଟେରଏଡ ଏବଂ ରିମଡେସିଭିର ଇଞ୍ଜେକ୍ସନ ଦିଆଯାଇଥିଲା । ସ୍ୱାସ୍ଥ୍ୟ ଅଧିକାରୀ ଡ଼ ମହେନ୍ଦ୍ର ଖଣ୍ଡେଡେ କହିଛନ୍ତି ଯେ ମହିଳା ଜଣକ ପୂର୍ବରୁ ବିକ୍ରୋଲିର ଗୋଡ୍ରେଜ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହା ପରେ ପରିବାର ତାଙ୍କୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ସେ 27 ଜୁଲାଇରେ ପ୍ରାଣ ହରାଇଥିଲେ ।
ଏହା ବ୍ୟତୀତ ବୁଧବାର ମହାରାଷ୍ଟ୍ରରେ କରୋନା ଭାଇରସ୍ ଡେଲଟା ପ୍ଲସ୍ ଭାରିଆଣ୍ଟର 20 ଟି ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ପରେ ରାଜ୍ୟରେ ମୋଟ ମାମଲା 65 କୁ ବୃଦ୍ଧି ପାଇଛି । ବୁଧବାର ମିଳିଥିବା 20 ଜଣ ରୋଗୀଙ୍କ ମଧ୍ୟରୁ ମୁମ୍ବାଇରେ 7 ଟି, ପୁଣେରେ 6 ଟି ଏବଂ ଥାନେରେ 6 ଟି ମାମଲା ଚିହ୍ନଟ ହୋଇଛି ।












Click it and Unblock the Notifications