ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ, ନିରାପଦରେ ସ୍ଥାନାନ୍ତର ହେଲେ 28 ରୋଗୀ
ମୁଖ୍ୟ ଅଗ୍ନିଶମ ଅଧିକାରୀ ମୁକେଶ କୁମାର କହିଛନ୍ତି ଯେ ଆମେ 28 ରୋଗୀ ଏବଂ ନର୍ସିଂହୋମର 16 ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛୁ ।
ମୁରାଦାବାଦ : ଉତ୍ତରପ୍ରଦେଶ ମୁରାଦାବାଦ ଜିଲ୍ଲାର ଏକ ଘରୋଇ ନର୍ସିଂ ହୋମରେ ମଙ୍ଗଳବାର ସକାଳେ ହଠାତ୍ ଅଗ୍ନିକାଣ୍ଡ ହୋଇଛି । ନର୍ସିଂହୋମରେ ନିଆଁ ଲାଗିଥିବାରୁ ଚାରିଆଡେ ଆତଙ୍କ ଖେଳିଯାଇଥିଲା । ଏଥିସହିତ ନର୍ସିଂହୋମରେ ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶମ ବାହିନୀ ମଧ୍ୟ ବହୁ ପରିଶ୍ରମ କରି ନିଆଁକୁ ନିୟନ୍ତ୍ରଣ କରିଥିଲା ।

କୁହାଯାଉଛି ଯେ ନର୍ସିଂହୋମରେ ଅଗ୍ନିକାଣ୍ଡ ହେବା ପରେ କର୍ମଚାରୀ ଏବଂ ରୋଗୀମାନେ ଭିତରେ ଫସି ରହିଥିଲେ । ଭିତରେ ଫସି ରହିଥିବା ରୋଗୀ ଏବଂ କର୍ମଚାରୀଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରିଥିଲେ । ମୁଖ୍ୟ ଅଗ୍ନିଶମ ଅଧିକାରୀ ମୁକେଶ କୁମାର କହିଛନ୍ତି ଯେ ଆମେ 28 ରୋଗୀ ଏବଂ ନର୍ସିଂହୋମର 16 ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛୁ ।
ସୂଚନା ଅନୁସାରେ ଗାନ୍ଧୀନଗରର ଜିଜ୍ଞାସା ନର୍ସିଂହୋମରେ ମଙ୍ଗଳବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଥିବାର କୁହାଯାଉଛି । ନର୍ସିଂହୋମର ନିର୍ଦ୍ଦେଶକ ଡ଼ ସିପି ସିଂ କହିଛନ୍ତି ଯେ ଡାକ୍ତରଖାନା ସମ୍ମୁଖରେ ଥିବା ମିଟରରୁ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ଯୋଗୁଁ ନର୍ସିଂହୋମର ଆଗ ଭାଗ ଅଧିକ ପ୍ରଭାବିତ ହୋଇଥିଲା ।
ଏହା ସହିତ ଡାକ୍ତରଖାନାର ସଞ୍ଚାଳକ ଡାକ୍ତରଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଘରର ପ୍ରାୟ ଅଧା ଅଂଶ ନଷ୍ଟ ହୋଇଯାଇଛି । ସେ କହିଛନ୍ତି ଯେ ସୌଭାଗ୍ୟବଶତଃ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ କେହି ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି ।












Click it and Unblock the Notifications