ଗ୍ରେଟର ନୋଏଡାର ଗାଲାକ୍ସି ପ୍ଲାଜାରେ ଲାଗିଲା ନିଆଁ, ଜୀବନ ବଞ୍ଚାଇବାକୁ ତୃତୀୟ ମହଲାରୁ ଡେଇଁ ପଡିଲେ ଲୋକ
ଗୁରୁବାର ଗ୍ରେଟର ନୋଏଡା ଠାରେ ଏକ ବଡ଼ ଅଘଟଣ ଘଟିଛି । ଗାଲାକ୍ସି ପ୍ଲାଜା ବିଲ୍ଡିଂରେ ନିଆଁ ଲାଗିଯାଇଛି । ଅଗ୍ନିଶମ ବାହିନୀ ଦଳ ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗୌର ସିଟି 1 ରେ ଥିବା ଗାଲାକ୍ସି ପ୍ଲାଜାର ତୃତୀୟ ମହଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଲୋକମାନେ କିଛି ବୁଝିବା ଆଗରୁ ନିଆଁ ବ୍ୟାପିଯାଇଥିଲା । ଏହା ଦେଖି ଲୋକଙ୍କ ମଧ୍ୟ ଆତଙ୍କ ଖେଳିଯାଇଥିଲା ।

ବିଲ୍ଡିଂରେ ଫସି ରହିଥିବା କିଛି ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡ଼ୁଥିବା ଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଏପରିକି କେତେ ଲୋକ ବିଲ୍ଡିଂ ଝରକାରେ ଓହଳି ରହିଥିଲେ । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଛି । ଏହା ସହିତ ଉପର ମହଲାରୁ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ଏଥି ସହିତ ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବିଲ୍ଡିଂରେ ନିଆଁ ଲାଗିଥିବା ବେଳେ ଜଣେ ବ୍ୟକ୍ତି ଝରକା ପାଖରେ ଝୁଳିଥିବା ଦେଖିବାକୁ ମିଳିଛି । ଲୋକମାନେ ପାଟି କରି ତାଙ୍କୁ ଡେଇଁବାକୁ ପରାମର୍ଶ ଦେଇଥିଲେ । କିଛି ସମୟ ପରେ ସେ ତଳକୁ ଡେଇଁ ପଡ଼ିଥିଲେ ।ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ତଳେ ଥିବା ଲୋକମାନେ ଚଟାଣରେ ଗଦି ପକାଇଥିଲେ । ତଥାପି ତିନି ମହଲାରୁ ଡେଇଁ ଥିବାରୁ ସେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ।
Fire broke out on the third floor of galaxy plaza, gaur avenue 1, #GreaterNoida. People saved their lives by jumping from the building. pic.twitter.com/QJEZoORrXv
— Nikhil Choudhary (@NikhilCh_) July 13, 2023
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ବିଲ୍ଡିଂ ଭିତରେ ନିଆଁକୁ ଆୟତ୍ତ କରିବା ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା । ବର୍ତ୍ତମାନ ବିସ୍ରାକ ପୋଲିସ ଷ୍ଟେସନ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications